କଟକ: ବେଆଇନ ନିଶା କାରବାର ଖାସ୍ କରି ବ୍ରାଉନ୍ସୁଗର ବେପାର ରୋକିବାକୁ ପୁଲିସ ଚଳାଇଥିବା ଡ୍ରାଇଭ୍କୁ ଭଲ ସଫଳତା ମିଳୁଛି । ତେବେ ଏହାକୁ ଅଧିକ ଫଳପ୍ରଦ କରିବା ଅର୍ଥାତ୍ କଟକ ସହରକୁ ଧଳା-ଜହର ମୁକ୍ତ କରିବା ପାଇଁ ପୁଲିସ ଏବେ ଅଣ୍ଟା ଭିଡ଼ିଛି । ଏଥିପାଇଁ ଥାନା ସ୍ତରରେ ‘ନାର୍କୋଟିr’ ଶାଖା ଗଠନ ପାଇଁ ଯୋଜନା ହେଉଛି । ଏହି ଅନୁସାରେ ଥାନା ସ୍ତରରେ ଅଧିକରୁ ଅଧିକ ଗୁଇନ୍ଦା ତଥ୍ୟ ଯୋଗାଡ଼ କରି ବ୍ରାଉନସୁଗର କାରବାର କରୁଥିବା ଅପରାଧୀଙ୍କୁ ଗିରଫ କରାଯିବ । ଖାଲି ଏତିକି ନୁହେଁ, ଏହି କାରବାରରେ ଜିଲ୍ଲା ବାହାର ସହିତ ଲିଙ୍କ୍ ଥିବାରୁ ଅନ୍ୟ ଜିଲ୍ଲା ପୁଲିସ ସହିତ ସମନ୍ୱୟ ରକ୍ଷା କରି କାମ କରିବାକୁ କଟକ ପୁଲିସ ସ୍ଥିର କରିଛି ।
ନବେ ଦଶକ ଓ ଏହାର ପରବର୍ତ୍ତୀ କିଛି ବର୍ଷ ଯାଏ କଟକ ସହରରେ ନିଶା ବେପାର ଚରମ ସ୍ତରରେ ରହିଥିଲା । କହିବାକୁ ଗଲେ କଟକ ନିଶା କାରବାରର ପେଣ୍ଠ ଥିଲା । ମାତ୍ର କାରବାର ଉପରେ ବହୁ କଷ୍ଟରେ ରୋକ୍ ଲାଗି ପାରିଥିଲା । ମାତ୍ର ଗଲା ବର୍ଷେ ଦେଢ଼ ବର୍ଷ ହେବ କଟକରେ ଏହି ବେପାର ପୁଣି ଚେର ମେଲାଇବା ଆରମ୍ଭ କରିଛି । ପ୍ରତି ମାସରେ ପୁଲିସ ହେଉ ବା ଅବକାରୀ ବିଭାଗ ହାତରେ ଜଣେ ଦୁଇ ଜଣ ନିଶା ବେପାରୀ ଧରାପଡ଼ୁଛନ୍ତି । ଏପରିକି ସେମାନଙ୍କଠାରୁ ପ୍ରଚୁର ପରିମାଣର ବ୍ରାଉନସୁଗର ମଧ୍ୟ ଜବତ ହେଉଛି । ତେଣୁ ଏହାକୁ ଦେଖି ନିଶା କାରବାର ବିରୋଧରେ ଅଣ୍ଟା ଭିଡ଼ିଛି କଟକ କମିସନରେଟ୍ ପୁଲିସ । ଚଳିତ ବର୍ଷ ଜାନୁଆରୀ ମାସରୁ ଏକ ପ୍ରକାର ଅଭିଯାନ ଆରମ୍ଭ କରିଛି ପୁଲିସ । ଏହି ଅଭିଯାନକୁ ଭଲ ସଫଳତା ମଧ୍ୟ ମିଳୁଛି । ପୁଲିସ ଗତ ୬ ମାସ ମଧ୍ୟରେ ପ୍ରାୟ ୩ କେଜି ଓଜନର ବ୍ରାଉନସୁଗର ବା ହେରୋଇନ୍ ଜବତ କଲାଣି । ଏପରିକି ୨୪ ଜଣ କୁଖ୍ୟାତ ନିଶା ବେପାରୀ ମଧ୍ୟ ଗିରଫ ହେଲେଣି । ଏହି ସଫଳତା ପୁଲିସର ମନୋବଳ ବୃଦ୍ଧି କରିଛି ।
ତେଣୁ ଏବେ କଟକ ସହରରୁ ନିଶା ବେପାରକୁ ସମୂଳେ ଉପାଡ଼ିବା ପାଇଁ ଜୋର୍ଦାର୍ ଉଦ୍ୟମ କରୁଛି ପୁଲିସ । ଏଥିପାଇଁ ପୁଲିସ ଏକ ଯୋଜନା ପ୍ରସ୍ତୁତ କରିଛି । ଯୋଜନା ଅନୁସାରେ, ପ୍ରତି ଥାନା ସ୍ତରରେ ନାର୍କୋଟିr ୱିଙ୍ଗ ଗଠନ ହେବ । ଏହି ଅନୁସାରେ ଥାନାର କିଛି ନିର୍ଦ୍ଧିଷ୍ଟ କର୍ମଚାରୀ କେବଳ ନିଶା କାରବାର ରୋକିବା ପାଇଁ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବେ । ପୁରୁଣା ବେପାରୀ ଓ ନୂଆ ବେପାରୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବେ । ଏପରିକି ଯେଉଁମାନେ ନିଶା ସେବନ କରୁଛନ୍ତି ସେମାନଙ୍କଠାରୁ ବେପାର ତଥ୍ୟ ଆଣିବେ । ଏହି ତଥ୍ୟକୁ ବିଶ୍ଲେଷଣ କରି ନିଶା ବେପାରୀଙ୍କୁ କିପରି ଗିରଫ କରାଯାଇ ପାରିବ ତାହା ବରିÂ ପୁଲିସ ଅଧିକାରୀଙ୍କ ସହିତ ଆଲୋଚନା କରିବେ । ଏହାପରେ ଚଢ଼ଉ କରାଯାଇ ନିଶା ବେପାରୀଙ୍କୁ ଧରାଯିବ । ଯଦି ଏହି ବେପାରୀଙ୍କୁ ଧରିବା ପାଇଁ ବାହାର ଜିଲ୍ଲା ପୁଲିସର ସହାୟତା ଆବଶ୍ୟକ ପଡେ ତାହେଲେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ସମନ୍ୱୟ ରଖି କାମ କରିବ । ଅତି ଗୋପନୀୟ ଓ ସତର୍କତାର ସହିତ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହି ୱିଙ୍ଗ୍ ଗଞ୍ଜେଇ ଓ ଚୋରା ମଦ କାରବାର ଉପରେ ମଧ୍ୟ ନଜର ରଖିବ । କିନ୍ତୁ ଏହାର ମୁଖ୍ୟ ଉଦେ୍ଧଶ୍ୟ ରହିବ ଧଳାଜହର କାରବାର । ଖୁବଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି କମିସନରେଟ୍ ପୁଲିସର ଜଣେ ବରିÂ ଅଧିକାରୀ ସୂଚନା ଦେଇଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.