ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମହାମାରୀ କରୋନା ଲକ୍ଡାଉନ ଯୋଗୁଁ ରାଜ୍ୟର ଅର୍ଥନୀତି ବହୁଳ ପ୍ରଭାବିତ ହୋଇଛି । ଏଣୁ ରାଜ୍ୟରେ ଅଧିକ ପୁଞ୍ଜିନିବେଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଆର୍ସେଲର ମିତ୍ତଲ ଗ୍ରୁପର ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲଙ୍କ ସହ ନିବେଶ ନେଇ ଆଲୋଚନା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ମିତ୍ତଲ ୨ ହଜାର କୋଟି ନିବେଶ କରିବାକୁ ହଁ ମାରିଛି ।
ପ୍ରଥମ ପର୍ଯ୍ୟାୟ ନିବେଶରେ ଆର୍ସେଲର ମିତ୍ତଲ ଓ ନିପନ ଷ୍ଟିଲ୍ ଦ୍ୱାରା ପରିଚାଳିତ ପାରାଦୀପ ପେଲେଟ ପ୍ଲାଣ୍ଟର କ୍ଷମତା ବାର୍ଷିକ ୬ ନିୟୁତ ଟନ୍ରୁ ୧୨ ନିୟୁତ ଟନ୍କୁ ବୃଦ୍ଧି କରାଯିବ । ସେହିଭଳି ଡାବୁନାର ବେନିଫିକେସନ ପ୍ଲାଣ୍ଟର ସଂପ୍ରସାରଣ କରାଯିବ । ଏହାର କ୍ଷମତା ୫ ନିୟୁତ ଟନରୁ ୧୬ ନିୟୁତ ଟନ ହେବ ବୋଲି ଆଲୋଚନା ବେଳେ ଶ୍ରୀ ମିତ୍ତଲ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ଶିଳ୍ପ ପ୍ରତିÂା ସହ ସଂପ୍ରସାରଣ ପାଇଁ ସବୁପ୍ରକାର ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।
ଓଡ଼ିଶା ସରକାର ଯେପରି ଦକ୍ଷଦାର ସହ କରୋନା ପରିଚାଳନା କରୁଛନ୍ତି ସେଥିପାଇଁ ଶ୍ରୀ ମିତ୍ତଲ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ । କରୋନା ମାଡ଼ରେ ସମଗ୍ର ବିଶ୍ୱର ଅର୍ଥନୀତି ପ୍ରଭାବିତ ହୋଇଥିଲା ବେଳେ ଶିଳ୍ପ ଜଗତକୁ ସହଯୋଗ ଯୋଗାଇବାକୁ ଓଡ଼ିଶା ସରକାରଙ୍କ ଉଦ୍ୟମ ପାଇଁ ସେ ନବୀନଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଲୋଚନା ସମୟରେ ଓଡ଼ିଶାରେ ସ୍ୱଚ୍ଛତାର ସହ ଖଣି ନିଲାମକୁ ଭୂୟସୀ ପ୍ରଶଂସା କରିଥିଲେ ମିତ୍ତଲ । ସେ କହିଲେ, ଖଣି ନିଲାମରେ ତାଙ୍କ କମ୍ପାନିକୁ ସାଗାସାହି ଓ ଠାକୁରାଣୀ ଖଣିର ଲିଜ୍ ମିଳିଛି । ଏ ନିଲାମ ପ୍ରକ୍ରିୟା ଯେପରି ସ୍ୱଚ୍ଛତାର ସହ ସମ୍ପାଦିତ ହେଲା ତାହା ବିଶ୍ୱସ୍ତରରେ ନୂଆ ବେଞ୍ଚମାର୍କ ସୃଷ୍ଟି କରିଛି । ।
ଏ ଅବସରରେ ଓଡ଼ିଶାରୁ ଉପôାଦିତ ଖଣିଜ ଦ୍ରବ୍ୟକୁ ଓଡ଼ିଶାରେ ହିଁ ମୂଲ୍ୟଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମିତ୍ତଲଙ୍କୁ ପରାମର୍ଶ ଦେଇଥିଲେ । ଏହା ହେଲେ ରାଜ୍ୟରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ରାଜ୍ୟ ଅର୍ଥନୀତିରେ ଅଭିବୃଦ୍ଧିରେ ସହାୟକ ହେବ । ରାଜ୍ୟ ସରକାର ଆବଶ୍ୟକୀୟ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।
ସୂଚନାଯୋଗ୍ୟ, ଆର୍ସେଲର ମିତ୍ତଲ ଓ ନିପନ୍ ଷ୍ଟିଲ୍ ଗତ ଡିସେମ୍ବର ମାସରୁ ଏସାର୍ ଷ୍ଟିଲକୁ ଅଧିଗ୍ରହଣ କରିଛି । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶରେ ୫୦ ହଜାର କୋଟିର ଏ ଶିଳ୍ପକୁ ଅଧିଗ୍ରହଣ ସହ ୭ ବିଲିୟନ ଡଲାରର ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ ହୋଇପାରିଛି । ଏହା ଭାରତରେ ବୃହତ୍ତମ ବିଦେଶୀ ପୁଞ୍ଜି ନିବେଶରୁ ଅନ୍ୟତମ । ଆର୍ସେଲର ମିତ୍ତଲ ଓ ନିପନ ଷ୍ଟିଲ୍ ପାରାଦୀପ ପେଲେଟ ପ୍ଲାଣ୍ଟ, କେନ୍ଦୁଝର ଡାବୁନିରେ ବେନିଫିକେସନ ପ୍ଲାଣ୍ଟ ସହ ସାଗାସାହି ଓ ଠାକୁରାଣୀ ଖଣିର ପରିଚାଳନା କରୁଛି । ମୁଖ୍ୟମନ୍ତ୍ରୀଙ୍କ ଆଜିର ଉଦ୍ୟମ ସଫଳ ହୋଇଥିଲା ବେଳେ ଆଗକୁ ଅନ୍ୟ ଶିଳ୍ପପତିଙ୍କ ସହ ଆଲୋଚନା କରି ରାଜ୍ୟକୁ ନିବେଶ ଭିଡ଼ିବା ଉଦ୍ୟମ ଜାରି ରଖିବେ ବୋଲି ସୂଚନା ମିଳିଛି ।
Comments are closed, but trackbacks and pingbacks are open.