ଢେଙ୍କାନାଳ,(ବି.ବି.ନୁ୍ୟଜ୍): ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଶବରସାହିରେ ସୋମବାର ଏକ ଅଭାବନୀୟ ଘଟଣା ସ୍ଥାନୀୟ ଅଧିବାସୀଙ୍କୁ ନିର୍ବାକ୍ କରିଦେଇଛି । ପୋଖରୀକୁ ଗାଧୋଇବାକୁ ଯାଇ ଗୋଟିଏ ପରିବାରର ୪ ଜଣ ନାବାଳକ ଭାଇଭଉଣୀଙ୍କର ସଲିଳ ସମାଧି ଘଟିଛି । ମୃତକ ହେଉଛନ୍ତି ଗୋବିନ୍ଦପୁର ଶବରସାହିର ତୃପ୍ତିମୟୀ ଦେହୁରୀ (୧୬), ପ୍ରୀତିବାଳା ଦେହୁରୀ (୧୩), ରାଜେଶ ଦେହୁରୀ (୯) ଓ ନିହାଲ ଦେହୁରୀ (୮) । ଏହି ଦୁଃଖଦ ଘଟଣା ସମଗ୍ର ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।
ପ୍ରକାଶ ଯେ, ଶବରସାହିର ପତିତ ଦେହୁରୀଙ୍କ ପୁଅ ରାଜେଶ, ଝିଅ ପ୍ରୀତିବାଳା, ତାଙ୍କ ବଡ଼ଭାଇ ତ୍ରୈଲୋକ୍ୟ ଦେହୁରୀଙ୍କ ଝିଅ ତୃପ୍ତିମୟୀ ଏବଂ ଅନ୍ୟ ଜଣେ ଭାଇ ଜିତେନ୍ଦ୍ର ଦେହୁରୀଙ୍କ ପୁଅ ନିହାଲ ସୋମବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଘର ପଛପାଶ୍ୱର୍ରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ, ସେମାନେ ସବୁଦିନ ଘରେ ଗାଧୋଇଥାନ୍ତି । ମାତ୍ର ସୋମବାର ବିଦୁ୍ୟତ୍ କାଟ ହୋଇଥିବାରୁ ଟାଙ୍କିରେ ପାଣି ଭର୍ତ୍ତି ହୋଇପାରି ନ ଥିଲା । ତେଣୁ ସାଙ୍ଗ ହୋଇ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ପୋଖରୀରେ ପାଣି ଭର୍ତ୍ତି ଥିବା ବେଳେ ଗାଧୋଇବା ସମୟରେ ଗଭୀର ପାଣିକୁ ଚାଲି ଯାଇଥିଲେ । ସମ୍ଭବତଃ କେହି ବୁଡ଼ି ଯାଉଥିବା ବେଳେ ତାକୁ ଉଦ୍ଧାର କରିବାକୁ ଯାଇ ସଭିଏଁ ମୃତୁ୍ୟମୁଖକୁ ଟାଣି ହୋଇଯାଇଥିବା କୁହାଯାଉଛି ।
ଦୀର୍ଘ ସମୟ ଧରି ସେମାନେ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ପୋଖରୀ ହୁଡ଼ାରେ ସେମାନଙ୍କ ଜାମାପଟା ଥିବାରୁ କୌଣସି ଅଘଟଣ ଘଟିଥିବା ପରିବାର ଲୋକ ଆଶଙ୍କା କରିଥିଲେ । ଏହି ଘଟଣା ପ୍ରସାରିତ ହେବା ପରେ ପୋଖରୀ ନିକଟକୁ ଲୋକଙ୍କ ସୁଅ ଛୁଟିଥିଲା । ଖବରପାଇ ଢେଙ୍କାନାଳ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ପୋଖରୀରୁ ସମସ୍ତଙ୍କୁ ଉଦ୍ଧାର କରି ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ଡାକ୍ତର ସମସ୍ତ ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକ ପହଞ୍ଚିବା ପରେ ଡାକ୍ତରଖାନା ପରିସର କାନ୍ଦବୋବାଳିରେ ଫାଟି ପଡ଼ିଥିଲା ।
ଡାକ୍ତରଖାନାରେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ତହସିଲଦାର ଲକ୍ଷ୍ମୀଧର ରାଉତ, ସଦର ଏସ୍ଡିପିଓ ଶ୍ରୀହର୍ଷ ମିଶ୍ର, ସଦର ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ବେଉରିଆ, ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଭୂତିଆ ପ୍ରମୁଖ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ରେଡ଼କ୍ରସ୍ ପାଣ୍ଠିରୁ ସହାୟତା ଦେବା ପାଇଁ ଘୋଷଣା କରିଥିଲେ । ଏଥିସହ ସରକାରଙ୍କ ନିୟମ ଅନୁଯାୟୀ ପ୍ରତ୍ୟେକ ମୃତକଙ୍କ ପିଛା ୪ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ । ଗୋବିନ୍ଦପୁର ଫାଣ୍ଡି ପୁଲିସ୍ ଏକ ଅପମୃତୁ୍ୟ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ମୃତ ତୃପ୍ତିମୟୀ ଢେଙ୍କାନାଳ କଲେଜରେ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ ଥିବା ବେଳେ ପ୍ରୀତିବାଳା ଗୋବିନ୍ଦପୁର ହାଇସ୍କୁଲ୍ରେ ୮ମ ଶ୍ରେଣୀର ଛାତ୍ରୀ ଥିଲେ । ସେହିପରି ରାଜେଶ ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ୪ର୍ଥ ଶ୍ରେଣୀ ଏବଂ ନିହାଲ ଢେଙ୍କାନାଳ ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲ୍ରେ ୩ୟ ଶ୍ରେଣୀରେ ପଢ଼ୁଥିଲେ ବୋଲି ସୂଚନା ମିଳିଛି ।
Comments are closed, but trackbacks and pingbacks are open.