ରାଉରକେଲା,(ବି.ବି.ନ୍ୟୁଜ୍): ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି)ର ଆସିଷ୍ଟାଣ୍ଡ ପ୍ରଫେସର ଆର.ଜୟବାଲନ ଓ ତାଙ୍କ ପତ୍ନୀ ମାଲିନି କେଶବ ବାଲନଙ୍କ ମୃତ ଦେହ ଗତକାଲି ବନ୍ଦ କୋଠରିରୁ ପୁଲିସ୍ ଉଦ୍ଧାର କରି ଆଇଜିଏଚ୍ର ମର୍ଗ ହାଉସରେ ରଖିଥିଲା । ଆଜି ସକାଳେ ମୃତ ଆର.ଜୟବାଲନଙ୍କ ବଡ଼ ଭାଇ ଫବିନ ବାଲନ ନିଜ ସାଙ୍ଗମାନଙ୍କ ସହ ଏଠାରେ ପହଞ୍ଚିଥିଲେ । ପୁଲିସ୍ ତାଙ୍କୁ ଆଇଜିଏଚ୍କୁ ନେଇ ଯାଇଥିଲା । ସେଠାରେ ପୁଲିସ୍ ଶବ ଦୁଇଟିର ପଞ୍ଚନାମା କରିବା ପରେ ଫବିନଙ୍କୁ ମୃତ ଦେହ ହସ୍ତାନ୍ତର କରିଥିଲା । ଏହି ମୃତ୍ୟୁ ନେଇ ମୁହଁ ଖୋଲିଲେନି ଫବିନ । ପ୍ରଫେସର ଦମ୍ପତିଙ୍କ ମୃତ୍ୟୁ ଘଟଣାର ଗୁମର ସୁଇସାଇଡାଲ ନୋଟ୍ରୁ ଧୀରେ ଧୀରେ ଖୋଲିବାରେ ଲାଗିଛି ।
ପ୍ରଫେସର ଆର.ଜୟବାଲାନ ଓ ମାଲିନି କେଶବ ବାଲନଙ୍କ ବିବାହକୁ ୯ ବର୍ଷ ବିତି ଯାଇଥିଲେ ହେଁ ସେମାନଙ୍କର କୌଣସି ସନ୍ତାନ ନଥିଲେ । ଯେଉଁଥି ପାଇଁ ସେମାନେ ସବୁ ବେଳେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ଗତ ୧୪ ତାରିଖ ଦିନ ଦମ୍ପତି ବ୍ୟାଙ୍କକୁ ଯାଇ ଟଙ୍କା ଉଠାଇବା ସହ ଲକରରୁ ସୁନା ଗହଣା ବାହାର କରି ଆଣିଥିଲେ । ଆହୁରି ଜଣାପଡ଼ିଛି ଯେ, ମୃତ୍ୟୁ ପୂର୍ବରୁ ଅନ୍ଲାଇନ୍ରେ ୨୦ ପ୍ୟାକେଟ୍ କୀଟନାଶକ ମଗାଇଥିଲେ । ଏହା ପରେ ସେଥିରୁ ୯ଟି ପ୍ୟାକେଟ ଖୋଲି ତାକୁ ପାଉଁରୁଟି ଓ ମିଠାରେ ମିଶାଇ ଖାଇଥିଲେ । ବିଷକ୍ରିୟା ଯୋଗୁଁ ସେମାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଅପରପକ୍ଷରେ ସେମାନେ ଛାଡ଼ି ଯାଇଥିବା ୪ ପୃଷ୍ଠାର ସୁଇସାଇଡାଲ ନୋଟ୍ରେ ଲେଖିଛନ୍ତି ‘ଆମର ଜୀବନ ତୁଚ୍ଛ ହୋଇ ଯାଇଛି । ଆମେ କାହାକୁ ସନ୍ତୁଷ୍ଠ କରି ପାରିଲୁନାହିଁ । ବାପାମାଆ ଆମକୁ କ୍ଷମା ଦେବ’ । ଏତଦ୍ବ୍ୟତୀତ ସେହି ସୁଇସାଇଡାଲ ନୋଟ୍ରେ ଆହୁରି ଲେଖା ଯାଇଛି ଯେ, ଆମର ଦୁଇଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା, କାର ଓ ଘରର ଆସବାବପତ୍ର ଆମ ପରିବାର ଲୋକେ ନେବେ । ମୃତ ପ୍ରଫେସର ଆର.ଜୟବାଲନଙ୍କ ବାପା ନଥିବା ବେଳେ କେବଳ ମାଆ ଓ ଭାଇ ଅଛନ୍ତି । ସେହିପରି ମାଲିନି କେଶବ ବାଲନଙ୍କ ବାପାମାଆ ଓ ଭାଇ ଅଛନ୍ତି । ତାଙ୍କ ଭାଇ ଆମେରିକାରେ ରହୁଥିବା ବେଳେ ବାପାମାଆ ଅସୁସ୍ଥ ଥିବା ଜଣାପଡ଼ିଛି । ପ୍ରଫେସର ଆର.ଜୟବାଲନଙ୍କ ଭାଇ ଏଠାକୁ ଆସି ଶବ ଦୁଇଟିକୁ ନିଜ ଗାଁକୁ ନେବା ଲାଗି କହିଥିଲେ । ହେଲେ ବେଦବ୍ୟାସ ସ୍ୱର୍ଗଦ୍ୱାରରେ ଉଭୟଙ୍କ ଶେଷକୃତ ସମ୍ପନ୍ନ କରାଯାଇଛି । ସେମାନେ ଛାଡ଼ି ଯାଇଥିବା ସୁଇସାଇଡାଲ ନୋଟ୍କୁ ଆଧାର କରି ପୁଲିସ୍ ତଦନ୍ତ ଆରମ୍ଭ କରିବା ସହ ଫବିନଙ୍କୁ ପଚରାଉଚରା କରିଛନ୍ତି । ଆର.ଜୟବାଲନ ଓ ତାଙ୍କ ପତ୍ନୀ ମାଲିନି ଗତ କିଛି ଦିନ ପୂର୍ବରୁ ଗାଁକୁ ଯାଇଥିଲେ । ସେଠାରୁ ସେମାନେ ଫେରିବା ପରେ ଏଭଳି ଚରମ ପଦକ୍ଷେପ ନେଇଥିବାରୁ ଏହା ପଛରେ କିଛି କାରଣ ଥାଇ ପାରେ ବୋଲି ପୁଲିସ୍ ସନ୍ଦେହ କରୁଛି । ଏହି ଦିଗକୁ ନେଇ ତଦନ୍ତ ପୁଲିସ୍ ଚଳାଇଥିବା ଜଣାପଡ଼ିଛି ।
Comments are closed, but trackbacks and pingbacks are open.