ପୁଲିସ ଉପରେ ପୁଷ୍ପବର୍ଷା: ମିଠା, ବାଣରେ ସ୍ୱାଗତ

Get real time updates directly on you device, subscribe now.

ନୂଆଦିଲ୍ଲୀ: ହାଇଦ୍ରାବାଦ ପୀଡ଼ିତାଙ୍କୁ ଯେଉଁଭଳି ଭାବେ ପୋଡ଼ି ହତ୍ୟା କରାଯାଇଥିଲା, ତାହାକୁ ନେଇ ଦେଶବାସୀ ସ୍ତବ୍ଧ ହୋଇଯାଇଥିଲେ । ସବୁଠି ଥିଲା ଗୋଟିଏ ଦାବି, ଅଭିଯୁକ୍ତଙ୍କୁ ଫାଶୀ ଦିଅ । ତେବେ ବିଚାର ବ୍ୟବସ୍ଥାରେ ନ୍ୟାୟ ମିଳିବା ପୂର୍ବରୁ ଆଜି ହାଇଦ୍ରାବାଦ ପୁଲିସ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି । ଫଳରେ ନଭେମ୍ବର ୨୭ ତାରିଖରୁ କ୍ରୋଧର ନିଅାଁରେ ଜଳୁଥିବା ଦେଶବାସୀ ଆଜି ଶାନ୍ତ ପଡ଼ିଛନ୍ତି । ପୁଲିସର ଏଭଳି ଏନ୍କାଉଣ୍ଟରକୁ ସେମାନେ ସ୍ୱାଗତ କରିଛନ୍ତି । ପ୍ରଶଂସାରେ ପୋତି ପକାଇଛନ୍ତି ।
ସୋସିଆଲ ମିଡିଆରେ ଲୋକମାନେ ବିଭିନ୍ନ ବାର୍ତ୍ତା ଦେଇ ଖୁସି ଜାହିର କରିଛନ୍ତି । ଲୋକମାନେ ପୁଲିସକୁ ମିଠା ବାଣ୍ଟିବା ସହ ପୁଷ୍ପବର୍ଷା କରିଛନ୍ତି । ବିଭିନ୍ନ ରାଜ୍ୟର ସବୁ ସହରରେ ବାଣ ଫୁଟାଇ ଲୋକମାନେ ଏହାକୁ ସ୍ୱାଗତ କରିଛନ୍ତି । ପୀଡ଼ିତାଙ୍କ ପିତା ଏହି ଏନକାଉଣ୍ଟରକୁ ନେଇ ଖୁସି ଜାହିର କରିବା ସହ ଝିଅ ପ୍ରିୟଙ୍କାଙ୍କ ଆତ୍ମାକୁ ଶାନ୍ତି ମିଳିବ ବୋଲି କହିଛନ୍ତି । ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର ହୋଇଥିବା ନେଇ ଜାଣିବା ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳକୁ ଧାଇଁଥିଲେ ଏବଂ ପୁଲିସ କର୍ମଚାରୀଙ୍କୁ କାନ୍ଧରେ ଉଠାଇ ବୁଲାଇଥିଲେ ।
ଏନ୍କାଉଣ୍ଟର ସ୍ଥାନରେ ଲୋକେ ପୁଲିସଙ୍କ ଉପରେ ପୁଷ୍ପ ବର୍ଷା କରିବା ସହ ପୀଡ଼ିତାକୁ ନ୍ୟାୟ ଦେଇଥିବାରୁ କୃତଜ୍ଞତା ଜଣାଇଥିଲେ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପୁଷ୍ପ ବର୍ଷା ସମୟରେ ସେମାନେ ‘ଜୟ ପୁଲିସ’, ‘ହାଇଦ୍ରାବାଦ ପୁଲିସ ଜିନ୍ଦାବାଦ’, ‘କେସିଆର୍ ଜିନ୍ଦାବାଦ’ ଭଳି ସ୍ଲୋଗାନ ଦେଇଥିଲେ । ପୁଲିସ ଜଣେ ଭାଇ ଭଳି ନିଜର କର୍ତ୍ତବ୍ୟ ପାଳନ କରିଥିବାରୁ ବିଭିନ୍ନ ସ୍ଥାନରେ ମହିଳାମାନେ ପୁଲିସ ହାତରେ ରାଖି ବାନ୍ଧି ମିଠା ଖୁଆଇଥିଲେ ।
କେତେକ ପୁଲିସ ଅଫିସରଙ୍କୁ ଲୋକମାନେ କାନ୍ଧରେ ବସାଇ ବୁଲାଇଥିଲେ । ହାଇଦ୍ରାବାଦର ଏକ ଜନଗହଳି ସ୍ଥାନରେ ଛାତ୍ରୀମାନେ ବସ୍ ମଧ୍ୟରୁ ରାସ୍ତାକଡ଼ରେ ଠିଆ ହୋଇଥିବା ପୁଲିସ କର୍ମୀଙ୍କୁ ସାଲୁ୍ୟଟ୍ କରୁଥିବାର ଦୃୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ପୁଲିସକୁ ସାଲୁ୍ୟଟ କରିବା ସହ ସେମାନେ ‘ହାଇଦ୍ରାବାଦ ପୁଲିସ ଜିନ୍ଦାବାଦ’ ଭଳି ସ୍ଲୋଗାନ ଦେଇଥିଲେ ।
ଅନ୍ୟପକ୍ଷରେ ଏଭଳି ଏନକାଉଣ୍ଟରରେ ମାନବାଧିକାର ହତ୍ୟା ହୋଇଥିବା ଦର୍ଶାଇ କିଛି ଗୋÂୀ ଏହାକୁ ନିନ୍ଦା କରିଛନ୍ତି । ଦେଶରେ ଆଇନ ବ୍ୟବସ୍ଥା ରହିଥିବା ବେଳେ ଆଇନକୁ ହାତମୁଠାକୁ ନେବା ଉଚିତ ନଥିଲା ବୋଲି ଦର୍ଶାଇଛନ୍ତି । ଏଭଳି ହେଲେ ଆଇନ ବ୍ୟବସ୍ଥା ଉପରୁ ଲୋକଙ୍କ ଭରସା ତୁଟିଯିବ ବୋଲି ସେମାନେ କହିଛନ୍ତି । ଘଟଣା ଉପରେ ଅନେକ ରାଜନେତା ଓ ସଂଗଠନ ଅଙ୍ଗୁଳି ଉଠାଇଛନ୍ତି । ଲୋକସଭା ସାଂସଦ ମେନକା ଗାନ୍ଧୀ, କଂଗ୍ରେସ ନେତା ଶଶି ଥରୁର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଧିନ ଓୱେସି, ସିପିଆଇ(ଏମ୍) ନେତା ସୀତାରାମ ୟେଚୁରୀ ପ୍ରମୁଖ ଏହାକୁ ନେଇ ପ୍ରଶ୍ନ କରିଛନ୍ତି । ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ମଧ୍ୟ ବିରୋଧ କରିଛି ।
କଂଗ୍ରେସ ସାଂସଦ ଶଶି ଥରୁର ଆଜି ଟ୍ୱିଟ୍ କରି ଏ ନେଇ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ, ନ୍ୟାୟିକ ବ୍ୟବସ୍ଥାକୁ ଦେଖିଲେ ଏଭଳି ଏନକାଉଣ୍ଟରକୁ ଗ୍ରହଣୀୟ ବୋଲି କୁହାଯାଇ ପାରିବ ନାହିଁ । ଯଦି ଅପରାଧୀମାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଥିଲା, ତେବେ ପୁଲିସ ନିଜ କାର୍ଯ୍ୟାନୁÂାନକୁ ଉଚିତ ଦର୍ଶାଇ ପାରିବ । ଯେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସତ୍ୟତା ସାମ୍ନାକୁ ନ ଆସିଛି, ସେ ଯାଏ ଆମକୁ ଅପେକ୍ଷା କରିବାକୁ ପଡ଼ିବ । ତେବେ ଆଇନରେ ଚାଲୁଥିବା ସମାଜରେ ଏଭଳି ଅଣନ୍ୟାୟିକ ହତ୍ୟାଗୁଡ଼ିକୁ ଉଚିତ ବୋଲି କୁହାଯାଇ ପାରିବ ନାହିଁ ।
ବିଜେପି ସାଂସଦ ମେନକା ଗାନ୍ଧୀ ମଧ୍ୟ ଏହି ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ଯାହା ବି ଘଟିଛି ଦେଶ ପାଇଁ ତାହା ଅତ୍ୟନ୍ତ ଭୟାନକ । ଦେଶରେ ଆଇନ ବ୍ୟବସ୍ଥା ଅଛି ଏବଂ ଆଇନକୁ କେହି ହାତକୁ ନେଇପାରିବେ ନାହିଁ । ଅପରାଧୀଙ୍କୁ ଦେଶରେ ପ୍ରଚଳିତ ଆଇନ ଜରିଆରେ ହିଁ ଦଣ୍ଡ ପ୍ରଦାନ କରିବା ଆବଶ୍ୟକ ।
କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ କହିଛନ୍ତି, ଜଣେ ଦାୟିତ୍ୱସମ୍ପନ୍ନ ବ୍ୟକ୍ତି ଭାବେ ମୁଁ ଚାହୁଁଛି ଏହି ଏନକାଉଣ୍ଟର ଘଟଣାର ତଦନ୍ତ ହେବା ଆବଶ୍ୟକ । ଅଭିଯୁକ୍ତମାନେ ପ୍ରକୃତରେ ଖସି ପଳାଇବାକୁ ଉଦ୍ୟମ କରୁଥିଲେ କି ନାହିଁ ତାହା ମଧ୍ୟ ଯାଞ୍ଚ ହେବା ଜରୁରି ।
ପୁଲିସର ଏହି ଏନକାଉଣ୍ଟରକୁ ବେଆଇନ ଦର୍ଶାଇ କିଛି ସମାଜସେବୀ, ମାନବାଧିକାର କର୍ମୀ ଓ ରାଜନେତା ଏ ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।
ବିଜେପି ସାଂସଦ ମୀନାକ୍ଷି ଲେଖି କହିଥିଲେ, ଯେମିତି କର୍ମ ସେମିତି ଫଳ । ଅପରାଧୀମାନେ ଯଦି ଖସିଯିବାକୁ ଉଦ୍ୟମ କରନ୍ତି, ତେବେ ସେମାନଙ୍କୁ ରୋକିବା କିମ୍ୱା ସେମାନଙ୍କ ଉପରେ କାର୍ଯ୍ୟାନୁÂାନ ନେବା ପୁଲିସର କାମ । ତା’ଛଡ଼ା ପୁଲିସ ନିଜ ପାଖରେ ବନ୍ଧୁକ ସଜାଇବା ପାଇଁ ରଖିନାହିଁ । ହାଇଦ୍ରାବାଦରେ ଆଇନକୁ ଦୃଷ୍ଟିରେ ରଖି କାର୍ଯ୍ୟ କରାଯାଇଛି । ଆଇନ ପ୍ରକ୍ରିୟା ମାଧ୍ୟମରେ ହିଁ ଏନକାଉଣ୍ଟର ହୋଇଛି । କିଛି ଲୋକ ଏହାକୁ ନେଇ ରାଜନୀତିକରଣ କରିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ମୋତେ ଦୁଃଖ ଲାଗୁଛି । ବହୁଜନ ସମାଜ ପାର୍ଟି (ବସପା) ସୁପ୍ରିମୋ ମାୟାବତୀ, ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଚୌହାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ପ୍ରମୁଖ ପୁଲିସ ଏନକାଉଣ୍ଟରକୁ ଯଥାର୍ଥ ଦର୍ଶାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons