ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନ୍ରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜେଇଇ ଏବଂ ନିଟ୍ ସ୍ଥଗିତ ରଖିବାକୁ କଲେ ଅନୁରୋଧ
ଭୁବନେଶ୍ବର : ଜେଇଇ ଏବଂ ନିଟ୍ କୁ ସ୍ଥଗିତ ରଖିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜେଇଇ ଏବଂ ନିଟ୍ କୁ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ରାଜ୍ୟର ଅନେକ ଅଞ୍ଚଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ହାଜର ହେବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ବୋଲି ନବୀନ କହିଛନ୍ତି ।
ଦୁଇ ଦିନ ପୂର୍ବେ ଜେଇଇ ଏବଂ ନିଟ୍ କୁ ସ୍ଥଗିତ ରଖିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏକ ଚିଠି ଲେଖିଥିଲେ । କରୋନା ସ୍ଥିତିରେ ପରୀକ୍ଷା ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ ନୁହେଁ । ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ନିଟ୍ ପାଇଁ ଆବେଦନ କରିଥିବା ବେଳେ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ପାଇଁ ଓଡିଶାରୁ ଆବେଦନ କରିଛନ୍ତି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ପକ୍ଷରୁ ମାତ୍ର ୭ଟି ସହରରେ ପରୀକ୍ଷା ସେଣ୍ଟର କରାଯାଇଛି । ବିଭିନ୍ନ ଜିଲ୍ଲାରେ ସଟ୍ ଡାଉନ୍ ଓ ଲକ୍ ଡାଉନ୍ ଥିବାରୁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବାରେ ସମସ୍ୟା ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ହେବାକୁ ଥିବା ନିଟ୍ ଏବଂ ଜେଇଇ ଧାର୍ୟ୍ୟ ସୂଚୀ ଅନୁସାରେ ହେବ ବୋଲି ସର୍ବୋଚ୍ଚ ଅଦାଲତ ସବୁଜ ସଙ୍କେତ ଦେଇଥିଲେ । ନିଟ୍ ଏବଂ ଜେଇଇ ପରୀକ୍ଷା ଆୟୋଜନ ବିରୋଧରେ ଦାଖଲ କରାଯାଇଥିବା ଆବେଦନକୁ ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ । କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ସତର୍କତା ଅବଲମ୍ବନ କରାଯାଇଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ଅବଗତ କରାଇବା ପରେ କୋର୍ଟ ଏହି ଆବେଦନକୁ ଖାରଜ କରିଥିଲା ।
ଅବେଦନକୁ ଖାରଜ କରିବା ସହ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ, କ’ଣ ଦେଶରେ ସବୁକିଛି ବନ୍ଦ କରିଦିଆଯିବ? ଏପରି ଏକ ମୂଲ୍ୟବାନ ବର୍ଷକୁ କ’ଣ ନଷ୍ଟ କରିଦିଆଯିବ? ଆବେଦନରେ କୋଭିଡ-୧୯ ସଂକ୍ରମଣର ବୃଦ୍ଧି ହେତୁ ସେପ୍ଟେମ୍ବରରେ ପ୍ରସ୍ତାବିତ ଜେଇଇ ମେନ୍ସ ଏବଂ ନିଟ୍ ୟୁଜି ପରୀକ୍ଷାକୁ ସ୍ଥଗିତ ରଖିବାକୁ ଦାବି କରାଯାଇଥିଲା ।
Comments are closed, but trackbacks and pingbacks are open.