ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଠିକା କର୍ମଚାରୀଙ୍କ ଧାରଣା, ୧୦ମାସ ହେଲା ମିଳିନି ଦରମା

Get real time updates directly on you device, subscribe now.

ପୁରୀ : ୧୦ ମାସ ଧରି ଦରମା ନମିଳିବାରୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟଠାରେ ଅହୋରାତ୍ର ଧାରଣାରେ ବସିଛନ୍ତି ମେଡ଼ିକାଲ ଠିକା କର୍ମଚାରୀ । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ନିଯୁକ୍ତ ଏହି ଠିକା କର୍ମଚାରୀମାନେ ଦରମା ନପାଇ ମଧ୍ୟ ଡ଼ାକ୍ତରଖାନାରେ ଡ଼୍ୟୁଟି କରୁଛନ୍ତି । ଧାରଣାରେ ବସିଥିବା ଏହି ଠିକା କର୍ମଚାରୀଙ୍କୁ ଆଜି ଭେଟିଛନ୍ତି କଂଗ୍ରେସ ପ୍ରତିନିଧିମଣ୍ତଳୀ । ତେବେ ଏହି ଠିକା କର୍ମଚାରୀମାନଙ୍କୁ ନିର୍ମଳ ଯୋଜନାରେ ଖୁବ୍ ଶୀଘ୍ର ନିଯୁକ୍ତି ଦେବା ପାଇଁ ଉଦ୍ୟମ କରାଯାଉଥିବା କହିଛନ୍ତି ଜିଲ୍ଲାପାଳ।
ପୁରୀ ବଡ଼ ଡ଼ାକ୍ତରଖାନାର ୧୩୦ ରୁ ଉର୍ଦ୍ଧ ଠିକା କର୍ମଚାରୀ ଗତ ୧୦ ମାସ ଧରି ଦରମା ପାଇନଥିବା ଅଭିଯୋଗ କରି ଅହୋରାତ୍ର ଧାରଣାରେ ବସିଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ନିଯୁକ୍ତ ଆଟେଣ୍ତାଣ୍ଟ, ଆଟେଣ୍ତାଣ୍ଟ କମ୍ ସୁଇପର, ଇଲେକ୍ଟ୍ରିସିଆନ, ଡ଼୍ରାଇଭର, ଗ୍ୟାସ ଟେକ୍ନିସିଆନ୍, ଇସିଜି ଟେକ୍ନିସିଆନ୍, ହେଲ୍ପଡ଼େସ୍କ, ଲିଫ୍ଟମ୍ୟାନ୍, କମ୍ପ୍ୟୁଟର ସହାୟକ, ଧୋବା, ସ୍ଥାସ୍ଥ୍ୟମିତ୍ର କର୍ମଚାରୀମାନେ ଦରମା ନପାଇ ମଧ୍ୟ ଡ଼ାକ୍ତରଖାନାରେ ଡ଼୍ୟୁଟି କରୁଥିବା ସହ ଧାରଣାରେ ବସିଥିବା କହିଛନ୍ତି। ଡ଼ାକ୍ତରଖାନା ଗୁଡ଼ିକରୁ ୟୁଜର୍ସ ଫି ଆଦାୟ ବନ୍ଦ କରିଦିଆଯିବା ପରେ ସେମାନଙ୍କୁ ଦରମା ଦିଆଯାଉନଥିବା ଜଣାପଡ଼ିଛି। ତେବେ ଡ଼ାକ୍ତରଖାନାରେ ୬୨ ଟି ପୋଷ୍ଟ ଖାଲି ପଡ଼ିଥିବା ବେଳେ ସେଥିରେ ସେମାନଙ୍କୁ ନିଯୁକ୍ତି ଦେବାକୁ କର୍ମଚାରୀ ମାନେ ଦାବୀ କରିଛନ୍ତି।
ତେବେ ଆଜକୁ ୪ ଦିନ ଧରି ଅହୋରାତ୍ର ଧାରଣାରେ ବସିଥିବା ଏହି ଅସ୍ଥାୟୀ କର୍ମଚାରୀଙ୍କୁ ଭେଟିଛନ୍ତି କଂଗ୍ରେସ ପ୍ରତିନିଧିମଣ୍ତଳୀ। ପିସିସି ମୁଖପାତ୍ର ସତ୍ୟପ୍ରକାଶ ନାୟକଙ୍କ ନେତୃତ୍ୱରେ ଯୁବ ଓ ଛାତ୍ର କଂଗ୍ରାସର ପ୍ରତିନିଧିମଣ୍ତଳୀ ଧାରଣାରତ ଅସ୍ଥାୟୀ କର୍ମଚାରୀଙ୍କ ସହ ଧାରଣାସ୍ଥଳରେ ବସିଥିଲେ। ପରେ ସେମାନେ ସିଡ଼ିଏମଓ କାର୍ୟ୍ୟାଳୟକୁ ଯାଇଥିଲେ ହେଁ ପୋଲିସ ସେମାନଙ୍କୁ ବାଧା ଦେଇଥିଲା। ପରେ ୪ ଜଣିଆ ପ୍ରତିନିଧି ମଣ୍ତଳୀ ସିଡ଼ିଏମଓଙ୍କୁ ଭେଟି ଆଲୋଚନା କରିଛନ୍ତି। ଠିକା ସଂସ୍ଥା ଅଧିନରେ କାର୍ୟ୍ୟ କରୁଥିବା ଏହି ଅସ୍ଥାୟୀ କର୍ମଚାରୀ ୧୦ ମାସର ଦରମା ପାଇନଥିବା ବେଳେ ସେମାନଙ୍କୁ ଅନ୍ୟ ଯୋଜନାରେ ଖୁବ୍ ଶୀଘ୍ର ଥଇଥାନ କରାଯିବ ବୋଲି ଉଭୟ ଜିଲ୍ଲାପାଳ ଓ ସିଡ଼ିଏମଓ ପ୍ରତିଶୃତି ଦେଇଛନ୍ତି।
ଗତ କିଛିଦିନ ତଳେ ଏନ୍ଏଚ୍ଆରଏମ୍ ମିଶନ ନିର୍ଦ୍ଦେଶିକା ଶାଲିନ୍ ପଣ୍ତିତ ପୁରୀ ହସପିଟାଲକୁ ଆସିଥିବା ବେଳେ ଏହି ଠିକାକର୍ମଚାରୀ ମାନେ ତାଙ୍କୁ ଅଟକାଇ ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ତେଣୁ ବାଧ୍ୟ ହୋଇ ଏହି କର୍ମଚାରୀ ମାନେ ଆନ୍ଦୋଳନର ପନ୍ଥା ଗ୍ରହଣ କଲେ। ତେବେ ଖୁବ୍ ଶୀଘ୍ର ଜିଲ୍ଲାପାଳ ତାଙ୍କ ପ୍ରତିଶୃତି ପୁରଣ ନକଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଏହି କର୍ମଚାରୀ ମାନେ ଚେତାବନୀ ଦେଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons