ବ୍ରହ୍ମପୁର, (ବି.ବି.ନୁ୍ୟଜ୍): କ୍ୱାରେଣ୍ଟାଇନ୍ ସେଣ୍ଟର୍ରେ କାର୍ଯ୍ୟ କରୁଥିଲି । ୧୪ ଦିନିଆ ଡୁ୍ୟଟି ପରେ ସ୍ୱାବ୍ ଟେଷ୍ଟ୍ କରାଇଥିଲି । ପଜିଟିଭ୍ ଚିହ୍ନଟ ହେବାପରେ ପ୍ରଥମେ ଭାଙ୍ଗିପଡ଼ିଥିଲି । ତେବେ ମୋତେ ବିଡିଓ, ତହସିଲଦାର ସାହସ ଦେଲେ । ପରେ ଶୀତଳାପଲ୍ଲୀ କୋଭିଡ୍ ହସ୍ପିଟାଲକୁ ନିଆଯାଇଥିଲା । ପରେ ଯେତେବେଳେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ୫-ଟି ସଚିବ ଓ ଶେଷରେ ମୁଖ୍ୟମନ୍ତ୍ରୀ ଫୋନ୍ ଯୋଗେ ମୋ ସହ କଥା ହେଲେ, ମୋତେ କୃତଜ୍ଞତା ଜଣାଇବା ସହ ମୋର ଆରୋଗ୍ୟ କାମନା କଲେ ସେତେବେଳେ ମୋ ମନୋବଳ ଦୃଢ଼ ହୋଇଥିଲା । ଶେଷରେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପୁଣି କାର୍ଯ୍ୟରେ ଯୋଗ ଦେଇଛି ।… ଇଏ ହେଉଛି ହିଞ୍ଜିଳିକାଟୁ ଅଞ୍ଚଳର ପ୍ରଥମ ସଂକ୍ରମିତ କରୋନା ଯୋଦ୍ଧା ତଥା ଶିକ୍ଷୟିତ୍ରୀ ସଙ୍ଗୀତା ପାଣିଗ୍ରାହୀଙ୍କ ଅନୁଭୂତିର କଥା । କିଭଳି ଜଣେ ଯୋଦ୍ଧା ଭାବେ କରୋନା ମୁକାବିଲାରେ ନିୟୋଜିତ ଥିଲେ, ଅଥଚ ନିଜେ ସଂକ୍ରମିତ ହେବା ପରେ ଚିକିତ୍ସିତ ହୋଇଥିଲେ, ସେତେବେଳେ ତାଙ୍କ ମନର ଅବସ୍ଥା କଣ ଥିଲା ଓ କିଭଳି ମହାମାରୀକୁ ହରାଇ ବିଜୟୀ ସୈନିକ ଭଳି ଫେରିଛନ୍ତି ତାହା କହିଛନ୍ତି ସେ ।
ମେ ୬ରୁ ୧୯ ତାରିଖ ପର୍ଯ୍ୟନ୍ତ ହିଞ୍ଜିଳିକାଟୁ ପ୍ରାଥମିକ ବାଳକ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ କାମ କରିବା ମଧ୍ୟରେ କେତେବେଳେ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ ସେ । ମେ ୨୦ରେ ହିଞ୍ଜିଳିକାଟୁ କୋଭିଡ୍ କେୟାର୍ ସେଣ୍ଟର୍ (ସିସିସି)ରେ ସ୍ୱାବ୍ ଟେଷ୍ଟ୍ କରାଇଥିଲେ । ୨୨ ତାରିଖ ଅପରାହ୍ଣରେ ବିଡିଓ ଫୋନ୍ କରି ବ୍ଲକ୍ ଅଫିସ୍କୁ ଡକାଇଥିଲେ । ଏକମାତ୍ର ଝିଅର ବିବାହ ପରେ ବେଶ୍ ସମୟ ହେବ ହିଞ୍ଜିଳିକାଟୁ ମାଣିକ ନଗର- ୪ର୍ଥ ଗଳିସ୍ଥିତ ଘରେ ଏକାକୀ ରହି ଆସୁଥିବା ସଙ୍ଗୀତା ଦେବୀ ଯେତେବେଳେ ସେଠାରେ ପହଞ୍ଚିଲେ ସେତେବେଳ ସେ ପଜିଟିଭ୍ ଥିବା କୁହାଯିବାରୁ ସମସ୍ତଙ୍କ ଆଗରେ କାନ୍ଦି ପକାଇଥିଲେ । ସେ ଥିଲେ ହିଞ୍ଜିଳିକାଟୁ ଅଞ୍ଚଳର ପ୍ରଥମ ପଜିଟିଭ୍ (କରୋନା ଯୋଦ୍ଧା) । ତାଙ୍କ ଠାରେ ମହାମାରୀର କୌଣସି ଲକ୍ଷଣ ବି ନଥିଲା । ସେଠାରେ ଉପସ୍ଥିତ ସମସ୍ତ ଅଧିକାରୀ କିନ୍ତୁ ତାଙ୍କୁ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇଥିଲେ । ଖୋଦ୍ ତହସିଲଦାର ଶୀତଳାପଲ୍ଲୀ କୋଭିଡ୍ ହସ୍ପିଟାଲ୍ ନେଇ ୨୨ ତାରିଖରେ ଆଡ୍ମିଟ୍ କରାଇଥିଲେ । ହସ୍ପିଟାଲ୍ରେ ପହଞ୍ଚିବା ବେଳକୁ ସଙ୍ଗୀତା ପାଣିଗ୍ରାହୀଙ୍କ ମନ ଥିଲା ବେଶ୍ ଅସ୍ଥିର । କିନ୍ତୁ ସେ କାହାର ଫୋନ୍ ରିସିଭ୍ କରି ନଥିଲେ । କାଳେ କିଏ କିଛି କହିଦେବ, ତାଙ୍କ ମନୋବଳ ଦୁର୍ବଳ ହୋଇଯିବ । ମନୋଭାବକୁ ସକରାତ୍ମକ କରି ରଖିଥିଲେ ସେ ।
ମେ ୨୩ରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଫୋନ୍ ଯୋଗେ ସଙ୍ଗୀତାଙ୍କ ସହ କଥା ହୋଇଥିଲେ । ସ୍ୱାସ୍ଥ୍ୟ କଥା ପଚାରିଥିଲେ । ମୋର କିଛି ଲକ୍ଷଣ ନାହିଁ ଓ ଭଲରେ ଅଛି କହିବାରୁ ଆପଣଙ୍କଶୀଘ୍ର ଆରୋଗ୍ୟ କାମନା କରୁଛି ବୋଲି କହିଥିଲେ ସେ । ଦିନକ ପରେ ଅର୍ଥାତ୍ ୨୪ ତାରିଖରେ ପ୍ରଥମେ ଭୁବନେଶ୍ୱରରୁ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ଙ୍କ ଫୋନ୍ ଆସିଥିଲା । ପରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଫୋନ୍ କରି ମୋ ସହ ଆଲୋଚନା କରିଥିଲେ । ଧୈର୍ଯ୍ୟର ସହ ମଜବୁତ ହୋଇ ରହିବାକୁ ପରାମର୍ଶ ଦେଇଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ମୋର କାର୍ଯ୍ୟ ପାଇଁ କୃତଜ୍ଞତା ମଧ୍ୟ ଜଣାଇଥିଲେ, ମୋର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଏହା ମୋର ସାହସକୁ ଦ୍ୱିଗୁଣିତ କରିଥିଲା । ସରକାର, ପ୍ରଶାସନ ମୋ ପାଖରେ ଅଛନ୍ତି ବୋଲି ମୋର ହୃଦ୍ବୋଧ ହୋଇଥିଲା । ତା ପରେ ମୁଁ ସେଠାରେ ସୁରୁଖୁରୁରେ ରହିଲି, କୌଣସି ଅସୁବିଧା ହୋଇ ନଥିଲା ।
ମେ ୩୧ରେ ଯେତେବେଳେ ମୋତେ ଡିସ୍ଚାର୍ଜ କରାଗଲା ତହସିଲଦାର ମୋତେ ଆଣି ଘର ପାଖରେ ଛାଡିଲେ । ସାହି ଲୋକ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ୧୪ ଦିନ ଘରୋଇ କ୍ୱାରେଣ୍ଟାଇନ୍ରେ ରହିଲି । ସେତେବେଳେ ସାହି ଲୋକ, ପଡିଶା ଲୋକ ସାହାଯ୍ୟ କରିଥିଲେ । ମୋତେ ଦରକାର ଜିନିଷ ସବୁ ଆଣି ଘର ଦାଣ୍ଡରେ ଦେଇ ଦେଉଥିଲେ । ରଜ ଛୁଟି ପରେ ୧୮ ତାରିଖରେ ସ୍କୁଲରେ ଡୁ୍ୟଟି ପୁଣି ଆରମ୍ଭ କରିଥିଲି । ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଭିନ୍ନ ଅଫିସ୍ କାର୍ଯ୍ୟରେ ସହଯୋଗ କରିଥିଲି । କିନ୍ତୁ କେଉଁଠି ବି ମୋତେ ଲୋକଙ୍କ ଠାରୁ କୌଣସି ଭିନ୍ନ ମାନସିକତାର ସମ୍ମୁଖୀନ ହେବାକୁ ପଡି ନଥିଲା । ଓଲଟି ସବୁଠି ସହଯୋଗ, ଉତ୍ସାହ ମିଳିଥିଲା । ସାର୍ମାନେ ମୋତେ ଯେଭଳି ଉତ୍ସାହିତ କଲେ ଆଜି ସେଥିପାଇଁ ମୁଁ ସମସ୍ତଙ୍କ ସହ ମିଶି ପାରୁଛି । ମନରେ କୌଣସି ଦ୍ୱନ୍ଦ୍ୱ କି ନିରାଶା ନାହିଁ । ସେମାନଙ୍କ ନିକଟରେ ମୁଁ ଚିରକୃତଜ୍ଞ । ୨୭ ବର୍ଷ ହେଲା ଏକୁଟିଆ ପରିବାର ଚଳାଇ ଆସୁଛି । ସଂଘର୍ଷ କରି ଏ ସ୍ଥିତିରେ ପହଞ୍ଚିଛି । ଭଗବାନଙ୍କ କୃପାରୁ ଭଲରେ ଅଛି । ତେବେ ଖୁସି ଲାଗୁଛି ଆଜି କରୋନା ଯୋଦ୍ଧା ଭାବେ ମୁଁ ସମ୍ମାନ ବି ପାଇଛି । ଜୀବନରେ ସଂଗ୍ରାମ କରି ଆଜି ଏ ସ୍ଥିତିରେ ପହଞ୍ଚିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନର ତୃଣମୂଳ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସେ ନିଜ ବିଜୟର ଶ୍ରେୟ ଦେଇଛନ୍ତି ।
Comments are closed, but trackbacks and pingbacks are open.