ପୁନେ: ପୁନେରେ କରୋନା ଭାଇରସ ସଂକ୍ରମଣକୁ ବ୍ୟାପିବାକୁ ନ ଦେବା ପାଇଁ ପ୍ରଶାସନ ପକ୍ଷରୁ ବସ୍ତି ଅଞ୍ଚଳରେ ରହୁଥିବା ୨୦ ହଜାର ଲୋକଙ୍କୁ କରୋନା ସଂକ୍ରମିତ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି । ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କୁ ସ୍ଥାନାନ୍ତର କରାଯିବ । ଏହି ଲୋକମାନଙ୍କୁ ସ୍କୁଲ, ମୁ୍ୟନିସିପାଲିଟି ଅଞ୍ଚଳରେ ଖାଲି ପଡ଼ିଥିବା ଘର, ଗୋଦାମ ପ୍ରଭୃତିରେ ରଖାଯିବ । ସେମାନଙ୍କର ରହିବା ଓ ଅନ୍ୟାନ୍ୟ ବ୍ୟବସ୍ଥା ପୁଲିସ ପକ୍ଷରୁ କରାଯିବ ।
ରିପୋର୍ଟ ଅନୁସାରେ ପ୍ରଶାସନ ପକ୍ଷରୁ ପୁନେକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି । ତା’ ହେଲା ପୁନେ ସିଟି ଏବଂ ପୁନେ ଜିଲ୍ଲା । ସେହିପରି ସେଠାରେ ଏବେ ୫ଟି ପ୍ରମୁଖ ହଟ୍ସ୍ପଟ୍ ଭବାନୀପେଠ, କସବାପେଠ, ଢୋଲେ ପାଟିଲ ରୋଡ୍, ୟେରୱାଡା ଓ ଘୋଲେ ରୋଡ୍ ରହିଛି । ଏହି ସବୁ ଅଞ୍ଚଳରେ ୭୦ ହଜାର ବସ୍ତି ରହିଛି ଯେଉଁଥିରେ ପ୍ରାୟ ୩.୫ ଲକ୍ଷ ଲୋକ ରହୁଛନ୍ତି । ବସ୍ତି ଅଞ୍ଚଳରେ ଥିବା ଏହି ଲୋକଙ୍କର ଘର ସବୁ ଖୁବ୍ ଛୋଟ ହୋଇଥିବା ବେଳେ ପ୍ରତି ଘରେ ପ୍ରାୟ ୬-୮ ଜଣ ରହୁଛନ୍ତି । ଏହାଦ୍ୱାରା ସାମାଜିକ ଦୂରତ୍ୱ ନିୟମ ଠିକ୍ ଭାବେ ପାଳିତ ହୋଇପାରୁ ନାହିଁ ।
ଅନ୍ୟପଟେ ପୁଲିସ ପକ୍ଷରୁ ବହୁ ଉଦ୍ୟମ କରାଯିବା ପରେ ମଧ୍ୟ ଏହି ଲୋକମାନେ ଲକ୍ଡାଉନ୍ ନିୟମକୁ ପାଳନ କରୁନାହାନ୍ତି । ତେଣୁ କରୋନା ସଂକ୍ରମଣକୁ ବ୍ୟାପିବାକୁ ନ ଦେବା ଲାଗି କିଛି ଦିନ ପାଇଁ ଏହି ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପ୍ରଶାସନ ଯୋଜନା କରୁଛି । ପ୍ରାଥମିକ ଭାବେ ଏହି ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବା ପରେ ଧୀରେ ଧୀରେ ଅନ୍ୟମାନଙ୍କୁ ସ୍ଥାନାନ୍ତର କରାଯିବ । ସୂଚନାଥାଉ କି, ପୁନେ ସହରରେ ଏବେ ଯାଏ ୧୨୧୭ ଜଣ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ପୂରା ଜିଲ୍ଲାରେ ଏହି ସଂଖ୍ୟା ୧୩୪୮ ରହିଛି । ୭୫ ଜଣ ଲୋକ ସେଠାରେ କରୋନା ଯୋଗୁ ପ୍ରାଣ ହରାଇଛନ୍ତି ।
Comments are closed, but trackbacks and pingbacks are open.