
ଜୟପୁର,(ବି.ବି.ନୁ୍ୟଜ): ପୌରସଂସ୍ଥା ପକ୍ଷରୁ ସ୍ଥାନୀୟ ଲିଙ୍ଗରାଜ ନଗରରେ ତିଆରି ହୋଇଥିବା ସିସି ରୋଡ୍କୁ କେତେକ ବ୍ୟକ୍ତି ଭାଙ୍ଗି ଦେଇଛନ୍ତି । ପୌର ସଂସ୍ଥାର ବିନା ଅନୁମତିରେ ମେସିନ୍ ଲଗାଯାଇ ଏହାକୁ ଭଙ୍ଗା ଯାଇଥିବା ଅଭିଯୋଗ କରିଛନ୍ତି ସାହିବାସିନ୍ଦା । ଏ ସମ୍ପର୍କରେ ସାହିର କେତେକ ଲୋକ ଉପଜିଲ୍ଲାପାଳ ହେମକାନ୍ତ ସୟଙ୍କ ଉଦେ୍ଧଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ସାହିବାସିନ୍ଦା ଅଭିଯୋଗ କରିଛନ୍ତି ଯେ, କିଛି ଦିନ ତଳେ ପୌରସଂସ୍ଥା ପକ୍ଷରୁ ସାହିରେ ଏକ ୧୩ ଫୁଟ ଚଉଡାର ସିସି ରୋଡ୍ କରାଯାଇଥିଲା । ରୋଡ୍ଟି ସାହିର ପ୍ଲଟ୍ ନମ୍ବର ୬୭/୧୪୨୭, ୨୮, ୨୯, ୩୦) ଦେଇ ଯାଇଥିଲା । ଯାହା ପୌରସଂସ୍ଥା ଏବଂ ଟାଉନ ପ୍ଲାନିଂ ଅଧିକାରୀଙ୍କ ଅନୁମତି ପରେ କରାଯାଇଥିଲା । ଉକ୍ତ ରାସ୍ତାକୁ ଲାଗି ରହିଥିବା ଅନ୍ୟ ଏକ ପ୍ଲଟ୍ ଏବଂ ସବ୍ପ୍ଲଟର ମାଲିକମାନେ ପୌରସଂସ୍ଥାର ବିନା ଅନୁମତିରେ ଜେସିବି ଲଗାଇ ଏହାକୁ ଖୋଳି ଦେଇଛନ୍ତି । ୩ ଫୁଟ ଚଉଡା, ୪ ଫୁଟ ଗଭୀର ଏବଂ ୬୦ ଫୁଟ ଲମ୍ବର ସିସି ରୋଡ୍କୁ ନଷ୍ଟ କରିଛନ୍ତି । ଯଦ୍ୱାରା ରାସ୍ତାରେ ଯିବାଆସିବାରେ ସମସ୍ୟା ହେଉଛି । ଗଭୀର ଖାଲ ଯୋଗୁ ଛୋଟ ଛୁଆ, ଜୀବଜନ୍ତୁ ପଡିଯିବା ଆଶଙ୍କା ରହୁଛି । ଖୋଳା ଯାଇଥିବା ସ୍ଥାନରେ ଏକ ବିଦୁ୍ୟତ୍ ଖୁଣ୍ଟ ରହିଛି । ମାଟି ଖୋଳା ଯାଇଥିବାରୁ ଉକ୍ତ ଖୁଣ୍ଟଟି ପବନରେ ଦୋହଲୁଛି । ଖୁଣ୍ଟ ଉପୁଡିଲେ ତାର ଛିଣ୍ଡି ଧନଜୀବନ ନଷ୍ଟହେବାର ଆଶଙ୍କା ରହିଛି । ତେଣୁ ଖୋଳା ଯାଇଥିବା ରାସ୍ତା ମରାମତି କରାଯାଉ ବୋଲି ଅମିତ କୁମାର ମଲ୍ଲିକ, କାର୍ତ୍ତିକେଶ୍ୱର ରାଉତ, ବିଶ୍ୱମ୍ବର ମଲ୍ଲିକ, ସୁନୀଲ ପ;ନାୟକ, ପଞ୍ଚାନନ ପାଇକରାୟ ପ୍ରମୁଖ ଦାବି କରିଛନ୍ତି । ଏହାର ଏକ କିତା ନକଲ ପୌର ନିର୍ବାହୀ ଅଧିକାରୀ, ଟାଉନ ପ୍ଲାନିଂ ଅଧିକାରୀ, ତହସିଲଦାର, ଟାଉନ ଥାନା ଆଇଆଇସି, ସାଉଥକୋ ନିର୍ବାହୀ ଯନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ପଠାଯାଇଥିବା ସେମାନେ କହିଛନ୍ତି ।


Comments are closed, but trackbacks and pingbacks are open.