ବାଲିଗୁଡ଼ା, (ବି.ବି.ନୁ୍ୟଜ୍): ପୁଲିସ ଇନ୍ଫର୍ମର ସନେ୍ଦହରେ ଘରୁ ଡାକି ଆଣି ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଗୁରୁବାର ରାତିରେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ଲେତିଙ୍ଗିଆ ପଞ୍ଚାୟତ ଗୁଡ଼ାମାହା ଗ୍ରାମରେ ଘଟିଛି ଏଭଳି କାଣ୍ଡ । ମୃତକ ରଞ୍ଜନ ଦିଗାଲଙ୍କ ନିକଟରେ ମାଓବାଦୀମାନେ ଏକ ହାତ ଲେଖା ଛାଡ଼ି ଯାଇଛନ୍ତି । ପୁଲିସ ଇନ୍ଫର୍ମର ସନେ୍ଦହରେ ତାଙ୍କୁ ହତ୍ୟା କରାଯାଇଥିବା ସେଥିରେ ଉଲ୍ଲେଖ ଥିବାବେଳେ କେକେବିଏନ୍ (କନ୍ଧମାଳ, କୋରାପୁଟ, ବୌଦ୍ଧ, ନୟାଗଡ଼) ଡିଭିଜନ ମାଓବାଦୀ ବୋଲି ଲେଖାରହିଛି ।
କିଛି ଦିନର ନିରବତା ପରେ ପୁଣି କନ୍ଧମାଳରେ ମାଓବାଦୀମାନେ ଏଭଳି ବର୍ବରକାଣ୍ଡ ଘଟାଇଛନ୍ତି । ଗତ ବିଳମ୍ବିତ ରାତିରେ ପ୍ରାୟ ୧୨ରୁ ୧୪ଜଣ ମାଓବାଦୀ ଗୁଡ଼ାମାହା ଗ୍ରାମର ରଞ୍ଜନଙ୍କ ଘରେ ପହଞ୍ଚିଥିଲେ । କବାଟ ନ ଖୋଲିବାରୁ ସୋମାନେ କବାଟ ଭାଙ୍ଗି ରଞ୍ଜନଙ୍କୁ ଘରୁ ମାଡ଼ମାରି ଘୋଷାରି ସ୍କୁଲ ସମ୍ମୁଖକୁ ଆଣି ଗୁଳିକରି ହତ୍ୟା କରିଥିଲେ । ରଞ୍ଜନଙ୍କୁ ମାରପିଟ୍ କରିବାବେଳେ ସ୍ତ୍ରୀ ମୀନାକ୍ଷୀ ପ୍ରତିବାଦ କରିବାରୁ ତାଙ୍କୁ ଏବଂ ତାଙ୍କର ଦୁଇ ପିଲାଙ୍କୁ ମଧ୍ୟ ମାଡ଼ ମାରିଥିଲେ । ରଞ୍ଜନଙ୍କୁ ମାରିଥିବା ସ୍ଥାନରେ କେକେବିଏନ୍ ମାଓସଙ୍ଗଠନର ହାତ ଲେଖା ପୋଷ୍ଟର ଛାଡିଯାଇଛନ୍ତି । ଏହି ପୋଷ୍ଟରରେ ଉଲ୍ଲେଖ ଅଛି ଯେ ବାଲିଗୁଡ଼ା ବ୍ଲକ ରେବିଙ୍ଗିଆ ପଞ୍ଚାୟତର ମାର୍ଦାଳି ଗ୍ରାମର ରଞ୍ଜନ ଦିଗାଳ କଂଗ୍ରେସ ପାର୍ଟି ସଦସ୍ୟ ସିପିଆଇ ମାଓବାଦୀ ପାର୍ଟି ବିରୋଧରେ କାର୍ଯ୍ୟ କରି ଆସୁଥିଲେ । ତାଙ୍କୁ ଜନଅଦାଲତରେ ବିଚାର କରିବାକୁ ଡାକିବାରୁ ଲୁଚି ପଳାଇ ଥିଲେ । ପୁଲିସ ସାଙ୍ଗରେ ରହି ଗାଁ ଲୋକଙ୍କୁ ଡରାଇବା ଓ ମେଲସିକିଆ ମହିଳା ମାଓବାଦୀଙ୍କ ଏନ୍କାଉଣ୍ଟର ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେଉଥିଲେ ।
ସୂଚନାଯୋଗ୍ୟ ଯେ ୨୦୧୭ରେ ବାଲିଗୁଡା ଥାନା ରେବିଙ୍ଗିଆ, ଦୁଲିକିଆ ଆଦି ଅଞ୍ଚଳରେ ମାଦୁଡ଼ି ଗ୍ରାମର ରଞ୍ଜନ ଓ କବିରାଜ ଦିଗାଳ ଦୁଇ ଜଣଙ୍କ ନାମରେ ପୋଷ୍ଟର ଜାରି କରିଥିଲା କେକେବିଏନ୍ ମାଓ ସଂଗଠନ । ସେମାନେ ଝିଅବୋହୂଙ୍କୁ ଅତ୍ୟାଚାର କରୁଥିବା ଓ ପୁଲିସ ଇନ୍ଫର୍ମର ସାଜିଥିବା ପ୍ରଜା କୋର୍ଟରେ ଆଲୋଚନା ହୋଇଥିଲା । ରଞ୍ଜନ ମାଓବାଦୀ ଭୟରେ ନିଜ ଗ୍ରାମ ଛାଡି ବୁଡ୍ରମାହା ଶ୍ୱଶୁର ଘରେ ପରିବାରଙ୍କୁ ନେଇ ରହୁଥିଲେ । ତାଙ୍କ ସ୍ତ୍ରୀ ମୀନାକ୍ଷୀ ପ୍ରଧାନ ବୁଡ୍ରମାହା ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି । ଘଟଣା ଘଟିବା ପରେ ଏହି ଅଞ୍ଚଳରେ କୋକୁଆଭୟ ଖେଳିଯାଇଛି । ଏନେଇ କ.ନୁଆଗାଁ ଥାନାରେ କେସ୍ ନମ୍ବର ୧/୨୦୨୦ରେ ମାମଲା ରୁଜୁ ହୋଇଛି । ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଆଇଆଇସି ଶ୍ରୀନିବାସ ସାମଲ ସୂଚନା ଦେଇଛନ୍ତି । ଏହି ଘଟଣାର ତଦନ୍ତ କରୁଛନ୍ତି ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ।


Comments are closed, but trackbacks and pingbacks are open.