ପୁଲିସକୁ ମାଡ଼ ମାରି ବନ୍ଧୁକ ଛଡ଼ାଇ ନେଲେ

Get real time updates directly on you device, subscribe now.

ନାଉଗାଁ,(ବି.ବି.ନୁ୍ୟଜ୍): ପୁରୀ ଜିଲ୍ଲା କାକଟପୁର ଅଞ୍ଚଳ ପାଲଟିଛି ଅପରାଧୀଙ୍କ ଆଡ୍ଡାସ୍ଥଳ । ଅପରାଧୀମାନେ ଏଠାରେ ବିଭିନ୍ନ ସମୟରେ ନାନା କାଣ୍ଡ ଘଟାଉଥିବା ବେଳେ ଆଜି କେତେକ ଜୁଆଡ଼ି ଓ ସେମାନଙ୍କ ସମର୍ଥକ ଜଣେ ପୁଲିସ ଏଏସ୍ଆଇଙ୍କୁ ନିସ୍ତୁକ ମାଡ଼ ମାରି ତାଙ୍କ ସର୍ଭିସ୍ ରିଭଲଭର ଛଡ଼ାଇ ଫେରାର ହୋଇ ଯାଇଛନ୍ତି । ଧରା ପଡ଼ିଥିବା ୩ ଦୁର୍ବୃତ୍ତଙ୍କ ମଧ୍ୟରେ ଜଣେ ଜଗତସିଂହପୁର ଜିଲ୍ଲା ନାଉଗାଁ ଅଞ୍ଚଳର ଜଣେ ସରପଞ୍ଚ, ତାଙ୍କ ପ୍ରତିନିଧି ଓ ଅନ୍ୟ ଜଣେ ଠିକାଦାର ଅଛନ୍ତି ।
ଅଭିଯୁକ୍ତମାନଙ୍କ ଆକ୍ରମଣରେ ଏଏସ୍ଆଇ ଓ ଜଣେ ହୋମ୍ଗାର୍ଡ ଗୁରୁତର ଆହତ ହୋଇଛନ୍ତି । ଅପରପକ୍ଷରେ ପୁଲିସ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୪ ଜଣ ଜୁଆଡ଼ିଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୪ ଜୁଆଡ଼ି ଫେରାର ହୋଇ ଯାଇଛନ୍ତି । ଗିରଫ ଜୁଆଡ଼ିଙ୍କ ଠାରୁ ନଗଦ ୧୨,୩୫୦ ଟଙ୍କା ଓ ୮ଟି ମୋବାଇଲ ଜବତ ହୋଇଛି । ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା । ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଦେବୀ ଦ୍ୱୀପାଞ୍ଚଳ ଭଣ୍ଡିସାହି ଗ୍ରାମର ନରେଶ ସ୍ୱାଇଁଙ୍କ ଘରେ ଜୁଆ ଆଡ୍ଡା ଚାଲିଥିବା ନେଇ କାକଟପୁର ପୁଲିସ ଖବର ପାଇ ସେଠାରେ ଅଚାନକ ଚଢ଼ଉ କରିଥିଲା । ଚଢ଼ଉ କାଳରେ ୪ ଜଣ ଜୁଆଡ଼ି ଧରାପଡ଼ିଥିବା ବେଳେ ଅନ୍ୟ ୪ ଜଣ କୌଶଳକ୍ରମେ ଖସି ଯାଇଥିଲେ । ପୁଲିସ ଧରାପଡ଼ିଥିବା ଜୁଆଡ଼ିଙ୍କ ଠାରୁ ନଗଦ ୧୨,୩୫୦ ଟଙ୍କା, ୮ଟି ମୋବାଇଲ ଓ ତାସ୍ ଜବତ କରି ସେମାନଙ୍କୁ ଗାଡ଼ିରେ ବସାଇ ଥାନାକୁ ଆଣିଥିଲା । ବାଟରେ ଫେରାର୍ ୪ ଜୁଆଡ଼ି ଓ କେତେକ ବାହୁବଳୀ ନେତା ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେଥିରେ ବିଫଳ ହୋଇଥିଲେ ।
ଗାଡ଼ି ପଛରେ ଥାନା ଏଏସ୍ଆଇ ସୂର୍ଯ୍ୟମଣି ମାଝି ଓ ହୋମ୍ଗାର୍ଡ ପ୍ରମୋଦ କାଣ୍ଡି ବାଇକ୍ରେ ଆସୁଥିଲେ । ସମ୍ପୃକ୍ତ ଦୁର୍ବୃତ୍ତମାନେ ସେମାନଙ୍କୁ ଅଟକାଇ ନିସ୍ତୁକ ମାଡ଼ ମାରିବା ସହ ଏଏସ୍ଆଇ ଶ୍ରୀ ମାଝିଙ୍କ ସର୍ଭିସ୍ ରିଭଲଭର ଓ ମୋବାଇଲ୍ ଛଡ଼ାଇ ନେଇଥିଲେ । ଏଏସ୍ଆଇଙ୍କ ପଛରେ ଆସୁଥିବା କାକଟପୁର ଥାନା ଆଇଆଇସି ସୁଜିତ କୁମାର ଦାସ ଓ ହାବିଲଦାର ଦୁର୍ଗାଚରଣ ମହାନ୍ତି ଏହା ଦେଖି ଗୁରୁତର ଆହତ ଶ୍ରୀ ମାଝି ଓ ଶ୍ରୀ କାଣ୍ଡିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିଲେ । ଏହା ପରେ ଆଇଆଇସି ଓ ପୁଲିସ କର୍ମଚାରୀମାନେ ଖୋଜାଖୋଜି କରି ୩ ଦୁର୍ବୃତ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।
ଖବର ପାଇ ପୁରୀ ଏସ୍ପି ଅଖିଳେଶ୍ୱର ସିଂ ଓ ନିମାପଡ଼ା ଏସ୍ଡିପିଓ ପ୍ରଦୀପ୍ତ ଦଳାଇ କାକଟପୁର ଥାନାରେ ପହଞ୍ଚô ଘଟଣାର ସରଜମିନ ତଦନ୍ତ କରିଛନ୍ତି । ଫେରାର ଜୁଆଡ଼ି ଓ ସେମାନଙ୍କ ସମର୍ଥକଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଚଢ଼ଉ ଜାରି ରହିଛି । ଏହି ଘଟଣା ଉକ୍ତ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons