ନବରଙ୍ଗପୁର,(ବି.ବି.ନୁ୍ୟଜ୍): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର କୋଡିଙ୍ଗା ତହସିଲରେ ମକା ପ୍ରୋସେସିଂ ପ୍ଲାଣ୍ଟ ଜମିକୁ ନେଇ ପୁଣି ଚାପା ଉତ୍ତେଜନା । ମୁହାଁମୁହିଁ ହୋଇଛନ୍ତି ପୁଲିସ୍ ଓ ଗ୍ରାମବାସୀ । ଜମିକୁ ବିରୋଧ କରି ଗ୍ରାମବାସୀଙ୍କ ତରଫରୁ ଆନେ୍ଦାଳନର ନେତୃତ୍ୱ ନେଉଥିବା ଆଦିବାସୀ ଅଧିକାର ମଞ୍ଚର ରାଜ୍ୟ ସଂପାଦକ ସାଲୋ ମାରାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲା ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚର ସଂପାଦକ ରାଜେଶ ଜାନୀଙ୍କ ସମେତ ଗାଁର ୧୦ ଜଣଙ୍କୁ ଆଜି ଟାଉନ୍ ପୁଲିସ୍ ବାଟରୁ ଉଠାଇନେବା ପରେ ତାତି ଉଠିଥିଲେ ଶହ ଶହ ଗ୍ରାମବାସୀ । ଟାଉନ୍ ଥାନା ଘେରାଉ କରିବା ସହ ଦୀର୍ଘ ୩ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ ।
କୋଡ଼ିଙ୍ଗା ତହସିଲ ଅଧୀନରେ ଥିବା ବାମୁଣିଗାଁର ଶତାଧିକ ମହିଳା ଓ ପୁରୁଷ ମକା ପ୍ରୋସେସିଂ ପ୍ଲାଣ୍ଟ ଜମି ହସ୍ଥାନ୍ତରକୁ ବିରୋଧ କରି ଆଜି ଜିଲ୍ଲାପାଳଙ୍କୁ ଭେଟିବା ସହ ଦାବିପତ୍ର ଦେବାର ଥିଲା । ଏଥିଲାଗି ୬ଟି ଭ୍ୟାନ୍ ଏବଂ ୨ଟି ମିନି ଟ୍ରକ୍ରେ ସେମାନେ ଆସୁଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ଆଗରୁ ବାଟରେ ସେମାନଙ୍କୁ ଅଟକାଇ ଦେଇଥିଲା ଟାଉନ୍ ପୁଲିସ୍ । ଗାଡ଼ିଗୁଡ଼ିକୁ ଅଟକାଯିବା ପରେ ଶତାଧିକ ମହିଳା ଓ ପୁରୁଷ ଚାଲି ଚାଲି ଜିଲ୍ଲା ସଦର ମହକୁମାକୁ ଆସିଥିଲେ । ଆନେ୍ଦାଳନର ନେତୃତ୍ୱ ନେଉଥିବା କେତେକ ନେତାଙ୍କ ସମେତ ଗାଁର ୧୦ ଜଣଙ୍କୁ ଟାଉନ୍ ପୁଲିସ୍ ଥାନାକୁ ଉଠାଇ ନେଇଥିଲା । ଏହାପରେ ଉତ୍ତେଜିତ ହୋଇପଡ଼ିଥିଲେ ଲୋକେ । ନେତାମାନଙ୍କୁ ତୁରନ୍ତ ଛାଡିବା ଦାବିରେ ଟାଉନ୍ ଥାନା ଘେରାଉ କରିଥିଲେ । ଥାନାର ଫାଟକ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍ ସେମାନଙ୍କୁ ଅଟକାଇ ଦେଇଥିଲା । ଏହାପରେ ଆଦିବାସୀ ମହିଳା ଓ ପୁରୁଷମାନେ ୨୬ନଂ ଜାତୀୟ ରାଜପଥକୁ ଦୀର୍ଘ ୩ ଘଣ୍ଟା ଧରି ଅବରୋଧ କରିଥିଲେ । ଶହ ଶହ ଗାଡ଼ି ଅଟକି ରହିବା ପରେ ଅନ୍ୟ ଉପାୟ ନପାଇ ପୁଲିସ୍ ନେତାମାନଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲା । କିନ୍ତୁ ଜିଲ୍ଲା ଆଦିବାସୀ ଅଧିକାରୀ ମଞ୍ଚର ସଂପାଦକ ରାଜେଶଙ୍କୁ ଛାଡିନଥିଲା । ଏହାର ପ୍ରତିବାଦରେ ଗାଁର ମହିଳାମାନେ ଜାତୀୟ ରାଜପଥ ଉପରେ ଶୋଇ ରହିଥିଲେ । ଶେଷରେ ପହଞ୍ଚିଥିଲେ ଉପଜିଲ୍ଲାପାଳ ଭାସ୍କର ରଇତ ଏବଂ ଏସ୍ପି ନୀତିନ କୁଶଲକର । ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ରାଜପଥରୁ ହଟାଇଥିଲେ । କିନ୍ତୁ ନିଜ ଜିଦ୍ରେ ଅଟଳ ରହିଥିଲେ ଆନେ୍ଦାଳନକାରୀ । ରାଜେଶଙ୍କୁ ନ ଛାଡିବା ପର୍ଯ୍ୟନ୍ତ ଥାନା ଆଗରୁ ହଟିବେ ନାହିଁ ଜିଦ୍ ଧରିଥିଲେ । ଖବର ଲେଖାହେବା ଅର୍ଥାତ୍ ରାତି ୮ଟା ପର୍ଯ୍ୟନ୍ତ ଶତାଧିକ ଲୋକ ଥାନା ଆଗରେ ବସି ରହିଥିଲେ ।
ଏ ସଂପର୍କରେ ଉପଜିଲ୍ଲାପାଳ ଶ୍ରୀ ରଇତଙ୍କୁ ପଚାରିବାରୁ ସେ କହିଛନ୍ତି, ଦାବିପତ୍ର ଦେବାକୁ ହଜାରେ ଲୋକ ଏକାଦିକ ଗାଡ଼ିରେ ଆସୁଥିଲେ । କୋଭିଡି ନିୟମ ଉଲ୍ଲଂଘନ କରିଥିଲେ । ଦାବିପତ୍ର ଦେବାଲାଗି ଶତାଧିକ ଲୋକଙ୍କୁ ଆସିବା ଲାଗି ପ୍ରଶାସନ ଅନୁମତି ଦେଇନଥିଲା । ଅନ୍ୟପକ୍ଷରେ ଯେଉଁ ଜମି କଥା କୁହାଯାଉଛି, ତାହା ସଂପୂର୍ଣ୍ଣ ସରକାରୀ ଜମି । ତେଣୁ ପୁଲିସ୍ ବାଧ୍ୟହୋଇ ପଦକ୍ଷେପ ନେଇଥିଲା । ଚାଷୀଙ୍କ ସ୍ୱାର୍ଥ ପାଇଁ ସେଠାରେ ମକା ପ୍ରୋସେସିଂ ପ୍ଲାଣ୍ଟ ପାଇଁ ବେସରକାରୀ କମ୍ପାନିକୁ ଜମି ହସ୍ଥାନ୍ତର କରାଯାଇଥିବା ସେ କହିଛନ୍ତି ।
ସୂଚନାଥାଉକି, ୨ ବର୍ଷ ତଳେ କୋଡିଙ୍ଗା ତହସିଲର ବାମୁଣି ଗାଁରେ ୧୬୦ ଏକର ଜମିକୁ ଜିଲ୍ଲାପ୍ରଶାସନ ଇଡ୍କୋକୁ ହସ୍ତାନ୍ତର କରିଥିଲା । ସେଥିରୁ ୫୨ ଏକର ଜମିକୁ ଏବେ ଆନ୍ଧ୍ରପ୍ରଦେଶର ବାୟୋଟେକ୍ ପ୍ରାଇଭେଟ୍ ଲିମିଟେଡକୁ ମକା ପ୍ରୋସେସିଂ ପ୍ଲାଣ୍ଟକୁ ଦିଆଯାଇଛି । ବାମୁଣୀ ଗାଁର ପଦ୍ମଲୋଚନ ବିଷୋୟୀ, ଯୁଧିÂିର ରନ୍ଧାରୀ, ଏମ୍. ଚଲାଣ, କମଲୋଚନ ଭତ୍ରା, ହରେଶ ରନ୍ଧାରୀ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ଉକ୍ତ ଜମି ଜଙ୍ଗଲ କିସମର । ସେହି ଜମିରେ ସେମାନେ ପୁରୁଷ ପୁରୁଷ ଧରି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିଆସୁଥିଲେ । ଗାଁର ୪୦ଜଣ ଆଦିବାସୀଙ୍କୁ ୨ ଏକ ଲେଖାଏଁ କରି ୮୦ ଏକର ଜମିରେ କାଜୁବଗିଚା କରି ସରକାର ଦେଇଥିଲେ । କମ୍ପାନିକୁ ଜମି ହସ୍ଥାନ୍ତର କରିବା ପାଇଁ ଜୋରଜବରଦସ୍ତ ପୁଲିସ ବଳ ଲଗାଇ ବେଆଇନ ଭାବେ ଜଙ୍ଗଲ ଓ କାଜୁ ଗଛ କାଟି ସଫା କରିଦିଆଗଲା । ଜମି ହସ୍ତାନ୍ତର ପୂର୍ବରୁ ଗ୍ରାମସଭା କିମ୍ବା ପଲ୍ଲୀସଭାଟିଏ ହେଲେ କରାଗଲାନି । ଏହା ସଂପୂର୍ଣ୍ଣ ବେଆଇନ । ପ୍ଲାଣ୍ଟ ନିର୍ମାଣ ପୂର୍ବରୁ ପଲ୍ଲିସଭା ଓ ଗ୍ରାମସଭା କରାଯାଉ ।
Comments are closed, but trackbacks and pingbacks are open.