ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଆଜି ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି । ତାଙ୍କୁ ୬୭ ବର୍ଷ ହୋଇଥିଲା । ହୃଦ୍ଘାତର ଶିକାର ହେବାରୁ ତାଙ୍କୁ ତୁରନ୍ତ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଥିଲେ । ତାଙ୍କ ଚିକିତ୍ସା ପାଇଁ ୫ ଜଣ ଡାକ୍ତରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ତେବେ ଡାକ୍ତରମାନଙ୍କ ଆପ୍ରାଣ ଉଦ୍ୟମ ସତ୍ତେ୍ୱ ତାଙ୍କର ପରଲୋକ ହୋଇଯାଇଥିବା ରାତି ପ୍ରାୟ ୧୧ଟା ବେଳକୁ ଏମ୍ସ ପକ୍ଷରୁ ଏକ ବୁଲେଟିନରେ କୁହାଯାଇଛି ।
ସୁଷମାଙ୍କ ପରଲୋକ ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ ବିଜେପିର ଅନେକ ନେତା ଓ ମନ୍ତ୍ରୀ ଏମ୍ସରେ ପହଞ୍ôଚ ସୁଷମାଙ୍କ ଶେଷଦର୍ଶନ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ସୁଷମା ଗତ କିଛିବର୍ଷ ଧରି ଅସୁସ୍ଥ ଥିଲେ । କିଡ୍ନୀ ପ୍ରତ୍ୟାରୋପଣ କରିବା ପରଠାରୁ ସେ ଅସୁସ୍ଥ ଅନୁଭବ କରୁଥିଲେ । ଏହି କାରଣରୁ ସେ ଚଳିତ ବର୍ଷ ଲୋକସଭା ନିର୍ବାଚନ ଲଢ଼ିନଥିଲେ କି ମନ୍ତ୍ରୀ ପଦ ଗ୍ରହଣ କରିନଥିଲେ ।
ଆଜି ହୃଦ୍ଘାତର ଶିକାର ହେବାର ତିନି ଘଣ୍ଟା ପୂର୍ବରୁ ସୁଷମା ଏକ ଟ୍ୱିଟ୍ କରି ସମ୍ବିଧାନର ଧାରା ୩୭୦ ହଟାଇବାର ପ୍ରଶଂସା କରିଥିଲେ ଏବଂ ଏଇ ଦିନ ଦେଖିବାକୁ ସେ ଅପେକ୍ଷା କରିଥିଲେ ବୋଲି ପ୍ରକାଶ କରିଥିଲେ । ସେହିପରି ଏହି ପ୍ରସଙ୍ଗରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ଦେଇଥିବା ଭାଷଣର ଉଚ୍ଚ ପ୍ରଶଂସା କରିଥିଲେ । ଗତକାଲି ସେ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ସାହସିକ ପଦକ୍ଷେପକୁ ପ୍ରଶଂସା କରିଥିଲେ ।
Comments are closed, but trackbacks and pingbacks are open.