ପ୍ରଧାନମନ୍ତ୍ରୀଙ୍କ ‘ମନ୍ କୀ ବାତ୍’

Get real time updates directly on you device, subscribe now.

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ‘ମନ୍ କୀ ବାତ’ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଭାବ ବିନିମୟ କରିଛି । ପ୍ରାୟ ୨୫ ମିନିଟ୍ର ଏହି ଭାଷଣରେ ସେ ଚନ୍ଦ୍ରୟାନ-୨ର ସଫଳ ପ୍ରକ୍ଷେପଣ ପାଇଁ ଇସ୍ରୋର ବୈଜ୍ଞନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିକାଶର ମୁଖ୍ୟ ଧାରାରେ ସାମିଲ ହେବାକୁ ଚାହୁଁଥିବା କାଶ୍ମୀରବାସୀଙ୍କ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ବିକାଶର ପଥରେ ଘୃଣା ସୃଷ୍ଟି କରୁଥିବା ଓ ପ୍ରତିବନ୍ଧକ ସାଜୁଥିବା ବ୍ୟକ୍ତିମାନଙ୍କୁ କଡା ଚେତାବନୀ ମଧ୍ୟ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କାଶ୍ମୀରର ଲୋକମାନେ ବିକାଶର ମୁଖ୍ୟଧାରାରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଗତ ଜୁନ୍ ମାସରେ କାଶ୍ମୀରରେ ‘ଗାଁ କୁ ଚାଲ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ସ୍ୱତଃସ୍ପୁର୍ତ୍ତ ଭାବେ ଲୋକମାନେ ସାମିଲ ହୋଇଥିଲେ । ଦୁର୍ଗମ ଗ୍ରାମକୁ ସରକାରୀ ଅଧିକାରୀମାନେ ଗସ୍ତ କରିଥିଲେ । ସେଠାରେ ଲୋକମାନଙ୍କୁ ବିକାଶର କଥା କହିଥିଲେ । ଲୋକମାନେ ଉତ୍ତମ ଶାସନ ଓ ବିକାଶ ଚାହୁଁଛନ୍ତି । ଏଥିରୁ ଗୋଟିଏ କଥା ପ୍ରମାଣିତ ହୋଇଥିଲା ଯେ ବୋମା ଓ ବନ୍ଧୁକର ଶକ୍ତି ଠାରୁ ବିକାଶର ଶକ୍ତି ଅଧିକ ଶକ୍ତିଶାଳୀ । ଯେଉଁମାନେ ବିକାଶର ରାସ୍ତାରେ ଘୃଣା ସୃଷ୍ଟି କରୁଛନ୍ତି ଓ ପ୍ରତିବନ୍ଧକ ସାଜୁଛନ୍ତି ସେମାନେ ନିଜ ଉଦ୍ଦେଶ୍ୟରେ କେବେ ବି ସଫଳ ହୋଇପାରିବେ ନାହିଁ । ‘ଗାଁ କୁ ଚାଲ’ କାର୍ଯ୍ୟକ୍ରମ ଅଧୀନରେ ୪ ହଜାର ୫୦୦ ଗ୍ରାମ ପଞ୍ଚାୟତକୁ ସରକାରୀ ଅଧିକାରୀ ଗସ୍ତ କରି ସେଠାକାର ଲୋକମାନଙ୍କ ସହିତ ବିକାଶ ପ୍ରସଙ୍ଗରେ ଭାବ ବିନିମୟ କରିଥିଲେ ।
ଶ୍ରାବଣ ମାସରେ ସବୁଆଡେ ଏକ ନୂଆ ଶକ୍ତି ସଞ୍ଚାର ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଚଳିତ ବର୍ଷ ଅମରନାଥ ଯାତ୍ରାରେ ଗତଥର ଅପେକ୍ଷା ଅଧିକ ଲୋକ ସାମିଲ ହୋଇଛନ୍ତି । ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଏପର୍ଯ୍ୟନ୍ତ ୩ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ କରିସାରିଲେଣି । ଉତ୍ତରାଖଣ୍ଡର ଚାରିଧାମ ଯାତ୍ରାରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି । ୮ଲକ୍ଷ ଲୋକ କେଦାରନାଥ ଦର୍ଶନ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚନ୍ଦ୍ରୟାନ-୨ ସମ୍ପୂର୍ଣ୍ଣ ସ୍ୱଦେଶୀ ମିଶନ ଥିଲା । ଏହି ମିଶନ ଦେଶବାସୀଙ୍କୁ ଗୌରାବାନ୍ୱିତ କରିଛି । ଏହାଦ୍ୱାରା ମହାକାଶରେ ଭାରତର ଶକ୍ତି ବଢ଼ିଛି । ମହାକାଶ କ୍ଷେତ୍ରରେ ୨୦୧୯ ଭାରତ ପାଇଁ ସବୁଠାରୁ ସଫଳତାର ବର୍ଷ ରହିଛି । ଚନ୍ଦ୍ରୟାନ-୨ର ସଫଳ ପ୍ରକ୍ଷେପଣ କରି ବୈଜ୍ଞାନିକମାନେ ପ୍ରମାଣିତ କରିଦେଇଛନ୍ତି ଯେ ଯେକୌଣସି ନୂଆ କ୍ଷେତ୍ର ହେଲେ ମଧ୍ୟ ସେମାନେ ସର୍ବଶ୍ରେଷ୍ଠ ଓ ବିଶ୍ୱସ୍ତରୀୟ । ଦେଶର ବିଦ୍ୟାର୍ଥୀ ବନ୍ଧୁ ଓ ଯୁବ ସାଥୀମାନଙ୍କ ପାଇଁ ଚନ୍ଦ୍ରୟାନ-୨ ଲ୍ୟାଣ୍ଡିଂର ସାକ୍ଷୀ ବନିବାର ସୁଯୋଗ ରହିଛି । ସେମାନଙ୍କୁ କୁଇଜ ପ୍ରତିଯୋଗିତାରେ ସାମିଲ ହେବାକୁ ପଡିବ । ଅଧିକ ନମ୍ବର ରଖିଥିବା ବିଦ୍ୟାର୍ଥୀ ଓ ଯୁବବନ୍ଧୁ ସେପ୍ଟେମ୍ବର ୭ରେ ଶ୍ରୀହରିକୋଟାରେ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡିଂ ଦୃଶ୍ୟ ଦେଖିପାରିବେ ।
ଅଗଷ୍ଟ ମାସ ଭାରତ ଛାଡ ଆନ୍ଦୋଳନର ସ୍ମୃତି ନେଇ ଆସିଛି । ଆପଣମାନେ ଅଗଷ୍ଟ ୧୫ରେ ବିଶେଷ ପ୍ରସ୍ତୁତି କରନ୍ତୁ । ସ୍ୱାଧୀନତାର ଏହି ମହାନ ପର୍ବକୁ ପାଳନ କରିବା ଲାଗି ନୂଆ ତରିକା ଖୋଜନ୍ତୁ । ସେଥିରେ ଜନ ଭାଗିଦାରୀ ବଢ଼ାନ୍ତୁ । ୧୫ ଅଗଷ୍ଟ ଲୋକ ଉତ୍ସବ କିଭଳି ପାଳନ କରାଯିବ, ଜନ ଉତ୍ସବ କିଭଳି ପ୍ରସ୍ତୁତ କରାଯିବ ସେକଥା ଚିନ୍ତା କରନ୍ତୁ ।
ବର୍ଷା ଉଭୟ ନୂତନ ଉନ୍ମାଦନା ଓ ଖୁସି ସାଥୀରେ ଧରି ଆସେ । ମୌସୁମୀ ବର୍ଷା ଆପଣଙ୍କ ମନରେ ଖୁସି ଭରିଦେଉ । ଆପଣମାନେ ସମସ୍ତେ ସୁସ୍ଥ ଓ ନିରୋଗ ରୁହନ୍ତୁ । ମୌସୁମୀ ବର୍ଷା ଯୋଗୁ ଦେଶର ଅନେକ ଅଞ୍ଚଳ ଏବେ ବନ୍ୟାରେ ପ୍ରଭାବିତ ହୋଇଛି । ବହୁଲୋକ ଦୁଃଖକଷ୍ଟ ଭୋଗ କରୁଛନ୍ତି । ପ୍ରଭାବିତ ଲୋକମାନଙ୍କୁ ଯଥାସମ୍ଭବ ରିଲିଫ ଓ ଅନ୍ୟାନ୍ୟ ସହାୟତା ଯୋଗାଇଦେବା ଲାଗି କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସହ ମିଶି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଜଳ ସଙ୍କଟ ଓ ଜଳ ସଂରକ୍ଷଣ ସବୁଠାରୁ ବଡ ପ୍ରସଙ୍ଗ ପାଲଟିଛି । ସମସ୍ତେ ଜଳ ସଂରକ୍ଷଣ ପାଇଁ ବିଭିନ୍ନ ଉପାୟରେ କାର୍ଯ୍ୟ କରୁଛନ୍ତି । ହରିୟାନାରେ କମ୍ ଜଳରେ କିଭଳି ଅଧିକ ଫସଲ ଅମଳ କରାଯାଇ ପାରିବ ସେଥିପାଇଁ ଉଦ୍ୟମ କରାଯାଉଛି । ବର୍ତ୍ତମାନ ଉତ୍ସବର ଋତୁ । ଏହି ଋତୁରେ ଜଳ ସଂରକ୍ଷଣ ଉତ୍ସବ ପାଳନ କରାଯିବା ଉଚିତ । ଜଳ ସଂରକ୍ଷଣ ପାଇଁ ପଥପ୍ରାନ୍ତ ନାଟକ ଓ ପ୍ରଦର୍ଶନୀ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବାର ଆବଶ୍ୟକତା ରହିଛି । ମେଘାଳୟ ଦେଶର ଏଭଳି ପ୍ରଥମ ରାଜ୍ୟ ହୋଇପାରିଛି, ଯେଉଁଠାରେ ରାଜ୍ୟ ସରକାର ସ୍ୱତନ୍ତ୍ର ଜଳନୀତି ଆଣିଛନ୍ତି । ଏଭଳି ପ୍ରୟାସ ପାଇଁ ରାଜ୍ୟ ସରକାରଙ୍କୁ ସେ ବଧାଇ ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons