ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା

Get real time updates directly on you device, subscribe now.

ପୁରୀ, (ବି.ବି.ନୁ୍ୟଜ୍): ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିକୁ ‘ବ୍ଲୁ ଫ୍ଲାଗ୍ ବିଚ୍’ ମାନ୍ୟତା ମିଳିଛି । ଏଥିସହ ଏହା ବିଶ୍ୱ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ପାଇଛି । ଡେନମାର୍କସ୍ଥିତ ଅନ୍ତର୍ଜାତୀୟ ସଂସ୍ଥା ଫାଉଣ୍ଡେସନ ଫର ଏନଭରମେଣ୍ଟ ଏଜୁକେସନ( ଏଫ୍ଇଇ) ପକ୍ଷରୁ ଏହି ମାନ୍ୟତା ମିଳିଛି । ପ୍ରଶାସନିକ ସୂଚନା ମୁତାବକ, ଅନ୍ତଃରାଷ୍ଟ୍ରୀୟ ଜୁରି ଭାରତର ୮ଟି ବେଳାଭୂମିକୁ ବ୍ଲୁଫ୍ଲାଗ୍ ମାନ୍ୟତା ଦେଇଛନ୍ତି । ଗୁଜରାଟର ଶିବରାଜପୁର, ଡିଉର ଘୋଗଲା, କର୍ଣ୍ଣାଟକର କସରକୋଡ ଓ ପଡୁବିଦ୍ରି, କେରଳର କପାଡ, ଆନ୍ଧ୍ରର ରୁଷିକୋଣ୍ଡା, ଆଣ୍ଡାମାନର ରାଧାନଗର ବେଳାଭୂମିକୁ ମଧ୍ୟ ଏହି ମାନ୍ୟତା ମିଳିଛି ।
ପ୍ରଦୂଷଣ ନିୟନ୍ତ୍ରଣରେ ଭାରତର ଉପରୋକ୍ତ ବେଳାଭୂମିକୁ ତୃତୀୟ ପୁରସ୍କାର ମଧ୍ୟ ମିଳିଛି । ବ୍ଲୁ ଫ୍ଲାଗ ବିଚ୍ ପ୍ରମାଣପତ୍ର ହାସଲ ପରେ ୫୦ଟି ଦେଶ ସହ ଭାରତର ନାମ ମଧ୍ୟ ଯୋଡି ହୋଇଛି । ଏନେଇ ଭାରତ ବ୍ଲୁ ଫ୍ଲାଗ ବିଚ ମିଶନ ଲିଡର ସଞ୍ଜଇ ଜାଲା ପ୍ରମାଣପତ୍ର ବା ମାନ୍ୟତା ହାସଲ କରିଥିବା ରାଜ୍ୟ ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ମାନ୍ୟତା ହାସଲ ନିମନ୍ତେ ପୁରୀବାସୀଙ୍କ ସହଯୋଗ ଓ ଏହି ମିଶନରେ କାମ କରୁଥିବା ସମସ୍ତ ସଦସ୍ୟଙ୍କ ପ୍ରୟାସକୁ ଶ୍ରେୟ ଦେଇଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂ । ଏକ ଭିଡିଓ ବାର୍ତ୍ତାରେ ସେ ଏହି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଗାନ୍ଧିପାର୍କ ପଛପଟ ବେଳାଭୂମିଠାରୁ ହୋଟେଲ ମେ’ ଫେୟାର ପଛପଟ ମଡେଲ ବିଚ୍ ପର୍ଯ୍ୟନ୍ତ ୭୩୦ ମିଟର ଲମ୍ବ ୭୩ ମିଟର ପ୍ରସ୍ଥ ବ୍ଲୁ ଫ୍ଲାଗ୍ ବିଚ୍ ପ୍ରକଳ୍ପ ଅନ୍ତର୍ଗତ ଉନ୍ନୟନ କାମ ହୋଇଛି । ଷ୍ଟେନ୍ଲେସ୍ ଷ୍ଟିଲ୍ ଓ ବାଉଁଶ ବ୍ୟବହାର କରି ପୁରୁଷଙ୍କ ନିମନ୍ତେ ୩ଟି ଶୌଚାଳୟ, ୫ଟି ପରିସ୍ରାଗାର ସମେତ ମହିଳାଙ୍କ ନିମନ୍ତେ ୬ଟି ପରିସ୍ରାଗାର ଓ ଶୌଚାଳୟ ନିର୍ମାଣ ହୋଇଛି । ପୁରୁଷ ଓ ମହିଳାଙ୍କ ନିମନ୍ତେ ୩ଟି ଲେଖାଏଁ ବସ୍ତ୍ର ବଦଳାଇବା ଗୃହ ନିର୍ମାଣ ହୋଇଛି । ଗାଧୋଇବା ପାଣି, ପାଇଖାନା ଓ ପରିସ୍ରାଗାରରେ ବ୍ୟବହୃତ ପାଣିର ବିଶୋଧାନ ନିମନ୍ତେ ଟ୍ରିଟମେଣ୍ଟ ପ୍ଲାଣ୍ଟ ହୋଇଛି । ୪୦ କିଲୋୱାଟ୍ର ସୋଲାର ପ୍ଲାୱାର ପ୍ଲାଣ୍ଟରୁ ଆଲୁଅ ଜଳିବା ବ୍ୟବସ୍ଥା ହୋଇଛି । ପାନୀୟ ଜଳ ପାଇଁ ପୁ୍ୟରିଫାୟାର ଲାଗିଛି । ୫୦ଟି ଷ୍ଟେନ୍ଲେସ୍ ଷ୍ଟିଲ୍ ଡଷ୍ଟବିନ୍ ଲାଗିଛି । କାଠ ଓ ବାଉଁଶରେ ତିଆରି ୮ ଟି ବେଞ୍ଚ ପଡ଼ିଛି । କାଠ ଓ ବାଉଁଶ ତିଆରି ଛତା ପୋତା ଯାଇଛି । ଆରମ କରିବା ନିମନ୍ତେ ୮ଟି ସ୍ୱତନ୍ତ୍ର ଚେୟାର ପଡ଼ିଛି । ସମ୍ପୃକ୍ତ ଅଞ୍ଚଳକୁ ଆଲୋକିତ କରିବା ନିମନ୍ତେ ୫୦ଟି ଏଲ୍ଇଡି ଲାଗିଥିବା ଷ୍ଟ୍ରିଲ ଲାଇଟ୍ ବ୍ୟବସ୍ଥା ହୋଇଛି । ଆଉଟଡୋର ଫିଟନେସ୍ ବା ଜିମ୍ ରହିଛି । ଚିଲଡ୍ରେନ୍ ପାର୍କ ରହିଛି । ଦିବ୍ୟାଙ୍ଗଙ୍କ ଚଳାଚଳ ନିମନ୍ତେ ଆମ୍ଫିବିୟସ ହୁଇଲ୍ ଚେୟାର ରହିଛି । ସୁରକ୍ଷା ନିମନ୍ତେ ବହୁ ସଂଖ୍ୟାରେ ସିସିଟିଭି ଲଗାଯାଇଛି ଓ କଣ୍ଟେ୍ରାଲ ରୁମ୍ ରହିଛି । ନିରୀକ୍ଷଣ ନିମନ୍ତେ ୱାଚ୍ ଟାୱାର କରାଯାଇ ଗାର୍ଡ ମୁତୟନ କରାଯାଇଛି । ସଫେଇ ମେସିନ୍ ରହିଛି ।
ସୂଚନା ଫଳକ, ବେଳାଭୂମି ମ୍ୟାପ୍, ସଚେତନତା ବୋର୍ଡ, ପରିବେଶ ଶିକ୍ଷା ଓ ସୁରକ୍ଷା ବାର୍ତ୍ତା ବୋର୍ଡ ଲଗାଯାଇଛି । ବାଇନାକୁଲାର ସହ ଲାଇଫ୍ ଗାର୍ଡ ଓ ସିକୁ୍ୟରିଟି ଗାର୍ଡ ମୁତୟନ କରାଯାଇଛି । ସମୁଦ୍ର ସ୍ନାନ ନିମନ୍ତେ ସମସ୍ତ ପ୍ରକାର ସୁରକ୍ଷା ଉପକରଣ ରଖାଯାଇଛି । ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ଓ କମ୍ପୋଷ୍ଟ ୟୁନିଟ୍ କାମ କରୁଛି ।
ସୂଚନା ଅଧିକାର ତଥ୍ୟ ମୁତାବକ ଏହି ବ୍ଲୁ ଫ୍ଲାଗ୍ ବିଚ୍ର ଶିଳା ମୂର୍ତ୍ତି ନିର୍ମାଣରେ ୨୭ ଲକ୍ଷ ୮୭ ହଜାର ୨୫୫ ଟଙ୍କା, ତାଜା ଜଳ ଯୋଗାଣ ନିମନ୍ତେ ୧୧ ଲକ୍ଷ ୨୦ ହଜାର ୭୦୯ ଟଙ୍କା, ବାଡ଼ ନିର୍ମାଣରେ ୧ କୋଟି ୩୦ ଲକ୍ଷ ୭୦ ହଜାର ୩୪୮ ଟଙ୍କା, ୨୦ କିଲୋୱାଟ ସପ୍ଲାଇ ଏଲ୍ଟି ଲାଇନ୍ ନିର୍ମାଣରେ ୪ ଲକ୍ଷ ୨୩ ହଜାର ୬୭୯ ଟଙ୍କା, ପାର୍କିଂ ସ୍ଥଳ ନିର୍ମାଣରେ ୫୯ ହଜାର ୪୪ ହଜାର ୧୨୧ ଟଙ୍କା, ପଦାଚଲା ରାସ୍ତା ଓ ଜଗିଂ ଟ୍ରାକ୍ ନିର୍ମାଣରେ ୪୮ ଲକ୍ଷ ୫ ହଜାର ୯୭ ଟଙ୍କା, ରାସ୍ତା ସମେତ ବୃକ୍ଷରୋପଣ, ସୁନ୍ଦର ଜିନିଷ ତିଆରି କରିବା ୩୬ ଲକ୍ଷ ୬୪ ହଜାର ୨୫୨ ଟଙ୍କା, ସିସିଟିଭି ଲଗାଇବାରେ ୪ ଲକ୍ଷ ୨୮ ହଜାର ୭୫୩ ଟଙ୍କା ଖର୍ଚ୍ଚ ହୋଇଛି । ଏହା ବାଦ୍ ପାର୍କିଂ, ଦିବ୍ୟାଙ୍ଗଙ୍କ ସୁବିଧା ନିମନ୍ତେ ପ୍ରାୟ ଆଢେ଼ଇ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ହାସଲ ନିମନ୍ତେ ଥିବା ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ପରେ ଏବେ ଏହା ଲୋକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଛି । ବାଙ୍କି ମୁହାଣ ପାଖରେ ହୃଦୟ ପାର୍କ, ଏହାକୁ ଲାଗି ବ୍ଲୁ ଫ୍ଲାଗ ବିଚ୍ ଓ ଏହାକୁ ଲାଗି ଗାନ୍ଧି ପାର୍କ ପୁରୀ ଆସୁଥିବା ପର୍ଯ୍ୟଟକଙ୍କୁ ସମୟ ଅତିବାହିତ କରିବାର ଖୋରାକ ଯୋଗାଇବ । ହୃଦୟ ପାର୍କକୁ ଲାଗି ନୀଳାଦ୍ରି ବିଚ୍ ପ୍ରକଳ୍ପ ଆରମ୍ଭ କରିବାକୁ ପଦକ୍ଷେପ ଆରମ୍ଭ ହୋଇଛି ।
ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷ ପ୍ରକାଶ କରି ଟୁଇଟ୍ କରି କହିଛନ୍ତି ଯେ ଏହା ଆମ ପାଇଁ ଗୌରବର ବିଷୟ । ପୁରୀର ସ୍ୱର୍ଣ୍ଣାଭ ବେଳାଭୂମି ପର୍ଯ୍ୟଟକଙ୍କୁ ବିଶ୍ୱସ୍ତରୀୟ ସେବା ଓ ସୁବିଧା ଯୋଗାଇଦେବ । ଏହା ବିଶ୍ୱର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ । ଆଗାମୀ ଦିନରେ ହେବାକୁ ଥିବା ବିଶ୍ୱ ଐତିହ୍ୟ ନଗରୀ ପୁରୀକୁ ଅଧିକ ପର୍ଯ୍ୟଟକ ଆସିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons