ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆର୍ଟିଆଇଭୁକ୍ତ

Get real time updates directly on you device, subscribe now.

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର (ଆର୍ଟିଆଇ) ଆଇନ ପରିସରଭୁକ୍ତ । ଆର୍ଟିଆଇ ଆବେଦନ ଆଧାରରେ ଏହି କାର୍ଯ୍ୟାଳୟରୁ ସୂଚନା ହାସଲ କରାଯାଇ ପାରିବ । ଖୋଦ ସୁପ୍ରିମକୋର୍ଟ ବୁଧବାର ଏଭଳି ଐତିହାସିକ ରାୟ ପ୍ରଦାନ କରିଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି, ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଏକ ସରକାରୀ କର୍ତ୍ତୃପକ୍ଷ ହୋଇଥିବାରୁ ଏହା ମଧ୍ୟ ଆର୍ଟିଆଇ ପରିସରକୁ ଆସିପାରିବ ।
ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ, ବିଚାରପତି ସଞ୍ଜୀବ ଖନ୍ନା, ଦୀପକ ଗୁପ୍ତା, ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ଏନ୍ ଭି ରାମନାଙ୍କୁ ନେଇ ଗଠିତ ସମ୍ବିଧାନ ପୀଠ ସମ୍ବିଧାନର ଧାରା ୧୨୪ ଆଧାରରେ ଏହି ରାୟ ଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟ ୨୦୧୦ରେ ଦେଇଥିବା ରାୟକୁ ସର୍ବୋଚ୍ଚ ଅଦାଲତ କାଏମ ରଖିଛନ୍ତି । ତେବେ ସ୍ୱଚ୍ଛତାକୁ ଦ୍ୱାହି ଦେଇ ନ୍ୟାୟପାଳିକାକୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରାଯାଇ ପାରିବ ନାହିଁ ବୋଲି ଅଦାଲତ ଚେତାବନୀ ଦେଇଛନ୍ତି ।
ସମ୍ବିଧାନ ପୀଠ ଏହି ଯୁଗାନ୍ତକାରୀ ରାୟ ଦେଇ ସୁପ୍ରିମକୋର୍ଟ ମହାସଚିବ ଏବଂ ସୁପ୍ରିମକୋର୍ଟ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀଙ୍କ ପକ୍ଷରୁ ହୋଇଥିବା ୩ଟି ଆବେଦନକୁ ଖାରଜ କରିଦେଇଛନ୍ତି । ଏହି ରାୟ ଦେଇ ଅଦାଲତ କହିଛନ୍ତି, ସମସ୍ତଙ୍କ ଉପରେ ନଜର ରଖିବା ଉଦେ୍ଧଶ୍ୟରେ ଆର୍ଟିଆଇକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରାଯାଇ ପାରିବ ନାହିଁ । ଏକ ଯଥାର୍ଥ ଉଦେ୍ଧଶ୍ୟରେ ଏହା ବ୍ୟବହୃତ ହେବା ଉଚିତ । ଏହାଛଡ଼ା ସ୍ୱଚ୍ଛତାକୁ ଶାଣିତ କରିବା ବେଳେ ନ୍ୟାୟିକ ସ୍ୱାଧୀନତାକୁ ମଧ୍ୟ ଗୁରୁତ୍ୱ ଦିଆଯିବା ଆବଶ୍ୟକ ।
ସମ୍ବିଧାନ ପୀଠ ନିଜ ରାୟରେ କହିଛନ୍ତି, ନିଯୁକ୍ତି ନିମନ୍ତେ କଲେଜିୟମ୍ ଦ୍ୱାରା ଯେଉଁ ବିଚାରପତିଙ୍କୁ ନେଇ ସୁପାରିସ କରାଯାଉଛି, କେବଳ ସେମାନଙ୍କ ନାମ ପ୍ରକାଶ କରାଯାଇ ପାରିବ । କିନ୍ତୁ ସେମାନଙ୍କ ନାମକୁ କଲେଜିୟମ୍ କେଉଁଥିପାଇଁ ବାଛିଲେ ସେ ନେଇ କିଛି କୁହାଯାଇ ପାରିବ ନାହିଁ ।
ଏହି ଗୁରୁତ୍ୱପୂର୍ଣ୍ଣ ମାମଲାରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋଗୋଇ, ବିଚାରପତି ଦୀପକ ଗୁପ୍ତା ଓ ସଞ୍ଜୀବ ଖନ୍ନା ଗୋଟିଏ ରାୟ ଉଲ୍ଲେଖ କରିଥିବା ବେଳେ ବିଚାରପତି ରାମନା ଓ ଚନ୍ଦ୍ରଚୂଡ଼ ପୃଥକ୍ ରାୟ ଲେଖିଥିଲେ । ଏଥିରେ କୁହାଯାଇଛି ଯେ ଗୋପନୀୟତା ଅଧିକାର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ତେଣୁ ସ୍ୱଚ୍ଛତା ସହିତ ଏହାର ସନ୍ତୁଳନ ରହିବା ଆବଶ୍ୟକ । ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟରୁ ସୂଚନା ପ୍ରଦାନ ବେଳେ ଏହି ଦିଗକୁ ଦୃଷ୍ଟିରେ ରଖିବା ଅପରିହାର୍ଯ୍ୟ ।
ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଦ୍ୱାରା ଲିଖିତ ରାୟ ମୁତାବକ ନ୍ୟାୟପାଳିକା ସମ୍ପୂର୍ଣ୍ଣ ପ୍ରତିରୋଧମୁକ୍ତ ଭାବେ କାର୍ଯ୍ୟ କରିପାରିବ ନାହିଁ । କାରଣ ବିଚାରପତିମାନେ ସାମ୍ବିଧାନିକ ପଦବିରେ ରହି ସରକାରୀ କର୍ତ୍ତବ୍ୟ ପାଳନ କରୁଛନ୍ତି । ସେହିଭଳି ନ୍ୟାୟପାଳିକାର ସ୍ୱାଧୀନତା ଏବଂ ସ୍ୱଚ୍ଛତା ସମାନ୍ତରାଳ ଭାବେ ଗତି କରିବା ଆବଶ୍ୟକ ବୋଲି ଜଷ୍ଟିସ୍ ଖନ୍ନା କହିଛନ୍ତି ।
୨୦୧୦ ଜାନୁଆରୀ ୧୦ରେ ଦିଲ୍ଲୀ ହାଇକୋର୍ଟ ନିଜ ରାୟରେ କହିଥିଲେ, ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆର୍ଟିଆଇ ଆଇନ ପରିସରଭୁକ୍ତ । ନ୍ୟାୟିକ ସ୍ୱାଧୀନତା ଜଣେ ବିଚାରପତିଙ୍କ ବିଶେଷାଧିକାର ନୁହେଁ । ବରଂ ତାଙ୍କ ଉପରେ ନ୍ୟସ୍ତ ଦାୟିତ୍ୱକୁ ସେ ପାଳନ କରିବେ । ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟକୁ ସୁପ୍ରିମକୋର୍ଟଙ୍କ ମହାସଚିବ ଓ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ଚାଲେଞ୍ଜ୍ କରିଥିଲେ ।
ସୁପ୍ରିମକୋର୍ଟଙ୍କର ଏହି ୮୮ ପୃÂା ସମ୍ବଳିତ ରାୟ ପୂର୍ବତନ ପ୍ରଧାନ ବିଚାରପତି କେ ଜି ବାଲକ୍ରିଷ୍ଣନ୍ଙ୍କ ପାଇଁ ଧକ୍କା ସଦୃଶ ହୋଇଛି । ବିଚାରପତିଙ୍କ ସମ୍ପର୍କିତ ସୂଚନା ଆର୍ଟିଆଇ ଦ୍ୱାରା ପ୍ରକାଶ କରାଯାଇ ପାରିବ ନାହିଁ ବୋଲି ବାଲକ୍ରିଷ୍ଣନ୍ ରାୟ ଦେଇଥିଲେ । ଫଳରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଲାଗୁ ହୋଇଥିଲା । ପରେ ମାମଲା ସମ୍ବିଧାନ ପୀଠଙ୍କ ନିକଟକୁ ପଠାଯାଇଥିଲା ।
ହାଇକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ୨୦୧୦ରେ ନିଜ ରାୟ ଶୁଣାଇଥିଲେ । ଖଣ୍ଡପୀଠରେ ମୁଖ୍ୟ ବିଚାରପତି ଏ ପି ଶାହ (ଅବସର ନେଇସାରିଛନ୍ତି), ବିଚାରପତି ବିକ୍ରମଜିତ୍ ସେନ୍ ଏବଂ ଏସ୍ ମୁରଲୀଧର ରହିଥିଲେ । ଖଣ୍ଡପୀଠ ସୁପ୍ରିମକୋର୍ଟଙ୍କ ପିଟିସନ୍କୁ ଖାରଜ କରିଦେଇଥିଲେ । ଆର୍ଟିଆଇ ପରିସରକୁ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆସିବା ଦ୍ୱାରା ନ୍ୟାୟିକ ସ୍ୱାଧୀନତା ପ୍ରତି ‘ଆଘାତ’ ପହଞ୍ଚିବ ବୋଲି ସୁପ୍ରିମକୋର୍ଟ ସେତେବେଳେ ଯୁକ୍ତି ଦର୍ଶାଇଥିଲେ । କିନ୍ତୁ ଏହି ଯୁକ୍ତି କାଟ୍ ଖାଇଥିଲା । ଜଷ୍ଟିସ୍ ସେନ୍ ସୁପ୍ରିମକୋର୍ଟ ବିଚାରପତି ଭାବେ ଅବସର ନେଇସାରିଥିବା ବେଳେ ଜଷ୍ଟିସ୍ ମୁରଲୀଧର ଏବେ ହାଇକୋର୍ଟ ବିଚାରପତି ଅଛନ୍ତି ।
ଉଲ୍ଲେଖଥାଉ କି ଆର୍ଟିଆଇ ପରିସରକୁ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆସିବା ଉଚିତ ବୋଲି ଆର୍ଟିଆଇ କର୍ମୀ ଏସ୍ ସି ଅଗ୍ରୱାଲ ଯୁକ୍ତି ଦର୍ଶାଇବା ସହ ଏ ନେଇ ସୁପ୍ରିମକୋର୍ଟରେ ପ୍ରଥମେ ପିଟିସନ୍ କରିଥିଲେ । ତାଙ୍କ ଓକିଲ ପ୍ରଶାନ୍ତ ଭୂଷଣ ସୁପି୍ରମକୋର୍ଟଙ୍କୁ କହିଥିଲେ କି ଏହା ଜରୁରି ପ୍ରସଙ୍ଗ ହୋଇଥିବାରୁ ସର୍ବୋଚ୍ଚ ଅଦାଲତ ନିଜ ସଂକ୍ରାନ୍ତ ମାମଲାର ବିଚାର ନିଜେ କରିବା ଆବଶ୍ୟକ । ତା’ଛଡ଼ା ଆର୍ଟିଆଇ ପରିସରକୁ ଆସିବା ପାଇଁ ସୁପ୍ରିମକୋର୍ଟଙ୍କ ଅନିଚ୍ଛୁକତାକୁ ସେ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇଥିଲେ । ବିଚାରପତିମାନେ ଭିନ୍ନ ଦୁନିଆରେ ରହୁଛନ୍ତି କି ବୋଲି ପ୍ରଶାନ୍ତ ଭୂଷଣ ସେତେବେଳେ ପ୍ରଶ୍ନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons