ପୂର୍ବତନ ବିଧାୟକ ଅନାମ ନାଏକଙ୍କ ଘରେ ଭିଜିଲାନ୍ସ ଚଢ଼ଉ

Get real time updates directly on you device, subscribe now.

ଭବାନୀପାଟଣା,(ବି.ବି.ନୁ୍ୟଜ୍): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଶ୍ରୀ ନାଏକ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ମାଲିକାନାରେ ଥିବା ଭବାନୀପାଟଣା ଏବଂ ମଦନପୁର ରାମପୁର ସହରର ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ ହୋଇଛି । ଭବାନୀପାଟଣା ଥାନା ନାକଟିଗୁଡ଼ାସ୍ଥିତ ଶ୍ରୀ ନାଏକଙ୍କ ବାସଭବନ, ବ୍ୟବସାୟିକ କୋଠା, ସହରର ପୁରୁଣାପଡ଼ାସ୍ଥିତ ଲଜ୍ ଏବଂ ମ. ରାମପୁର ସହରରେ ଥିବା ମାର୍କେଟ୍ କମ୍ପେ୍ଲକ୍ସରେ ଭିଜିଲାନ୍ସ କୋରାପୁଟ୍ ଡିଭିଜନ୍ର ଅଧିକାରୀମାନେ ଆଜି ଚଢ଼ଉ କରି ମୋଟ ୩ କୋଟି ୪୨ ଲକ୍ଷ ୯୯ ହଜାର ୪୦୨ ଟଙ୍କାର ସମ୍ପତ୍ତି ଠାବ କରିଛନ୍ତି ।
ଚଢ଼ଉ ସମୟରେ ଠାବ ହୋଇଥିବା ସାମଗ୍ରୀ ମଧ୍ୟରେ ଭବାନୀପାଟଣା ପୁରୁଣାପଡ଼ାଠାରେ ଥିବା ଏକ କୋଠାର ଆନୁମାନିକ ମୂଲ୍ୟ ୫୧ ଲକ୍ଷ ୮୬ ହଜାର ଟଙ୍କା ବୋଲି ଆକଳନ କରାଯାଇଥିବା ବେଳେ ଏକ ନିର୍ମାଣାଧୀନ ଲଜ୍ର ମୂଲ୍ୟ ୧୯ ଲକ୍ଷ ୬୪ ହଜାର ୨୨୩ ଟଙ୍କା ଏବଂ ନାକଟିଗୁଡ଼ାଠାରେ ଥିବା ତିମି ମହଲା କୋଠାର ଆନୁମାନିକ ମୂଲ୍ୟ ୧୮ ଲକ୍ଷ ୪୭ ହଜାର ୪୦୮ ଟଙ୍କା ଆକଳନ କରାଯାଇଛି । ଦୁଇଟି ଏକତଳ କୋଠାର ମୂଲ୍ୟ ୪ ଲକ୍ଷ ୮୭ ହଜାର ୨୬୯ ଟଙ୍କା । ଏକ ମାର୍କେଟ କମ୍ପେ୍ଲକ୍ସର ମୂଲ୍ୟ ୧ ଲକ୍ଷ ୫୯ ହଜାର ୩୭୩ ଟଙ୍କା ହେବ । ଏକ ଗ୍ୟାରେଜର ମୂଲ୍ୟ ୫୯ ହଜାର ୦୨୦ ଟଙ୍କା ହେବ । ସେହିଭଳି ଏମ୍ ରାମପୁରଠାରେ ଥିବା ଏକ ଡୁ୍ୟପ୍ଲେକ୍ସ ଓ ମାର୍କେଟ କମ୍ପେ୍ଳକ୍ସର ମୂଲ୍ୟ ୫୭ ଲକ୍ଷ ୫୯ ହଜାର ଆକଳନ କରାଯାଇଛି । ଏହା ବ୍ୟତୀତ ଏଫ୍ଏଲ ଅଫସପ୍ର ସମ୍ପତ୍ତି ପ୍ରାୟ ୩, ୨୦୩୫୦ ଟଙ୍କା । ଶ୍ରୀ ନାଏକଙ୍କ ସ୍ଥାବର ସମ୍ପତ୍ତି ଭିତରେ ୬ଟି କୃଷି ଓ ଅଣକୃଷି ଜମି ରହିଛି, ଯାହାର ମୂଲ୍ୟ ୯୪ ଲକ୍ଷ ୭ ହଜାର । ଏକ ଟ୍ରାକ୍ଟରର ମୂଲ୍ୟ ୭ ଲକ୍ଷ, ଏକ ଇନୋଭା ଓ ଏକ ସ୍କର୍ପିଓର ମୂଲ୍ୟ ୨୪ ଲକ୍ଷ, ୩ଟି ଦୁଇ ଚକିଆ ଯାନର ମୂଲ୍ୟ ୧ ଲକ୍ଷ ୬୧ ହଜାର ଆକଳନ କରାଯାଇଛି । ବିଭିନ୍ନ ବ୍ୟାଙ୍କରେ ଥିବା ଜମାର ମୂଲ୍ୟ ୪୯, ୩୩୭୦୨ ଟଙ୍କା । ୨ ଲକ୍ଷ ଟଙ୍କାର ବୀମା, ୮୦ ହଜାର ଟଙ୍କାର ସ୍ୱର୍ଣ୍ଣାଳଙ୍କାର, ୧୩ ହଜାର ୬୮୦ ଟଙ୍କାର ନଗଦ, ଆସବାବପତ୍ର ୬, ୨୧୩୭୭ ଟଙ୍କା । ଏଭଳି ସମୁଦାୟ ୩ କୋଟି ୪୨ ଲକ୍ଷ ୯୯ ହଜାର ୪୦୨ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି ।
ସୂଚନା ଅନୁସାରେ, ଶ୍ରୀ ନାଏକଙ୍କ ନାମରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ଆସିବା ପରେ ତା’ର ତଦନ୍ତ ଓ ତଦ୍ଜନୀତ ଚଢଉ ପାଇଁ କଳାହାଣ୍ଡି ଭିଜିଲାନ୍ସ ଡିଏସ୍ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା । ଶୁକ୍ରବାର ଭୋର ସାଢେ଼ ୪ଟାରୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟରୁ ଟିମ୍ ବାହାରିଥିଲା । ଶ୍ରୀ ମହାନନ୍ଦଙ୍କ ତତ୍ତ୍ୱାବଧାନରେ ତିନିଟି ଟିମ୍ ଭବାନୀପାଟଣାସ୍ଥିତ ଶ୍ରୀ ନାଏକଙ୍କ ବାସଭବନ, ବ୍ୟାବସାୟିକ କୋଠା ଓ ପୁରୁଣାପଡ଼ା ସ୍ଥିତ ଲଜ୍ ଉପରେ ଚଢ଼ଉ କରିବା ପାଇଁ ଯୋଜନା ହୋଇଥିବା ବେଳେ କୋରାପୁଟ ଡିଭିଜିନ୍ର ଇନ୍ସପେକ୍ଟର ରୂପଧର ସାହୁଙ୍କ ନେତୃତ୍ୱରେ ଆଉ ଗୋଟିଏ ସ୍କ୍ୱାର୍ଡ ଏମ୍ ରାମପୁରସ୍ଥିତ ତାଙ୍କର ଏକ ଲଜ୍ ଏବଂ ଅଫ୍ସପ୍ ଉପରେ ଚଢ଼ଉ ପାଇଁ ଯାଇଥିଲା । ଭୋର ୪.୩୦ ସମୟରେ ଇନ୍ସପେକ୍ଟର ଶ୍ରୀ ସାହୁଙ୍କ ଟିମ୍ ବାହାରି ମଦନପୁର ରାମପୁର ପହଞ୍ଚିବା ପରେ ସେଠାରୁ ଫୋନ ଯୋଗେ ଡିଏସ୍ପି ଶ୍ରୀ ମହାନନ୍ଦଙ୍କୁ ଜଣାଇଥିଲେ ଏବଂ ଭୋର ୬ଟା ସମୟରେ ଭବାନୀପାଟଣା ସ୍କ୍ୱାର୍ଡ ଏକକାଳୀନ ଚଢ଼ଉ କରିଥିଲେ ।
ଭିଜିଲାନ୍ସ ଟିମ୍ ପହଞ୍ଚିବା ସମୟରେ ଶ୍ରୀ ନାୟକ ମର୍ଣ୍ଣିଂ ୱାକ୍ରେ ଯିବା ପାଇଁ ବାହାରିଥିଲେ । ଶ୍ରୀ ନାଏକ ଭିଜିଲାନ୍ସ ସ୍କ୍ୱାର୍ଡକୁ ଦେଖି ହଡ଼ବଡେ଼ଇ ଯାଇଥିଲେ । କୌଣସି ଆପତ୍ତି ଉଠାଇବା ପୂର୍ବରୁ ଡିଏସ୍ପି ଶ୍ରୀ ମହାନନ୍ଦ ଭବାନୀପାଟଣା ଭିଜିଲାନ୍ସ ଜଜ୍ଙ୍କ ଅଦାଲତରୁ ଆଣିଥିବା ସର୍ଚ୍ଚ ୱାରେଣ୍ଟ ଦେଖାଇ ତଦନ୍ତରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଶ୍ରୀ ନାଏକଙ୍କ ବସିବା ପାଇଁ କହିବା ସହ ତଦନ୍ତକାରୀ ଦଳ ନିଜେ ସବୁ ଖାନ୍ତଲାସ କରିବାରେ ଲାଗିଥିଲେ । ଭୋର ୬ଟାରୁ ଚଢ଼ଉ ଆରମ୍ଭ ହୋଇ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ତଦନ୍ତ ଜାରି ରହିଛି । ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗ କତ୍ତର୍୍ୃପକ୍ଷଙ୍କୁ ପଚାରିଲେ ତଦନ୍ତ ବ୍ୟାହତ ହେବା ଆଶଙ୍କାରେ କୌଣସି ସୂଚନା ଦେବାକୁ ମନା କରିଦେଇଥିଲେ । ପରେ ଏ ସମ୍ପର୍କରେ ପୂର୍ବତନ ବିଧାୟକ ଶ୍ରୀ ନାଏକଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁବାରୁ ସେ କହିଥିଲେ, ସେ ଆଇନକୁ ସମ୍ମାନ ଜଣାନ୍ତି । ତାଙ୍କର ପୈତୃକ ସମ୍ପତ୍ତି ମଧ୍ୟ ରହିଛି, ଯାହାର ଟିକିନିଖି ହିସାବ ଦେବାକୁ ସେ ପ୍ରସ୍ତୁତ ଅଛନ୍ତି । ନବୀନ ପଟ୍ଟନାୟକ ସ୍ୱଚ୍ଛତା ଆଧାରରେ ଶାସନ କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons