କଟକ,(ବି.ବି.ନୁ୍ୟଜ୍): ‘ଦୈନନ୍ଦିନ ଖର୍ଚ୍ଚ ତୁଲାଇବା ପାଇଁ ଏବେ ମୋ ପାଖରେ ଟଙ୍କାଟିଏ ନାହିଁ । ଅର୍ଥ ଅଭାବରୁ ଚଳିବାରେ ଅସୁବିଧା ହେଉଛି । ଘରଭଡ଼ା ଦେବାରେ ବି ଅସୁବିଧା । ଜେଲ୍ରୁ ବାହାରିବା ପରେ ରୋଜଗାର ପନ୍ଥା ମଧ୍ୟ କିଛି ନାହିଁ । ଆଗରୁ ମୁଁ ପ୍ରବଚନ ଦେଇ ରୋଜଗାର କରୁଥିଲି । ଏବେ ବି ସେମିତି ପ୍ରବଚନ ଦେଇ କିଛି ରୋଜଗାର କରିବାକୁ ଚାହେ । ଏଥିପାଇଁ ମୋତେ ଅନୁମତି ମିଳୁ ।’ -ଏହି ମର୍ମରେ, ପ୍ରବଚନ ଦେବା ପାଇଁ ହାଇକୋର୍ଟଙ୍କ ଅନୁମତି ଲୋଡ଼ି, ବିବାଦୀୟ ‘ଗଡ୍ମ୍ୟାନ୍’ ସାରଥି ବାବା ଓରଫ ସନ୍ତୋଷ ରାଉଳ ଆଜି ଏକ ପିଟିସନ୍ ରୁଜୁ କରିଛନ୍ତି । ଜାମିନ୍ ମଂଜୁର୍ ବେଳେ ତାଙ୍କ ଉପରେ ଲଦାଯାଇଥିବା ସର୍ତ୍ତାବଳୀକୁ କୋହଳ କରିବାକୁ ସେ ଏହି ପିଟିସନ୍ଟି ଜରିଆରେ ପ୍ରାର୍ଥନା କରିଛନ୍ତି ।
ଗତ ଜୁଲାଇ ମାସରେ ସାରଥି ହାଇକୋର୍ଟରୁ ଶେଷ ମାମଲାରେ ଜାମିନ୍ ପାଇ ଜେଲରୁ ମୁକୁଳିଥିଲେ । କିନ୍ତୁ ମାନ୍ୟବର ହାଇକୋର୍ଟ ସାରଥିଙ୍କୁ ଜାମିନ୍ ଦେବା ବେଳେ କେତେକ ସର୍ତ୍ତ ଲାଗୁ କରିଥିଲେ । ପୀଡ଼ିତା କିମ୍ବା ଏହି ମାମଲାର ସାକ୍ଷୀଙ୍କ ସହ ସାରଥି ଯୋଗାଯୋଗ କରିବେ ନାହିଁ, ମାମଲାର ପ୍ରମାଣ ନଷ୍ଟ କରିବେ ନାହିଁ, ପ୍ରତି ତାରିଖରେ ବିଚାର ବେଳେ ନିମ୍ନ ଅଦାଲତରେ ହାଜର ହେବେ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ । ପୂର୍ବରୁ ଆଉ ଏକ ମାମଲାରେ ମାନ୍ୟବର ହାଇକୋର୍ଟ ସର୍ତ୍ତ ରଖିଥିଲେ ଯେ, ଜେଲ୍ରୁ ବାହାରିବା ସମୟରେ ଭକ୍ତ ବା ଅନୁଗାମୀମାନଙ୍କୁ ନେଇ ସାରଥି କୌଣସି ରାଲି ବା ଶୋଭାଯାତ୍ରା କରିପାରିବେ ନାହିଁ । ସେ କେନ୍ଦ୍ରାପଡ଼ା କିମ୍ବା ବାରିମୂଳ ଆଶ୍ରମକୁ ଯାଇପାରିବେ ନାହିଁ । ଯେଉଁ ସ୍ଥାନରେ ସେ ରହିବେ ସେଠାରେ ଭକ୍ତ ବା ଅନୁଗାମୀଙ୍କୁ ନେଇ କୌଣସି ସମ୍ମିଳନୀ କରିପାରିବେ ନାହିଁ କି କେଉଁଠାରେ ପ୍ରବଚନ ଦେଇପାରିବେ ନାହିଁ । ତେଣୁ ସାରଥି ଜେଲ୍ରୁ ବାହାରିବା ପରେ ଏବେ ଅଜ୍ଞାତବାସରେ । ଏଭଳି ସ୍ଥିତିରେ ସେ ପିଟିସନ୍ ଦାଖଲ କରି ଆର୍ଥିକ ଅସୁବିଧା କଥା ଦର୍ଶାଇ ରୋଜଗାର ପାଇଁ ତାଙ୍କୁ ପ୍ରବଚନ ଦେବାକୁ ଅନୁମତି ମିଳୁ ବୋଲି ପ୍ରାର୍ଥନା କରିଛନ୍ତି । ଅନ୍ୟ ସର୍ତ୍ତ ମଧ୍ୟ କୋହଳ କରିବାକୁ ଅନୁମତି ମାଗିଛନ୍ତି । ସାରଥିଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ମାନସ ଚାନ୍ଦ ରୁଜୁ କରିଛନ୍ତି ।
Comments are closed, but trackbacks and pingbacks are open.