ପେଟ୍ରୋଲ ପମ୍ପ ଥରିଲା, ଜଳିଲା:୩୦ ଆହତ, ୯ ଗୁରୁତର, ୩ ମୃତ ସନେ୍ଦହ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଅପରାହ୍ନ ୧ଟା ୭ ମିନିଟ୍ । ଭୟଙ୍କର ବିସ୍ଫୋରଣ ହେଲା, ଯେମିତି ହୃତସ୍ପନ୍ଦନ ଅଟକିଯିବ । ରାଜଧାନୀର କେନ୍ଦ୍ରସ୍ଥଳର ବ୍ୟାପକ ଅଞ୍ଚଳ ଥରିଗଲା । କେଉଁଠି ଉପରୁ ମାଟି, ଗୋଡ଼ି, ଇଟା ବର୍ଷିଲା ତ ଆଉ କେଉଁଠି ମାଂସ ଟୁକୁଡ଼ା ଛିନ୍ଛତ୍ର ହୋଇପଡ଼ିଲା । ଅନେକ ଘରର କାଚ, ଝରକା, ଆଜବେଷ୍ଟସ ଭାଙ୍ଗିଗଲା । ଉପରକୁ ଚାହିଁଲାବେଳକୁ ନିଆଁର ଏକ ବିରାଟ ସ୍ତମ୍ଭ ଯେମିତି ଆକାଶକୁ ଛୁଉଁଥିଲା ।
ବୁଧବାର ଏମିତି ଛାତିଥରା ବିସ୍ଫୋରଣ ପୂରା ରାଜଧାନୀକୁ ଥରାଇଦେଇଛି । ଅପରାହ୍ଣରେ ରାଜଭବନ ପାଖ ଇଣ୍ଡିଆନ ଅଏଲ୍ ପେଟ୍ରୋଲ ପମ୍ପ୍ର ଏଲ୍ପିଜି ଗ୍ୟାସ୍ ଟ୍ୟାଙ୍କିରେ ଭୟାନକ ବିସ୍ଫୋରଣ ହୋଇଛି । ପ୍ରଚଣ୍ଡ ବିସ୍ଫୋରଣରେ ପେଟ୍ରୋଲ ଟାଙ୍କି ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ୩୦ରୁ ଅଧିକ ଆହତ ହୋଇଛନ୍ତି । ୯ଜଣଙ୍କ ଅବସ୍ଥା ଗୁରୁତର । ସେଥିରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ।

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପେଟ୍ରୋଲ ଟାଙ୍କିର ୧ କିଲୋମିଟର ପରିଧି ଅଞ୍ଚଳରେ ଲୋକଙ୍କ ହାତ, ଗୋଡ଼, କାନ, ଖପୁରୀ ସହ ଚୁଟି, ପାପୁଲି, ଆଙ୍ଗୁଠି, ଗୋଇଠି ଓ ମାଂସ ଖଣ୍ଡ ଛିନ୍ଛତ୍ର ହୋଇପଡ଼ିଥିବା ଦେଖିବାକୁ ମିଳିଛି ।
ପେଟ୍ରୋଲ ପମ୍ପ ଚାରିପାଖରେ ଏଠି ସେଠି ପଡ଼ିଥିବା କ୍ଷତବିକ୍ଷତ ମାଂସ ଖଣ୍ଡକୁ ପୁଲିସ ସଂଗ୍ରହ କରିଛି । ଏହାକୁ ଡିଏନ୍ଏ ଟେଷ୍ଟ ପାଇଁ ପଠାଯିବ । ଯେଉଁଭଳି ବିଭିନ୍ନ ସ୍ଥାନରୁ ମାଂସ ଖଣ୍ଡ ମିଳିଛି, ସେଥିରୁ ସନେ୍ଦହ କରାଯାଉଛି, ବିସ୍ଫୋରଣରେ ଅନୁ୍ୟନ ୨/୩ଜଣଙ୍କ ମୃତୁ୍ୟ ହୋଇଥାଇପାରେ । ମାତ୍ର ଏବେ ଏ ନେଇ ସ୍ପଷ୍ଟ ଭାବେ କିଛି କୁହାଯାଇପାରିବ ନାହିଁ ।
ଏପରି ଭୟାନକ ବିସ୍ଫୋରଣ ଭୁବନେଶ୍ୱରବାସୀ କେବେ ଅନୁଭବ କରିନଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ପେଟ୍ରୋଲ ପମ୍ପ କର୍ମଚାରୀ, ଗ୍ରାହକ, ସ୍ଥାନୀୟ ବ୍ୟବସାୟୀ, ସାଧାରଣ ଲୋକେ ଓ ରାସ୍ତାରେ ଯାଉଥିବା ଲୋକେ କିଛି ବୁଝିପାରିନଥିଲେ । ଜୀବନ ବିକଳରେ ଧାଇଁଥିଲେ । ଆଉ ଡରରେ ଥରୁଥିଲେ ।
ବିସ୍ଫୋରଣରେ ପେଟ୍ରୋଲ ପମ୍ପ ପୂରା ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ପେଟ୍ରୋଲ ଟାଙ୍କିରେ ଥିବା ଏଟିଏମ୍ ମେସିନ୍, ପରିବା ଷ୍ଟୋର(ସଫଲ୍) ପୂରା ନଷ୍ଟଭ୍ରଷ୍ଟ ହୋଇ ପଡ଼ିଛି । ଭୂସ୍ଖଳନ ହେଲା ଭଳି ପେଟ୍ରୋଲ ପମ୍ପରେ ବିସ୍ପୋରଣ ସ୍ଥଳରେ ପ୍ରାୟ ୧୩ ଫୁଟ୍ ଚଉଡ଼ା ଓ ପାଖାପାଖି ୧୫ ଫୁଟ୍ର ଗାତ ସୃଷ୍ଟି ହୋଇଛି ।
ବିସ୍ଫୋରଣ ହୋଇଥିବା ଟାଙ୍କି ସହ ସଂଲଗ୍ନ ଲୁହା ପାଇପ୍, ଯନ୍ତ୍ରାଂଶ, ପେଟ୍ରୋଲ ପମ୍ପ୍ ପାଚେରି ଓ ଚଟାଣରୁ ଇଟା, ଲୁହା ରଡ୍ ଚାରିଦିଗକୁ ପ୍ରାୟ ୫୦୦ ମିଟର ଦୂର ଯାଏଁ ଛିଟ୍କି ପଡିÿଥିଲା । ପେଟ୍ରୋଲ ପମ୍ପର ପଛପାଶ୍ୱର୍ ପାଚେରି ଭାଙ୍ଗି ଯାଇଥିଲା । ଇଟା, ଗୋଡ଼ି, ବାଲି ଉଡ଼ି ପଡ଼ିଥିଲା ପାଖ କ୍ୱାର୍ଟର୍ସ, ଅଫିସ ପରିସରରେ ।

ପେଟ୍ରୋଲ ପମ୍ପରେ ଥିବା ୧୫ ବାଇକ୍ ଓ ୫ କାର୍ ଭାଙ୍ଗିରୁଜି ପଡ଼ିଥିଲା । କେତେକ ବାଇକ ଛିଟ୍କି ବହୁ ଦୂରରେ ପଡ଼ିଥିଲା । ପେଟ୍ରୋଲ ପମ୍ପ ପାଖ ଆମ୍ବେଦକର ଆପାର୍ଟମେଣ୍ଟର ୨୦ରୁ ଅଧିକ ଫ୍ଲାଟ୍ ଓ କିଛି ସରକାରୀ କ୍ୱାଟର୍ସ କ୍ଷତିଗ୍ରସ୍ତ ହୋଇଛି । ବହୁ ଘରର ଝରକା କାଚ ଚୁନା ହୋଇଯାଇଛି । ରାଜଭବନର ଝରକା କାଚ ମଧ୍ୟ ଭାଙ୍ଗିଛି ।
ପାଖାପାଖି ୧ କିମି ପରିଧିରେ ଥିବା ଘରଗୁଡିÿକର ଝରକା କାଚ, ଆସବାବପତ୍ର ଭାଙ୍ଗିରୁଜି ଯାଇଛି । ଭୂକମ୍ପ ଭଳି ପାଚେରି, କାନ୍ଥ ଥରି ଉଠିଥିଲା । ପ୍ରାୟ ୧୦ କିମି ଦୂର ଯାଏଁ ବିସ୍ପୋରଣର ପ୍ରଚଣ୍ଡ ଶବ୍ଦ ଶୁଭିଥିଲା । ପ୍ରାୟ ୫୦ ଫୁଟ୍ ଉଚ୍ଚର ନିଆଁ ୨୦ ମିନିଟ୍ ଯାଏଁ ଜଳିିଲା । ପାଖାପାଖି ୨୦ମିନିଟ୍ ଯାଏଁ ଆକାଶ ଛୁଆଁ ନିଆଁ ଜଳିଥିଲା ।
ବିସ୍ଫୋରଣରେ ଆହତ ହୋଇଥିବା ୯ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା । ସେମାନେ ହେଲେ- ଚିତ୍ତରଞ୍ଜନ ବେହେରା, ସତ୍ୟ ନାୟକ, ହର୍ଷବର୍ଦ୍ଧନ ଶ୍ରୀବାସ୍ତବ, ଗୋକୁଲ ନାୟକ, ଅଲେଖ ମଲ୍ଲିକ, ସାଇ କ୍ରିଷ୍ଣା, ବ୍ରହ୍ମାନନ୍ଦ କୁଣ୍ଡ, ଚନ୍ଦ୍ରମଣି ବେହେରା, ବୈକୁଣ୍ଠ, ଦିବାକର ମାଣିକ ।
ଏଥିମଧ୍ୟରୁ ୨ଜଣ ଗୁରୁତର ଆହତ ଥିବାରୁ ସେମାନଙ୍କୁ କଟକ ଏସ୍ସିବି ଆଇସିୟୁରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ଗୁରୁତର ଆହତ ସତ୍ୟ ନାୟକ( ୪୫)ଙ୍କ ଶରୀରର ୬୦ ପ୍ରତିଶତ ପୋଡ଼ିଯାଇଛି । ଅନ୍ୟ ଜଣଙ୍କ ଡାହାଣ ଆଖି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏସ୍ସିବି କର୍ତ୍ତୃପକ୍ଷ ଜଣାଇଛନ୍ତି, ଉଭୟଙ୍କ ମସ୍ତିଷ୍କରେ ମଧ୍ୟ ଆଘାତ ଲାଗିଛି । ସେମାନେ ଚେତାଶୂନ୍ୟ ଅବସ୍ଥାରେ ଅଛନ୍ତି । ମୁଣ୍ଡର ସିଟିସ୍କାନ୍ କରାଯିବ । ସିଟିସ୍କାନ୍ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ବ୍ୟବସ୍ଥା କରାଯିବ । ଆଉ କେତେକ ଆହତ ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି ।

ବିସ୍ଫୋରଣ ସ୍ଥଳରୁ ସନ୍ଧ୍ୟା ସୁଦ୍ଧା ଭଗ୍ନାବଶେଷ ହଟିନାହିଁ । ଭଙ୍ଗା ଇଟା, ଗୋଡ଼ି ଓ ମାଟି ଭିତରେ କେହି ପୋତି ହୋଇଥିବା ସନେ୍ଦହକୁ ଏଡ଼ାଇ ଦିଆଯାଇନପାରେ । ପୁଲିସ୍ ଓ ଅଗ୍ନିଶମ ଟିମ୍ ଦ୍ୱାରା ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଛି । ସନ୍ଧାନୀ କୁକୁର ସହାୟତା ମଧ୍ୟ ନିଆଯାଇଛି ।
ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଘଟଣାର ତଦନ୍ତ କରିବାକୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ସଚିବଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
କମିଶନରେଟ ପୁଲିସ ନିଜ ଆଡୁ ଏକ ଅପରାଧିକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । କେଉଁ କାରଣରୁ ବିସ୍ଫୋରଣ ଘଟିଲା, ତାହା ଏଯାଏଁ ଜଣାପଡ଼ିନି । ତେବେ ଅଗ୍ନିଶମ ବିଭାଗ ପ୍ରାଥମିକ ତଦନ୍ତରୁ ସନେ୍ଦହ କରୁଛି, ମରାମତି ବେଳେ କୌଣସି ବୈଷୟିକ ତ୍ରୁଟିରୁ ଏହି ଅଘଟଣ ଘଟି ଥାଇପାରେ । ଆଇଓସିଏଲ୍ର ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons