ପୋଲିସ ଡିଜି,ପୋଲିସ କମିଶନର, ଭୁବନେଶ୍ୱର ଡିସିପି ନେଲେ କରୋନା ଟିକା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶା କରୋନା ମୁକାବିଲାରେ ଯେମିତି ଉଦାହରଣ ପାଲଟିଥିଲା, ଟିକାକରଣରେ ମଧ୍ୟ ସଫଳତା ଦୋହରାଇବାକୁ ଅଣ୍ଟା ଭିଡ଼ିଛି । କରୋନା ସମ୍ମୁଖ ଯୋଦ୍ଧା ଓ ଲୋକଙ୍କ ଭିତରେ ଥିବା ଆଶଙ୍କା ଓ ବିଭ୍ରାନ୍ତି ଦୂରେଇବାକୁ ଆଗକୁ ଆସିଛନ୍ତି ପୁଲିସ୍ ଡିଜି, ଜିଲ୍ଲାପାଳ ଓ ଏସ୍ପି । ତହସିଲଦାର, ସରପଞ୍ଚ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଅନେକ ଜିଲ୍ଲାର ଜିଲ୍ଲାପାଳ, ଏସ୍ପି ଟିକା ନେବାପରେ ସଚେତନତା କରିବାକୁ ସୋସିଆଲ୍ ମିଡିଆରେ ଅପିଲ୍ ମଧ୍ୟ କରିଛନ୍ତି । ଶନିବାର ରାଜ୍ୟରେ ଟିକା ନେଇଛନ୍ତି ୩୯ହଜାର ୩୭୫ ଜଣ । ଏଥିରେ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ରହିଛନ୍ତି ।
ସ୍ୱାସ୍ଥ୍ୟକର୍ମୀଙ୍କ ସହ ସମ୍ମୁଖ ଯୁଦ୍ଧ ଲଢିଥିବା ପୁଲିସ୍, ସରପଞ୍ଚ, ବ୍ଲକ୍ ଓ ତହସିଲ୍ କର୍ମଚାରୀମାନେ ଆଜି ଟିକା ନେଇଛନ୍ତି । ପ୍ରଥମ ପର୍ଯ୍ୟାୟ ଟିକାକରଣ ସରିବାକୁ ଆଉ ମାତ୍ର ୪ ଦିନ ରହିଛି । ୪୪୯ ସେସନ୍ ସାଇଟ୍(ଟିକା କେନ୍ଦ୍ର)ରେ ଟିକାକରଣ ହୋଇଛି । ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ୨୨୧ କେନ୍ଦ୍ର ଓ ସମ୍ମୁଖ ଯୋଦ୍ଧା(ସ୍ୱାସ୍ଥ୍ୟକର୍ମୀ ବାଦ୍)୨୦୯ ଟି କେନ୍ଦ୍ର ହୋଇଥିଲା ।
ପୁଲିସ୍ ଡିଜି ଅଭୟ, ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଓ ନୟାଗଡ଼ ଜିଲ୍ଲାପାଳ ଟିକା ନେଇଛନ୍ତି । ଅଧିକାଂଶ ଜିଲ୍ଲାରେ ଜିଲ୍ଲାପାଳ, ଏସ୍ପି ଟିକା ନେଇଥିବା ବେଳେ ବିଡିଓ, ତହସିଲଦାର ଓ ସରପଞ୍ଚ ମଧ୍ୟ ଟିକା ନେଇଛନ୍ତି । ସେମାନେ ଟିକା ନେବା ପରେ ଅନ୍ୟମାନେ ଯେମିତି ଆଗକୁ ଆସିବେ, ଏଥିପାଇଁ ଆହ୍ୱାନ ମଧ୍ୟ ଦେଇଛନ୍ତି । ବରଗଡ଼ରେ ୧୦୬%, ଭଦ୍ରକରେ ୧୩୬%, କଟକରେ ୧୧୬%, ଦେବଗଡ଼ରେ ୧୨୪.୯%, ଯାଜପୁରରେ ୧୧୯.୨%, କୋରାପୁଟରେ ୧୪୦%, ନବରଙ୍ଗପୁରରେ ୧୦୧.୯%, ନୂଆପଡାରେ ୧୧୬.୭%, ପୁରୀରେ ୧୦୪.୬% ଓ ରାୟଡ଼ାରେ ୧୭୩.୭% ଟିକା ନେଇଛନ୍ତି ।
ଟାର୍ଗେଟ ପୂରା କରିବାକୁ ଏଥର ରବିବାରେ ମଧ୍ୟ ଟିକାକରଣ ଚାଲିବ । ପ୍ରଥମ ପର୍ଯ୍ୟାୟ ଟିକାକରଣ ୧୦ ତାରିଖ ପୂର୍ବରୁ ଶତ ପ୍ରତିଶତ ଟିକାଦାନ କରିବାକୁ ଜୋର୍ଦାର ଉଦ୍ୟମ କରାଯାଇଛି । ଏପଟେ ସମ୍ମୁଖ ଯୋଦ୍ଧା (ପୁଲିସ, ରାଜସ୍ୱ କର୍ମଚାରୀ, ଅଫିସର)ଙ୍କ ମଧ୍ୟ ଟିକାକରଣ ଚାଲୁ ରହିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons