ପୂର୍ବତନ କ୍ରିକେଟ ଖେଳାଳି ସୌମିତ୍ର ପ୍ରସାଦଙ୍କ ଦେହାନ୍ତ

Get real time updates directly on you device, subscribe now.

ବାରିପଦା,(ବି.ବି.ନୁ୍ୟଜ): କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ପାଇଁ ପୁଣି ଏକ ଦୁଃଖଦ ଖବର ଆଣି ଦେଇଛି । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ମୟୂରଭଞ୍ଜର ପୂର୍ବତନ କ୍ରିକେଟ ଖେଳାଳି ସୌମିତ୍ର ପ୍ରସାଦ ବୋଷ ଓରଫ ପୁଲାଙ୍କର ଗତ ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ଦେହାନ୍ତ ହୋଇଯାଇଛି । ସେ କରୋନାରେ ପୀଡିତ ହୋଇ ଗତ କିଛିଦିନ ଧରି ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଶେଷ ବେଳକୁ ତାଙ୍କର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଆଉ କାମ କରୁ ନଥିଲା ବୋଲି ସୂଚନା ମିଳିଛି । ମୃତୁ୍ୟ ପରେ ତାଙ୍କୁ ଶହୀଦ ନଗର ମଶାଣିରେ ଦାହ କରାଯାଇଛି ।
ସେ ବାରିପଦାର ଗୋଲାପ ବାଗ୍ ସ୍ଥିତ ଲାଲବଜାର ଉପ୍ରା ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରିଥିବା ବଳେ ଏମକେସି ହାଇସ୍କୁଲରୁ ମାଟ୍ରିକ ପାସ୍ କରି ଏମପିସି କଲେଜରୁ ସ୍ନାତକତ୍ତୋର ଏବଂ ମୟୂରଭଞ୍ଜ ଆଇନ୍ ମହାବିଦ୍ୟାଳୟରୁ ଏଲଏଲବି ପାସ୍ କରିଥିଲେ । ତାଙ୍କ ସମୟରେ ସେ ଜଣେ ଭଲ କ୍ରିକେଟ ଖେଳାଳି ଭାବେ ସୁନାମ ଅର୍ଜନ କରିଥିଲେ । ଏମସିସି କଲେଜ ଟିମ୍ , ମୟୂରଭଞ୍ଜ ଆଇନ୍ ମହାବିଦ୍ୟାଳୟ ଟିମ୍ ଠୁ ଆରମ୍ଭ କରି ମୟୂରଭଞ୍ଜରୁ ପ୍ରତିନିଧିତ୍ୱ କରିଥିଲେ । ସେ ଅଣ୍ଡର ୨୫ଟିମରେ ଭାଗ ନେଇ ସିକେନାଇଡୁ ଏବଂ ରଣଜି ଟ୍ରଫି ଓଡ଼ିଶା ପାଇଁ ଖେଳିଥିଲେ । ସେ ଅହମ୍ମଦାବାଦ୍ ସ୍ଥିତ ଏନଆଇଏସରେ ଠାରେ କ୍ରିକେଟ କୋଚିଂ କୋର୍ସ ଶିକ୍ଷା ଗ୍ରହଣ କରିଥିଲେ ମଧ୍ୟ କୋଚ ଭାବେ ଯୋଗ ଦେଇ ନଥିଲେ । ବାରିପଦା ମୋହ ଥିବାରୁ ଉଚ୍ଚଶିକ୍ଷିତ ହୋଇ ମଧ୍ୟ କିରାଣି ଚାକିରିରେ ସେ ନିଜକୁ ସନ୍ତୁଷ୍ଟ ରଖିଥିଲେ । ସେ ଜିଲ୍ଲା ପଞ୍ଚାୟତ ଅଫିସଠୁ ଆରମ୍ଭ କରି ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟରେ ବହୁ ଦିନ ଧରି କିରାଣୀ ଭାବେ କାର୍ଯ୍ୟକରି ବହୁ ଲୋକଙ୍କ ସମସ୍ୟା ବୁଝି ସମାଧାନ କରିଥିବା ବଳେ ଶେଷ ବେଳକୁ ସେ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରେ ମୁଖ୍ୟକିରାଣି ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବା ସଂଗେ ସଂଗେ ବାରିପଦାର ବିଭିନ୍ନ ମହଲରେ ଦୁଖର ଛାୟା ଖେଳି ଯାଇଛି । ମୟୂରଭଞ୍ଜ କ୍ରିକେଟ ଖେଳରେ ଏକ ଯୁଗର ଅବସାନ ଘଟିଲା ବୋଲି କ୍ରିକେଟପ୍ରେମୀ କହୁଥିବା ବଳେ ବହୁମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ମୃତୁ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons