ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

Get real time updates directly on you device, subscribe now.

ନୂଆଦିଲ୍ଲୀ : ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ବିଜେପିର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଦଳର ବରିଷ୍ଠ ନେତାମାନଙ୍କ ସହିତ କର୍ମକର୍ତ୍ତାମାନେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ନୂଆଦିଲ୍ଲୀ ସ୍ଥିତ ଅଟଳ ସ୍ମୁତିପୀଠରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି କାର‌୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ବାଜପେୟୀଙ୍କ ସ୍ମୁତିପୀଠରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ସେହିପରି ଝିଅ ନମିତା କାଉଲ ଭଟ୍ଟାଚାର‌୍ୟ ଓ ନାତୁଣୀ ନିହାରୀକା ମଧ୍ୟ ‘ସଦୈବ ଅଟଳ’ସ୍ଥଳକୁ ପହଂଚି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।
ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ନେଇ ଭାରତୀୟ ଜନତା ପାର୍ଟି ଏକ ସପ୍ତାହ ପୂର୍ବରୁ ପ୍ରସ୍ତୁତ ଆରମ୍ଭ କରି ଦେଇଥିଲା । ସ୍ୱର୍ଗତ ବାଜପେୟୀ ଗତ ବର୍ଷ ଆଜିର ଦିନରେ ଦିଲ୍ଲୀସ୍ଥିତ ଏମ୍ସରେ ପରଲୋକ ହୋଇଥିଲା ।ଭାରତୀୟ ଜନତା ପାର୍ଟି ବାଜପେୟୀଙ୍କୁ ଆଜି ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳି ଦେଉଛି । ବାଜପେୟୀଙ୍କ ସ୍ମୁତିରେ କିଛି ସ୍ଥାନରେ ସାଂସ୍କୃତିକ କାର‌୍ୟକ୍ରମ ଆୟୋଜନ କରାଯାଇଛି ।
ବାଜପେୟୀ ଥିଲେ ୧୩ ଦିନର ପ୍ରଧାନମନ୍ତ୍ରୀ। ୧୩ ମାସର ପ୍ରଧାନମନ୍ତ୍ରୀ। ଆଉ ପୁଣି ୬୩ ବର୍ଷ ଧରି ଭାରତୀୟ ରାଜନୀତିର ଶିଖର ପୁରୁଷ। ଏହି ଜନନାୟକ ଲୋକଙ୍କ ଭୋଟ ନୁହେଁ, ମନ ଜିତିଥିଲେ । ସ୍ୱାଧୀନ ଭାରତର ରାଜନୀତିକ ଆକାଶରେ ସବୁଠାରୁ ଦୀର୍ଘ ସମୟ ପର‌୍ୟନ୍ତ ଚମକିଥିବା ତାରକା ହେଉଛନ୍ତି ବାଜପେୟୀ। ଆଜି ସେହି ମହାନ ଜନନାୟକଙ୍କର ପୁଣ୍ୟତିଥି। ଆଜି ସବୁଠି ତାଙ୍କର ପାଳନ ହେଉଛି ଶ୍ରାଦ୍ଧ ଦିବସ। ଜଣେ ତୁଙ୍ଗ ଜାତୀୟ ନେତା, ବିଚକ୍ଷଣ ରାଜନୀତିଜ୍ଞ, ନିଃସ୍ୱାର୍ଥପର ସାମାଜିକ କର୍ମୀ, ବଳିଷ୍ଠ ବକ୍ତା, କବି ଓ ସାହିତ୍ୟିକ, ସାମ୍ବାଦିକ ଏବଂ ନିର୍ବିବାଦରେ ଜଣେ ବିବିଧ ପ୍ରତିଭାଧାରୀ ବ୍ୟକ୍ତିତ୍ୱ ଥିଲେ ଅଟଳ। ତାଙ୍କର ପ୍ରତ୍ୟେକ କାର‌୍ୟରେ ଜାତୀୟତାବାଦର ଝଲକ ବାରି ହୁଏ। ମଧ୍ୟପ୍ରଦେଶର ଗ୍ୱାଲିୟରରେ ୧୯୨୪ ଡିସେମ୍ବର ୨୫ତାରିଖରେ ଜନ୍ମଗ୍ରହଣ କରିଥିଲେ ବାଜପେୟୀ। ତାଙ୍କ ପିତାଙ୍କ ନାମ ଥିଲା କୃଷ୍ଣ ବିହାରୀ ବାଜପେୟୀ ଓ ମାତା ଥିଲେ କୃଷ୍ଣା ଦେବୀ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons