ପ୍ରତ୍ୟର୍ପଣ ବିଲ୍ ପ୍ରତ୍ୟାହାର କଲା ହଂକଂ ପ୍ରଶାସନ

Get real time updates directly on you device, subscribe now.

ହଂକଂ: ପ୍ରତ୍ୟର୍ପଣ ବିଲ୍କୁ ନେଇ ହଂକଂରେ ଗତ କିଛି ମାସ ଧରି ଜୋରଦାର ବିକ୍ଷୋଭ ଚାଲିଥିଲାବେଳେ ଏବେ ଏହାକୁ ଶାନ୍ତ କରିବା ପାଇଁ ହଂକଂ ପ୍ରଶାସନ ପଦକ୍ଷେପ ନେଇଛି । ହଂକଂ ପ୍ରଶାସନ ଏହି ପ୍ରସ୍ତାବିତ ବିଲ୍କୁ ପ୍ରତ୍ୟାହାର କରିଛି । ଏହାକୁ ଏବେ ଆଉ ସେଠାକାର ବ୍ୟବସ୍ଥାପିକା ସଭାରେ ଆଗତ କରାଯିବ ନାହିଁ ।
ରିପୋର୍ଟ ଅନୁଯାୟୀ, ତାଇୱାନରେ ଏକ ହତ୍ୟାକାଣ୍ଡ ମାମଲାରେ ହଂକଂର ଜଣେ ବ୍ୟକ୍ତି ଅଭିଯୁକ୍ତ ଥିଲା । ମାତ୍ର ପ୍ରତ୍ୟର୍ପଣ ଆଇନ ନଥିବାରୁ ସେଠାକୁ ଉକ୍ତ ଅଭିଯୁକ୍ତକୁ ବିଚାର ପାଇଁ ପଠାଇବା ସମ୍ଭବପର ନଥିଲା । ତେଣୁ ପ୍ରତ୍ୟର୍ପଣ ବିଲ୍ ଆଗତ କରିବା ପାଇଁ ହଂକଂର ମହିଳା ଶାସକ କ୍ୟାରି ଲାମ୍ ପ୍ରସ୍ତାବ ଦେଇଥିଲେ । ମାତ୍ର ଏହାକୁ ନେଇ ହଂକଂରେ ତୀବ୍ର ଅସନ୍ତୋଷ ବ୍ୟାପିଗଲା । ଲକ୍ଷ ଲକ୍ଷ ଲୋକ ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ । ସେମାନଙ୍କୁ ଦମନ କରିବାକୁ ଚେଷ୍ଟା କରିବାକୁ ପୁଲିସ ସହିତ ସେମାନଙ୍କର ବାରମ୍ବାର ସଂଘର୍ଷ ହୋଇଥିଲା । ଏହାଯୋଗୁ ଅନେକ ଥର ହଂକଂରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ହଂକଂର ଲୋକେ ଆଶଙ୍କା କରୁଥିଲେ ଯେ ନୂଆ ଆଇନ ଯୋଗୁ ସେମାନଙ୍କୁ ବିଭିନ୍ନ ମାମଲାରେ ଚୀନ୍ର କମୁ୍ୟନିଷ୍ଟ ପାର୍ଟି ଦ୍ୱାରା ପରିଚାଳିତ ଅଦାଲତରେ ବିଚାରର ସମ୍ମୁଖୀନ ହେବାକୁ ପଠାଇ ଦିଆଯିବ । ଚୀନ୍ ଏହାର ଅପବ୍ୟବହାର କରି ସେମାନଙ୍କୁ ମିଥ୍ୟା ମାମଲାରେ ଛନ୍ଦି ଦେବ ଏବଂ ପରେ ଦଣ୍ଡିତ କରିବ । କିନ୍ତୁ ମାସାଧିକ କାଳ ଏଭଳି ଆନେ୍ଦାଳନ ଜାରି ରହିଥିବାରୁ ହଂକଂ ପ୍ରଶାସନ ଏବେ ମୁଣ୍ଡ ନୁଆଁଇଛି ଏବଂ ଉକ୍ତ ବିଲ୍କୁ ପ୍ରତ୍ୟାହାର କରିଛି ।
ତେବେ ଏହାଯୋଗୁ ହଂକଂରେ ପରିସ୍ଥିତି ଶାନ୍ତ ପଡିବ ବୋଲି ମନେ କରାଯାଉନାହିଁ । କାରଣ ଆନେ୍ଦାଳନକାରୀମାନେ ୫ଟି ଦାବି କରିଆସୁଛନ୍ତି । ସେଥିମଧ୍ୟରୁ ପ୍ରତ୍ୟର୍ପଣ ଆଇନକୁ ପ୍ରତ୍ୟାହାର କରାଯିବା ଗୋଟିଏ ହୋଇଥିଲାବେଳେ ବାକି ଚାରୋଟି ହେଉଛି ସେମାନଙ୍କ ଆନେ୍ଦାଳନକୁ ଦଙ୍ଗା ବୋଲି ଅବିହିତ ନକରିବା, ପୁଲିସ ଦ୍ୱାରା ଅଟକ ଥିବା ସମସ୍ତ ବ୍ୟକ୍ତିଙ୍କୁ ବିନାସର୍ତ୍ତରେ ମୁକ୍ତ କରିବା, ଆନେ୍ଦାଳନକାରୀଙ୍କ ଉପରେ ପୁଲିସ ଦ୍ୱାରା କରାଯାଇଥିବା ହିଂସାର ବିଚାରବିଭାଗୀୟ ତଦନ୍ତ କରିବା ଏବଂ ହଂକଂର ସିଇଓଙ୍କୁ ସିଧାସଳଖ ଭାବେ ସେଠାକାର ଲୋକଙ୍କ ଦ୍ୱାରା ନିର୍ବାଚିତ କରାଯିବାର ବ୍ୟବସ୍ଥା କରିବା । ହେଲେ ସେମାନଙ୍କର ଚାରୋଟି ଦାବି ଏବେ ବି ପୂରଣ ହୋଇନଥିବାରୁ ହଂକଂରେ ପରିସ୍ଥିତି ଏତେ ଶୀଘ୍ର ସ୍ୱାଭାବିକ ହେବ ନାହିଁ ବୋଲି କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons