ଉଚ୍ଛେଦକୁ ମିଳିଲାନି ରହିତାଦେଶ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ପୁରୀରେ ଚାଲିଥିବା ଉଚ୍ଛେଦ ଅଭିଯାନ ଉପରେ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ମନା ଦେଇଛନ୍ତି । ଜଷ୍ଟିସ୍ ଅରୁଣ ମିଶ୍ର, ଜଷ୍ଟିସ୍ ଏମ୍.ଆର୍. ଶାହା ଏବଂ ଜଷ୍ଟିସ୍ ଗାଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ନେଇ ଆଗତ ଦୁଇଟି ମାମଲାର ଶୁଣାଣି କରି ଆମିକସ୍ କ୍ୟୁରୀ ଓ ସଲିସିଟର ଜେନେରାଲ୍ଙ୍କୁ ପୁରୀ ପରିଦର୍ଶନ କରି ମତ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବ । ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ପାଇଁ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି କ୍ରମେ ମେଘନାଦ ପାଚେରି ଚତୁଃପାଶ୍ୱର୍ରେ ୭୫ ମିଟର ଭିତରେ ସମସ୍ତ ଉଚ୍ଛେଦ କରାଯାଉଛି । କ୍ୟାବିନେଟ୍ ନିଷ୍ପତ୍ତିକୁ ରଦ୍ଦ ଓ ଉଚ୍ଛେଦ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ରୁଜୁ ୨ଟି ମାମଲା ଉପରେ ଆଜି ଶୁଣାଣି ହୋଇଥିଲା । ଏଥିସହ ଶ୍ରୀମନ୍ଦିର ସଂସ୍କାର ପାଇଁ ମୂଳ ମାମଲା ରୁଜୁ କରିଥିବା ମୃଣାଳିନୀ ପାଢ଼ୀଙ୍କ ପକ୍ଷରୁ ଏକ ମିସ୍ କେସ୍ ମଧ୍ୟ ରୁଜୁ ହୋଇଥିଲା । ତେବେ ଉଚ୍ଛେଦ ଉପରେ ସ୍ଥଗିତାଦେଶ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଦେଇଛନ୍ତି ।ପୁରୀରେ ଉଚ୍ଛେଦ ବନ୍ଦ କରିବା ପାଇଁ ପ୍ରଥମ ମାମଲା ରୁଜୁ କରିଥିଲେ ଇଣ୍ଟର କଣ୍ଟିନେଣ୍ଟାଲ୍ ଲୟର୍ସ ଆସୋସିଏସନର ମୁଖ୍ୟ ଆଡଭୋକେଟ୍ ଦେବାଶିଷ ମିଶ୍ର । ସେ ଏ ନେଇ ସୁପ୍ରିମକୋର୍ଟରେ ରିଟ୍ ପିଟିସନ୍ ସିଭିଲ୍ ୧୦୯୪/୨୦୧୯ ରୁଜୁ କରିଥିଲେ । ପୁରୀରେ ଚାଲିଥିବା ଉଚ୍ଛେଦ ଅଭିଯାନ ବେଆଇନ୍ ଓ ଏହା ସୁପ୍ରିମକୋର୍ଟଙ୍କ ରାୟର ଅବମାନନା କରୁଛି । ଏ ନେଇ ଓଡ଼ିଶା କ୍ୟାବିନେଟ୍ରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ରଦ୍ଦ କରାଯାଉ ବୋଲି ଦେବାଶିଷ ଦର୍ଶାଇଥିଲେ । ସେ ମୁଖ୍ୟ ଶାସନ ସଚିବ, ପୁରୀ ଜିଲ୍ଲାପାଳ, ଏସ୍ପି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ୧୬ ଜଣଙ୍କୁ ପକ୍ଷଭୁକ୍ତ କରିଥିଲେ । ଆଜି କୋର୍ଟ ନମ୍ବର ୪ରେ ଜଷ୍ଟିସ୍ ଅରୁଣ ମିଶ୍ର, ଜଷ୍ଟିସ୍ ଏମ୍.ଆର୍. ଶାହା ଏବଂ ଜଷ୍ଟିସ୍ ଗାଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଦ୍ୱିତୀୟ ମାମଲା ରୁଜୁ କରିଥିଲେ ଚେନ୍ନାଇର ସମାଜସେବୀ ଶାହି ଦିବାକର । ସେ ମଧ୍ୟ ଉଚ୍ଛେଦ ବନ୍ଦ କରିବାକୁ ପ୍ରାର୍ଥନା କରିଥିଲେ । ଶାହି ଦିବାକର ପୂର୍ବରୁ କେରଳର ସାବରିମାଲା ମନ୍ଦିର ସମ୍ପର୍କରେ ଏକ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ରୁଜୁ କରି ଚର୍ଚ୍ଚାକୁ ଆସିଥିଲେ ।ଶୁଣାଣିବେଳେ ଓଡ଼ିଶା ଆଡଭୋକେଟ୍ ଜେନେରାଲ୍ ଅଶୋକ ପରିଜା କହିଥିଲେ ଯେ, ରାଜ୍ୟ ସରକାର ଆଇନ ଅନୁଯାୟୀ ଉଚ୍ଛେଦ କରୁଛନ୍ତି । କୌଣସି ବ୍ୟକ୍ତିଙ୍କ ବାସଗୃହ କିମ୍ବା ଘରୋଇ ସମ୍ପତ୍ତି ଉଚ୍ଛେଦ କରାଯାଇନାହିଁ । ଆଗକୁ ମଧ୍ୟ ଆଇନ ଅନୁଯାୟୀ ଉଚ୍ଛେଦ ଅଭିଯାନ ଜାରି ରହିବ ବୋଲି ଶ୍ରୀ ପରିଜା ଖଣ୍ଡପୀଠଙ୍କୁ ଜଣାଇଥିଲେ ।ଶ୍ରୀମନ୍ଦିର ସଂସ୍କାର ମାମଲାର ମୂଳ ଆବେଦନକାରିଣୀ ମୃଣାଳିନୀ ପାଢ଼ୀଙ୍କ ମିସ୍ କେସ୍ ଉପରେ ଖଣ୍ଡପୀଠ ମଧ୍ୟ ଶୁଣାଣି କରିଥିଲେ । ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟା କିପରି ଚାଲିଛି ତାହା ଦେଖିବା ପାଇଁ ଖଣ୍ଡପୀଠ ଆମିକସ୍ କ୍ୟୁରୀ ରଣଜିତ୍ କୁମାର ଓ ସଲିସିଟର ଜେନେରାଲ୍ ତୁଷାର ମେହେଟାଙ୍କୁ ପୁରୀ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ହେବ ବୋଲି ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons