ସମ୍ବଲପୁର,(ବି.ବି.ବ୍ୟୁରୋ): ଗତ କିଛି ଦିନର ବର୍ଷାରେ ସମଗ୍ର ପଶ୍ଚିମାଞ୍ଚଳ ଅବସ୍ଥା ବେହାଲ ହୋଇପଡ଼ିଛି । ସହରଗୁଡ଼ିକରେ ବର୍ଷା ପାଣି ନିଷ୍କାସନ ହୋଇନପାରି ଅବସ୍ଥା ଶୋଚନୀୟ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଲଗାଣ ବର୍ଷା ଓ ବନ୍ୟାପାଣି ମାଡ଼ିବା ଦ୍ୱାରା ଘରଦ୍ୱାର ଭାଙ୍ଗିଛି, ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଛି । ନଈନାଳରେ ବନ୍ୟା ପାଣି ଯୋଗୁଁ ଯାତାୟାତ ଓ ଯୋଗାଯୋଗ ପ୍ରଭାବିତ ହୋଇଛି । ମାତ୍ର ପଶ୍ଚିମାଞ୍ଚଳର ପ୍ରମୁଖ ଦୁଇ ପୀଠ ନୃସିଂହନାଥ ଓ ହରିଶଙ୍କର ପୀଠରେ ପୂର୍ବରୁ କେବେ ଦେଖାନଥିବା ଅଘଟଣ ଦେଖିବାକୁ ମିଳିଛି । ହିମାଳୟର କେଦାରନାଥ ଭଳି ସ୍ଥାନରେ ଦେଖିବାକୁ ମିଳୁଥିବା ବାଦଲଫଟା ବର୍ଷାରେ ଭୂସ୍ଖଳନ ଭଳି ଗତକାଲି ପ୍ରବଳ ବର୍ଷାରେ ଗନ୍ଧମାର୍ଦ୍ଦନ ପର୍ବତରୁ ଉପରୁ ମାଟି ଅତଡ଼ା ଧସି ବନ୍ୟା ପାଣି ଉଭୟ ନୃସିଂହନାଥ ଓ ହରିଶଙ୍କର ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲା । ବିଶେଷ ଭାବେ ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ବୌଦ୍ଧ, ସୋନପୁର ସମେତ ଅନ୍ୟାନ୍ୟ ଅଞ୍ଚଳରେ ବର୍ଷାର କରାଳ ଚିତ୍ର ଦେଖିବାକୁ ମିଳିଛି ।
ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ସମ୍ବଲପୁର ସହରର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ବର୍ଷା ଜଳ ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ସହରର ବିଭିନ୍ନ ଅଞ୍ଚଳରେ ବର୍ଷା ପାଣି ଲୋକଙ୍କୁ ଘରକୁ ପଶିଛି । ସହରର ଗୋପାଲମାଲ, ଏସ୍ଆର୍ଆଇଟି କଲୋନି, ଚେରୁଆପଡ଼ା, ପ୍ରଗତି ବିହାର ସମେତ ଅନ୍ୟାନ୍ୟ ଅଞ୍ଚଳରେ ବର୍ଷା ପାଣି ଜମି ରହିବା ସହ ଲୋକଙ୍କୁ ଘରକୁ ପଶିଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରତିବର୍ଷ ଏଭଳି ସ୍ଥିତି ସୃଷ୍ଟି ହେଉଥିବା ସତ୍ତେ୍ୱ ପ୍ରଶାସନ ଏହାର ସ୍ଥାୟୀ ପ୍ରତିକାର ପାଇଁ ସକରାତ୍ମକ ପଦକ୍ଷେପ ଗ୍ରହଣ କରୁନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
ଦେବଗଡ଼ ପ୍ରତିନିଧିଙ୍କ ସୂଚନା ମୁତାବକ ଜିଳ୍ଲରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଓ କୋହଳା ପାଗ ଲାଗିରହିଛି । ସହରର ଜଳି ଅଞ୍ଚଳରେ ଲୋକଙ୍କୁ ଘରକୁ ବର୍ଷା ପାଣି ପଶିଥିବାରୁ ଲେଶକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରକୋଟ ବ୍ଲକ୍ ଉକୁଣିଆ ମୁଣ୍ଡା ବାହାଡ଼ି ନାଳରେ ଭାସିଯାଇ ଜଣେ ଜଣେ ଯୁବକଙ୍କ ପ୍ରାଣହାନି ଘଟିଛି ।
ବରଗଡ଼ ପ୍ରତିନିଧିଙ୍କ ସୂଚନା ମୁତାବକ ଗତ ଦୁଇଦିନର ଲଗାଣ ବର୍ଷାରେ ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳର ହାଲ ବେହାଲ ରହିଛି । ଜିରା ନଦୀରେ ବନ୍ୟା ଯୋଗୁଁ ପୁରା ବରଗଡ଼ ସହର ଜଳାର୍ଣ୍ଣବ ହୋଇଛି । ବରପାଲି ବ୍ଳକ୍ର କୁମ୍ଭାରୀ ଗାଁ ସହ ଅର୍ଧାଧିକ ଗାଁ ଜଳବନ୍ଦୀ ଜୀବନ ବିତାଉଛନ୍ତି । ସେହିପରି ପୂର୍ବରୁ କେବେ ଦେଖାନଥିବା ଅଘଟଣ ଗନ୍ଧମାର୍ଦ୍ଦନ ପାହାଡ଼ରୁ ଅତଡ଼ା ଧସି ବନ୍ୟାଜଳ ନୃସିଂହନାଥ ପୀଠରେ ପ୍ରବେଶ କରିଛି ।
ଝାରସୁଗୁଡ଼ା ଜିଲ୍ଲା ପ୍ରତିନିଧିଙ୍କ ସୂଚନା ଯେ ଜିଲ୍ଲାରେ ଗତ ଦୁଇ ଦିନ ଧରି ଳଗାଣ ବର୍ଷା ଜାରି ରହିଛି । କୋହଳା ପାଗ ଓ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି । ଗତକାଲି ଜିଲ୍ଲାରେ ୧୦୯.୭ ମି.ମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ୧୮୭ ମି.ମି ବର୍ଷା ହୋଇଛି । ଜିଲ୍ଲାର ନଦୀଗୁଡ଼ିକର ଜଳସ୍ତର ବଢ଼ିଥିବାବେଳେ ସହରର ତଳିଅଞ୍ଚଳରେ ଜଳବନ୍ଦୀ ଭଳି ସମସ୍ୟା ଦେଖିବାକୁ ମିଳିଛି ।
ବୌଦ୍ଧ ପ୍ରତିନିଧିଙ୍କ ସୂଚନାନୁସାରେ ଗତଦୁଇ ଦିନ ଧରି ଲଗାଣ ବର୍ଷା ଓ ମହାନଦୀ ଜଳସ୍ତର ବଢ଼ିବା ଯୋଗୁଁ ଅବସ୍ଥା ସଙ୍ଗୀନ ହୋଇଛି । ୪୧ ନମ୍ବର ରାଜପଥରେ ବନ୍ୟା ପାଣି ଯୋଗୁଁ କଣ୍ଟାମାଳ-ଘଣ୍ଟାପଡ଼ା ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ କୁଲୁଥିଆ ନାଳ ପୋଲ ଉପରେ ୫ ଫୁଟ ପାଣି ପ୍ରବାହିତ ହେଉଥିବାରୁ ସୋନପୁର-ଧର୍ମଶାଳା ଯୋଗାଯୋଗ ବିଛି ହୋଇଛି । ଜିଲ୍ଲାର ୩୫ଟି ଗାଁ ପାଣିଘେରରେ ଥିବା ବେଳେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଜଗନ୍ନାଥ ସଡ଼କରେ ବନ୍ୟା ପାଣି ଯୋଗୁଁ ବୌଦ୍ଧ-ନୟାଗଡ଼ ଯୋଗାଯୋଗ ବିଛିନ୍ନ ହୋଇଛି । ଆସନ୍ତାକାଲି ହୀରାକୁଦରୁ ପ୍ରତମ ବନ୍ୟାଜଳ ଛଡ଼ାଯିବାକୁ ଥିବାରୁ ମହାନଦୀ ଜଳସ୍ତର ବଢ଼ିବା ପରେ ଅବସ୍ଥା ଆହୁରି ସଙ୍ଗୀନ ହେବା ସମ୍ଭାବନା ଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ସୋନପୁର ପ୍ରତିନିଧିଙ୍କ ସୂଚନାନୁସାରେ ମହାନଦୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଜିଲ୍ଲାର ଅନ୍ୟାନ୍ୟ ନଈନାଳରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ବୈଦୁପାଲି ଛକ ନିକଟରେ ରାଜପଥରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବରଗଡ଼-ବୋରିଗୁମ୍ମା ମଧ୍ୟରେ ଜାତୀୟ ରାଜପଥରେ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଯାତାୟାତ ବନ୍ଦ ରହିଥିଲା । ପରେ ବର୍ଷା ପାଣି କମିବାରୁ ଏହି ରାସ୍ତାରେ ଯାନବାହନ ଯାନବାହନ ଚଳାଚଳ କରିଥିଲା ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧିଙ୍କ ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ୍ରେ ସର୍ବାଧିକ ୬୦୮.୯ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ମ. ରାମପୁର ବ୍ଲକ୍ରେ ୪୪୫ ମିମି, ନର୍ଲାରେ ୨୪୧ ମିମି ବର୍ଷା ରେକର୍ଡ କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ମୋଟ୍ ୨୦୮୪.୬ ମିମି ବର୍ଷା ରେକର୍ଡ କରାଯାଇଛି ।
ଏହି ଲଗାଣ ବର୍ଷାରେ ଜିଲ୍ଲାର କର୍ଲାମୁଣ୍ଡା, ମ.ରାମପୁର, କେସିଙ୍ଗା ବ୍ଲକ୍ରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ତେଲ ନଦୀ ଓ ଉତ୍ତେଇ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ୩ଟି ବ୍ଲକ୍ର ୧୦ଟି ପଞ୍ଚାୟତର ୧୭ଟି ଗାଁରେ ରିଲିଫ୍ କେନ୍ଦ୍ରରେ ୮୯୨ ଜଣ ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଗତକାଲି ବନ୍ୟାରେ କର୍ଲାମୁଣ୍ଡାରେ ଭାସି ଯାଇଥିବା ଯୁବକ ବର୍ତ୍ତମାନ ଯାଏ ନିଖୋଜ ଅଛନ୍ତି । ସର୍ବାଧିକ କର୍ଲାମୁଣ୍ଡା ବ୍ଲକ୍ରେ ବନ୍ୟା ଯୋଗୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବା ସହ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।
ନୂଆପଡ଼ା ପ୍ରତିନିଧିଙ୍କ ସୂଚନା ଯେ ନୂଆପଡ଼ା ଜିଲ୍ଲାରେ ଗତକାଲିଠାରୁ ଲଗାଣ ବର୍ଷା ଆରମ୍ଭ ହୋଇଛି । ଆଜି ସକାଳ ୮ଟା ସୁଦ୍ଧା ନୂଆପଡ଼ା ବ୍ଲକରେ ୪୭ ମିମି, କୋମନାରେ ୬୭.୨ ମିମି, ଖଡ଼ିଆଳରେ ୯୪.୨ ମିମି, ସିନାପାଲିରେ ୪୫.୦ ମିମି ଓ ବୋଡେନ ବ୍ଲକରେ ୫୬.୨ ମିମି ବର୍ଷା ହୋଇଛି । ଜିଲ୍ଲାର ଜୋଙ୍କ, ସୁନ୍ଦର, ଲୋୟର ଇନ୍ଦ୍ର, ଉଦନ୍ତୀ ଭଳି ନଦୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହୋଇ ବିପଦ ସଂକେତ ଉପରେ ରହିଛି । ବର୍ଷା ପାଣିରେ ଅନେକ ରାସ୍ତା ଭାଙ୍ଗି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗାଁ ଭିତରକୁ ପାଣି ପଶି ଘର ଭାଙ୍ଗି ଯାଇଛି । ସଦର ବ୍ଲକ ଅପର ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ଆଜି ମଧ୍ୟାହ୍ନରେ ୩ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ଫଳରେ ପତୋରା-ଧରମବନ୍ଧା ବ୍ରିଜ ଉପରେ ୪ ଫୁଟରୁ ଅଧିକା ପାଣି ପ୍ରବାହିତ ହୋଇଥିଲା । ମଧ୍ୟାହ୍ନରେ ପତୋରା ଠାରୁ ଧରମବନ୍ଧା, ଭରୁଆମୁଣ୍ଡା, ଚୁଲାଭାଟ ପଞ୍ଚାୟତକୁ ଜାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା । ସେହିପରି ସାରାବଙ୍ଗରୁ ଆମାନାରା ରାସ୍ତାର ପାୱାରତାଲା ବ୍ରିଜ ଉପରେ ୪ ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଅଧିକାଂଶ ଅଞ୍ଚଳରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି ।
Comments are closed, but trackbacks and pingbacks are open.