ବାଲେଶ୍ୱର: ପ୍ରଥମ ଥର ପାଇଁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅଗ୍ନି-ପ୍ରାଇମ୍ ବା ଅଗ୍ନି-ପି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ସୋମବାର ଧାମରାର ଅବଦୁଲ କଲାମ ଦ୍ୱୀପରୁ ଏହି ପରୀକ୍ଷଣ କରାଯାଇଥିଲା । ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଗୋଟିଏ ପାଦଆଗକୁ ବଢ଼ିଛି ।
ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ବିକାଶ ପ୍ରତିÂାନ(ଡିଆର୍ଡିଓ) ଦ୍ୱାରା ପ୍ରସ୍ତୁତ ଅଗ୍ନି-ପି କ୍ଷେପଣାସ୍ତ୍ରକୁ ପୂର୍ବାହ୍ନ ୧୦.୫୫ ମିନିଟ୍ରେ ଧାମରା ଅବଦୁଲ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚ ପ୍ୟାଡ୍ରୁ ପରୀକ୍ଷଣ କରାଯାଇଥିଲା । ଏହା ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଲକ୍ଷ୍ୟଭେଦକରିଥିଲା । ଅଗ୍ନି କ୍ଷେପଣାସ୍ତ୍ରର ଏହା ନୂଆ ସଂସ୍କରଣ ଓ ଅଗ୍ନି-୩ କ୍ଷେପଣାସ୍ତ୍ରଠାରୁ ୫୦ ପ୍ରତିଶତ ଓଜନ କମ୍ । ପୂର୍ବରୁ ଥିବା ସମସ୍ତ ଅଗ୍ନି କ୍ଷେପଣାସ୍ତ୍ରଠାରୁ ଏହା ଉନ୍ନତ । ଏହାକୁ ଚଳନ୍ତା ଯାନ କିମ୍ବା ରାସ୍ତାରେ ଉତ୍କ୍ଷେପଣ କରାଯାଇ ପାରିବ । କେବଳ ଏତିକି ନୁହେଁ, ଦେଶର ବିଭିନ୍ନ ଅଞ୍ଚଳକୁ ଏହାକୁ ସହଜରେ ସ୍ଥାନାନ୍ତର କରାଯାଇ ପାରିବ । ଆବଶ୍ୟକ ମୁତାବକ ଏହାର ବ୍ୟବହାର ମଧ୍ୟ କରାଯାଇ ପାରିବ । ଏହାର ଲକ୍ଷ୍ୟ ଭେଦକ୍ଷମତା ୧ ହଜାରୁ ୨ ହଜାର କିମି ରହିଛି । ଏହା ଶତ୍ରୁ ପକ୍ଷର ଯୁଦ୍ଧ ଜାହାଜକୁ ଅକ୍ଲେଶରେ ଧ୍ୱଂସ କରିପାରିବ ।
୪ ହଜାର କିମି ଯାଏ ଲକ୍ଷ୍ୟଭେଦକ୍ଷମତା ଥିବା ଅଗ୍ନି-୪, ୫ ହଜାର କିମି ଲକ୍ଷ୍ୟ ଭେଦକ୍ଷମତା ଥିବା ଅଗ୍ନି-୫ର ଜ୍ଞାନ କୌଶଳକୁ ଭିତ୍ତି କରି ଅଗ୍ନି-ପି ନିର୍ମିତ ହୋଇଛି । ଏହା ସହିତ ୧ ହଜାର କିଗ୍ରା ଯାଏ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର ମଧ୍ୟ କ୍ଷମତା ରହିଛି । ମହାମାରୀ କୋଭିଡ୍ର ୨ୟ ଲହର ମଧ୍ୟରେ ଏହା ସବୁଠାରୁ ବଡ଼ ପରୀକ୍ଷଣ ବୋଲି ଡିଆର୍ଡିଓ ପକ୍ଷରୁ କୁହାଯାଇଛି । ଏହି ସଫଳତାକୁ ନେଇ ସ୍ୱରାଷ୍ଟ ମନ୍ତ୍ରୀ ରାଜନାଥ ସିଂ ଡିଆର୍ଡିଓର ସମସ୍ତ ବୈଜ୍ଞାନିକ, କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.