ପୁରୀ,(ବି.ବି.ନ୍ୟୁଜ୍): ଆତଙ୍କ ଖେଳାଇବା ଥିଲା ସଉକ । ବାରମ୍ବାର ଜେଲ୍ ଯାଉଥିଲା । ପୁଣି ଜାମିନ୍ରେ ଆସି ଅପରାଧ ଘଟାଉଥିଲା । ଏବେ ହତ୍ୟା କରିବ ବୋଲି ନେଇଥିଲା ସୁପାରି । କିନ୍ତୁ ଏହା ପୂର୍ବରୁ ପୁଲିସ ତା’କୁ ଧରିବାକୁ ଉଦ୍ୟମ କଲା । ହେଲେ ପୁଲିସକୁ ବି ଫୁଟାଇଲା ଗୁଳି । ଖସିଯିବାକୁ ଉଦ୍ୟମ କରୁଥିବାବେଳେ ଏନ୍କାଉଣ୍ଟର୍ କଲା ପୁଲିସ । ଏନ୍କାଉଣ୍ଟର୍ର ଶିକାର ହୋଇ ଧରାପଡିଲା ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ପାଲଟିଥିବା ଜଣାଶୁଣା ଅପରାଧୀ ଗୋଖାସାହିର ଦିୱାନା ବେହେରା (୨୪) । ଶନିବାର ବିଳମ୍ବିତ ରାତିରେ ପୁରୀ ପୁଲିସ ଏହି ଏନ୍କାଉଣ୍ଟର୍ କରିଛି । ଦିବାନା ଗୁରୁତର ଆହତ ହୋଇଥିବାବେଳେ ତାକୁ ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଇ ପରେ କଟକ ସ୍ଥାନାନ୍ତର କରାଯାଇଛି । ସେପଟେ ଦିବାନା ଗୁଳିରେ ବାସେଳୀ ସାହି ଆଇଆଇସି ଜୀବନାନନ୍ଦ ଜେନା ଆହତ ହୋଇଛନ୍ତି । ତାଙ୍କ ବାମ ହାତରେ ଗୁଳି ବାଜିଥିବାବେଳେ ସେ ମଧ୍ୟ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହୋଇଛନ୍ତି ।ରବିବାର ଏନେଇ ଏସ୍ପି ଉମାଶଙ୍କର ଦାଶ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଛନ୍ତି । ଏଥିରେ ସୂଚନା ଦେଇ କହିଛନ୍ତି ଯେ, ଏକ ଡକାୟତି ଉଦ୍ୟମ ମାମଲାରେ ଫେରାର୍ ଥିଲା ଦିବାନା । ତେଣୁ ତାକୁ ପୁଲିସ ଧରିବା ପାଇଁ ଯୋଜନା କରିଥିଲା । ଏକ ଅପରାଧ ଘଟାଇବା ପାଇଁ ଦିବାନା ବିଳମ୍ବିତ ରାତିରେ ପ୍ରସ୍ତୁତ ହୋଇ ତା’ର ଜଣେ ସହଯୋଗୀ ସହିତ ଯାଉଥିବାବେଳେ ଖବର ପାଇ ସିଟି ଡିଏସ୍ପି କ୍ଷୀରସାଗର ନାୟକ, କୁମ୍ଭାରପଡା ଥାନା ଆଇଆଇସି କୁଳମଣି ସେଠୀ ଓ ବାସେଳୀସାହି ଥାନା ଆଇଆଇସି ଜୀବନାନନ୍ଦ ଜେନା ଚଢ଼ଉ କରିଥିଲେ । ତାକୁ ନବକଳେବର ରୋଡ ସ୍ଥିତ ଆଶ୍ରମ ଛକରେ ଅଟକାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ସହଯୋଗୀ ଜଣକ ଖସି ପଳାଇଥିବାବେଳେ ଦିବାନ ପୁଲିସ ଉପରକୁ ଗୁଳି ମାଡ କରିଥିବା ଏସ୍ପି କହିଛନ୍ତି । ଗୁଳିଟି ବାସେଳୀ ସାହି ଆଇଆଇସି ଶ୍ରୀ ଜେନାଙ୍କ ବାମ ହାତରେ ବାଜିଥିବଲା । ପରେ ଶ୍ରୀ ଜେନା ତାକୁ ଏନ୍କାଉଣ୍ଟର୍ କରିବାକୁ ବାଧ୍ୟ ହୋଇଥିଲେ ବୋଲି ଏସ୍ପି ଶ୍ରୀ ଦାଶ କହିଛନ୍ତି । ଗୁଳି ତାର ଡାହାଣ ଗୋଡରେ ବାଜିଥିଲା । ରକ୍ତାକ୍ତ ଅବସ୍ଥାରେ ଦିବାନାକୁ ରାତି ୨ଟା ୪୫ରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ପୁଲିସ । ପ୍ରାଥମିକ ଚିକିତ୍ସା କରାଯାଇ ପରେ ଅଧିକ ଚିକିତ୍ସା ନିମନ୍ତେ ଆହତ ଦିବାନାକୁ କଟକ ସ୍ଥାନାନ୍ତର କରାଯାଇଛି । ପୁଲିସ ଦିବାନା ଠାରୁ ୯ ଏମ୍ଏମ୍ର ଦେଶୀ ବନ୍ଧୁକ, ଗୋଟିଏ ଗୁଳି, ମାଗାଜିନ୍ ଓ ସେ ଚଳାଉଥିବା ବାଇକ ଜବତ କରିଛି । ତଦନ୍ତରେ ବାଧା ସୃଷ୍ଟି ହେବ ବୋଲି ଫେରାର ଥିବା ସହଯୋଗୀର ନାମକୁ ଗୋପନ ରଖାଯାଇଥିବା କୁମ୍ଭାରପଡା ଥାନା ଆଇଆଇସି ଶ୍ରୀ ସେଠୀ କହିଛନ୍ତି ।କୁମ୍ଭାରପଡା ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ପାଇଁ ସେ ସୁପାରି ନେଇଥିବା ଜଣେ ଅଧିକାରୀ କହିଛନ୍ତି । ଦିବାନା ଚିକିତ୍ସାଧୀନ ଥିବାରୁ ଅଧିକ ପଚରାଉଚରା କରାଯାଇ ପାରି ନାହିଁ ବୋଲି ପୁଲିସ କହିଛି । ସେ ସୁସ୍ଥ ହେବା ପରେ ଏହି ସୁପାରି ସମ୍ପନ୍ଧରେ ଅଧିକ ତଥ୍ୟ ମିଳିବ ବୋଲି ଇନ୍ସପେକ୍ଟର୍ ଶ୍ରୀ ଜେନା କହିଛନ୍ତି । ଦିବାନା ଯାଜପୁରରେ ଏକାଧିକ ମାମଲାରେ ଜଡିତ ଥିବା ଏସ୍ପି କହିଛନ୍ତି । ଯାଜପୁର ପୁଲିସ ପାଇଁ ସେ ୱାଣ୍ଟେଡ ଥିବାବେଳେ ପୁରୀରେ ଲୁଚିଥିବାରୁ ସେଠାକାର ପୁଲିସ ଦିବାନାର ପତ୍ତା ପାଉନଥିଲା । ଏପରିକି ପୁରୀ ଜିଲ୍ଲା ସହ ତାର ଏକାଧିକ ଜିଲ୍ଲାରେ କ୍ରାଇମ୍ ରେକର୍ଡ ଥିବା ଜଣାପଡିଛି ବୋଲି ଏସ୍ପି କହିଛନ୍ତି ।
Comments are closed, but trackbacks and pingbacks are open.