ମାଥିଲି, (ବି.ବି.ନ୍ୟୁଜ୍): ଲଗାଣ ବର୍ଷା ପରେ ଫୁଲି ଉଠିଛି ବାରିଆ ନଈ । ପ୍ରବଳ ବେଗରେ ପାହାଡିଆ ନଈରେ ସୁଅ ଛୁଟୁଛି । ହେଲେ ବିକଳ୍ପ ନାହିଁ । ନା ଡଙ୍ଗା ଅଛି, ନା ଅଛି ପୋଲଟିଏ । ଭରା ନଈରେ ଜୀବନକୁ ବାଜି ଲଗାଇ ପାରି ହେଉଛନ୍ତି ଉଭୟ ୬ ଖଣ୍ଡ ଗାଁର ଲୋକେ । ପ୍ରତି ମୁହୂର୍ତ୍ତରେ ବିପଦ ରହିଛି । ତଥାପି ବିଭିନ୍ନ କାମ ଲାଗି ସୁଅର ଛାତି ଚିରି ଆଗକୁ ବଢିବାକୁ ପଡୁଛି । ଏ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଅଟାଳଗୁଡା ଘାଟରେ ।
ନାଁକୁ କେବଳ ଘାଟ । ନା ଅଛି ଡଙ୍ଗା, ନା ଅଛନ୍ତି ନାଉରୀ । ବର୍ଷତମାମ୍ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ବ୍ଲକ୍ ଅଧୀନରେ ଥିବା ନନ୍ଦପୁରିଆଗୁଡା, ସର୍ଗିଗୁଡା, ପେଦାଗୁଡା, ଗେଲାଗୁଡା ଆଦି ୬ ଖଣ୍ଡ ଗାଁର ଲୋକେ । ଖରା ଓ ଶୀତ ଦିନର କଥା ଅଲଗା । ନଈରେ ପାଣି କମ୍ ଥିବା ବେଳେ ବିଶେଷ କିଛି ଅସୁବିଧା ହେଉନଥିଲା । ଏବେ ବର୍ଷା ସେମାନଙ୍କ ପାଇଁ ଆଣି ଦେଇଛି ବିପତ୍ତି । ବ୍ଲକ୍ ସଦର ମହକୁମାକୁ ଯିବା ଲାଗି ପ୍ରତିବନ୍ଧକ ସାଜିଛି ଏହି ଭରା ବାରିଆ ନଈ । ଅଟାଳଗୁଡା ନିକଟରେ ପାରି ହେବାକୁ ପଡୁଛି ଘାଟ । ଅବସ୍ଥା ସଙ୍ଗୀନ ହେଉଛି, ଯେତେବେଳେ ଏସବୁ ଗାଁର କୌଣସି ଲୋକ ରୋଗରେ ପଡୁଛି । ପ୍ରଶାସନ ବୁଝିବା ଦରକାର ଯେ, ଗର୍ଭବତୀମାନେ ଡାକ୍ତରଖାନା ଯିବେ କେମିତି । କୌଣସି ଜରୁରୀ ସମୟରେ ଲୋକେ ନଦୀ ପାରି ହେବେ କେମିତି । ବହୁ ବର୍ଷ ଧରି ଲୋକେ ଏ ସମ୍ପର୍କରେ ପ୍ରଶାସନକୁ ଅବଗତ କରିଛନ୍ତି । ଘାଟରେ ଏକ ସ୍ଥାୟୀ ପୋଲ ନିର୍ମାଣ ଲାଗି ଦାବି କରିଛନ୍ତି । ଏମିତିକି ଲୋକ ପ୍ରତିନିଧିମାନଙ୍କୁ ସେମାନଙ୍କ ଦୁଃଖ ଜଣାଇଛନ୍ତି । କିନ୍ତୁ କେହି ହେଲେ ସମସ୍ୟାର ସମାଧାନ କରିବାକୁ ଆଗେଇ ଆସିନାହାନ୍ତି ।
ଏବେ ପ୍ରଖର ସ୍ରୋତରେ ପ୍ରତିଦିନ ବାଜି ଲାଗୁଛି ଜୀବନ । ଆଗରୁ ନଦୀ ପାରି ହେବା ବେଳେ ଭାସିଯାଇ ଅନେକଙ୍କ ସଲିଳ ସମାଧି ହୋଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏମିତିକି ନଈ ପାରି ହୋଇନପାରି ପ୍ରାୟ ୪ଜଣ ରୋଗୀଙ୍କ ପ୍ରାଣ ବି ଯାଇଛି । ତଥାପି ପ୍ରଶାସନର ନିଦ ଭାଙ୍ଗିନି । ପୁଣି ଆସିଛି ବର୍ଷା, ପୁଣି ବଢିଛି ଲୋକଙ୍କ ଦୁର୍ଦ୍ଦଶା । ପ୍ରତି ମୁହୂର୍ତ୍ତରେ ଭାସି ଯିବାର ଭୟ ରହିଛି । ଜିଲ୍ଲା ପ୍ରଶାସନ ଏହାକୁ ଗମ୍ଭୀରତାର ସହ ବିଚାରକୁ ନେବା ଦରକାର । ୬ ଖଣ୍ଡ ଗାଁର ପ୍ରାୟ ୫୦୦ ଲୋକଙ୍କ ସ୍ୱାର୍ଥକୁ ଆଖିରେ ରଖି ବାରିଆ ନଈରେ ସ୍ଥାୟୀ ପୋଲ ନିର୍ମାଣ ଦିଗରେ ତୁରନ୍ତ ପଦକ୍ଷେପ ନେବା ଦରକାର । ପୋଲ ନିର୍ମାଣ ପର୍ଯ୍ୟନ୍ତ ଅନ୍ତତଃ ଲୋକଙ୍କ ପାଇଁ ଅଟାଳଗୁଡା ଘାଟରେ ଏକ ମୋଟର ବୋଟ୍ର ବ୍ୟବସ୍ଥା କରିବା ଆବଶ୍ୟକ । ନହେଲେ ଯଦି କୌଣସି ଅଘଟଣ ଘଟେ, ତାହାର ଅପବାଦ ପ୍ରଶାସନକୁ ମୁଣ୍ଡାଇବାକୁ ପଡିବ । ଏ ସମ୍ପର୍କରେ ଆମେ ମାଥିଲି ବିଡିଓ ଆଶିଷ କୁମାର ଭୋଇଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ସେ କହିଛନ୍ତି, ପୋଲ ନିର୍ମାଣ ଲାଗି ପୂର୍ବରୁ ପ୍ରସ୍ତାବ ଯାଇଥିଲେ ବି ପାଣ୍ଠି ଅଭାବରୁ ଆରମ୍ଭ ହୋଇପାରୁନି କାମ । ପୁନର୍ବାର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ତେବେ ଦେଖିବାର କଥା, ନଈ ଆରପଟରେ ରହୁଥିବା ୫୦୦ ଲୋକଙ୍କ ସ୍ୱାର୍ଥକୁ ଆଖିରେ ରଖି ପ୍ରଶାସନ କେବେ ପ୍ରତିକାର ବ୍ୟବସ୍ଥା କରୁଛି ।
Comments are closed, but trackbacks and pingbacks are open.