ପୂର୍ବାଞ୍ଚଳ ବିକାଶକୁ ଗୁରୁତ୍ୱ: ଶାହ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶା ସମେତ ପୂର୍ବ ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତିବଦ୍ଧ । ତାଙ୍କର ଏହି ଲକ୍ଷ୍ୟ ଆଧାରରେ ପୂର୍ବାଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରାଯିବ । ଏଥିପାଇଁ ଏ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଏହା କହିଛନ୍ତି ।
୨୪ତମ ପୂର୍ବାଞ୍ଚଳ ପରିଷଦ ବୈଠକରେ ଅଧ୍ୟକ୍ଷତା କରି କେନ୍ଦ୍ର ଗୃହମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଛନ୍ତି । ବୈଠକ ପରେ ବିବୃତି ଜରିଆରେ ସେ କହିଛନ୍ତି, ପୂର୍ବାଞ୍ଚଳ ପରିଷଦ ବୈଠକ ସଫଳ ହୋଇଛି । ବୈଠକରେ ଆଜି ମୋଟ ୪୮ଟି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ସେଥିମଧ୍ୟରୁ ୪୦ଟି ପ୍ରସଙ୍ଗକୁ ସହମତି ଭିତ୍ତିରେ ସମାଧାନ କରାଯାଇଛି ।
ସେ କହିଛନ୍ତି, ଦୀର୍ଘଦିନରୁ ପଡ଼ି ରହିଥିବା ପ୍ରସଙ୍ଗଗୁଡ଼ିକୁ କେବଳ ଆଞ୍ଚଳିକ ପରିଷଦ ବୈଠକରେ ସମାଧାନ ପାଇଁ ଛାଡ଼ି ଦିଆଯିବା ଅନୁଚିତ । ବରଂ ଏଗୁଡ଼ିକୁ ନିୟମିତ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ଆବଶ୍ୟକ । କିନ୍ତୁ ରାଜ୍ୟ ସରକାରମାନେ ନିୟମିତ ଭାବେ କେନ୍ଦ୍ର ସରକାରଙ୍କୁ ସେମାନଙ୍କର ତଥ୍ୟ ଆଦାନ ପ୍ରଦାନ କରିବା ଦରକାର ।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ଆଞ୍ଚଳିକ ପରିଷଦ ବୈଠକରେ କେବଳ ତାଲିକାଭୁକ୍ତ ପ୍ରସଙ୍ଗରେ ଆଲୋଚନା ହେବ ତାହା ନୁହେଁ, ଦେଶର ବିକାଶକୁ ତ୍ୱରାନ୍ୱିତ କରିବା ଉଦେ୍ଧଶ୍ୟରେ ଆଇନ ଶୃଙ୍ଖଳା ଓ ପ୍ରଶାସନିକ ସଂସ୍କାର ଉପରେ ମଧ୍ୟ ଆଲୋଚନା ହେବା ଉଚିତ ।
ପୂର୍ବାଞ୍ଚଳ ପରିଷଦ ବୈଠକରେ ୧୯୭୮ରେ ଉପର ମହାନନ୍ଦ ଜଳ ସ୍କିମ୍ ନେଇ ବିହାର ଓ ପଶ୍ଚିମବଙ୍ଗ ମଧ୍ୟରେ ସ୍ୱାକ୍ଷର ହୋଇଥିବା ଚୁକ୍ତି ଅଧୀନରେ ଫୁଲବାରୀ ଡ୍ୟାମ୍ ପ୍ରସଙ୍ଗ, ଉତ୍ତର ଓଡ଼ିଶା ଜିଲ୍ଲାଗୁଡ଼ିକରେ ନୂଆପଡ଼ା-ଗୁଣୁପୁର-ଥେରୁବାଲି ରେଳ ଲିଙ୍କ ପ୍ରକଳ୍ପ ସମ୍ପ୍ରସାରଣ, ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ପେନ୍ସନ ଦେୟ ମାମଲା, କେନ୍ଦ୍ରୀୟ କୋଇଲା କମ୍ପାନି ଦ୍ୱାରା ରାଜ୍ୟ ସରକାରଙ୍କ ଜମି ବ୍ୟବହାର, ଦୁଷ୍କର୍ମ ଅପରାଧ ମାମଲାର ତ୍ୱରିତ୍ ସମାଧାନ, ଭାରତ-ବାଂଲାଦେଶ ସୀମାରେ ଗୋରୁ ଚୋରାଚାଲାଣ, ଓଡ଼ିଶାରେ ଟେଲିକମ୍ ଓ ବ୍ୟାଙ୍କ ସଂଯୋଗ ସମସ୍ୟା, ଓଡ଼ିଶାରେ ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ, କୋଇଲା ରୟାଲ୍ଟି ସଂଶୋଧନ, ପେଟ୍ରୋଲିୟମ ପ୍ରକଳ୍ପ ପାଇଁ ଜମି ସମସ୍ୟା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।
ପୂର୍ବାଞ୍ଚଳ ପରିଷଦ ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇ କୋଇଲା ରୟାଲ୍ଟି, ପୂର୍ବାଞ୍ଚଳକୁ ଅଧିକ ପାଣ୍ଠି ଆବଣ୍ଟନ ଆଦି ପ୍ରସଙ୍ଗରେ ଆଲୋକପାତ କରିଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜିଏସ୍ଟି ବକେୟା ପ୍ରଦାନରେ ହେଉଥିବା ବିଳମ୍ବ ପ୍ରସଙ୍ଗ ଉଠାଇଥିଲେ । ଗଙ୍ଗା ନଦୀରେ ବନ୍ୟା ସ୍ଥିତିକୁ ରୋକିବା ଉଦେ୍ଧଶ୍ୟରେ ସ୍ୱତନ୍ତ୍ର ରାଷ୍ଟ୍ରୀୟ ନୀତି ଆଣିବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ ରମେଶ ଓରାଅନ୍, ଓଡ଼ିଶା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons