ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ଶୀତ ହେବ । ୩ ଦିନ ଧରି ଥଣ୍ଡାର ପ୍ରକୋପରେ ଥରିବ ସାରା ରାଜ୍ୟ । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିବ । ଏପରିକି ରାତି ସମୟରେ ଦୁଇ ଚକିଆ କିମ୍ବା ଖୋଲା କାର୍ରେ ବୁଲିବାକୁ ବାରଣ କରାଯାଇଛି । ଜାଡ଼ର ପ୍ରକୋପ ଏତେ ରହିବ ଯେ ଥଣ୍ଡା ଜନିତ ରୋଗ ହେଉଥିବା ବ୍ୟକ୍ତିମାନଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସଆରସି) ସତର୍କ କରାଇଛନ୍ତି । କେବଳ ମଣିଷ ନୁହଁ, ଗୃହପାଳିତ ପଶୁ, ପକ୍ଷୀଙ୍କୁ ମଧ୍ୟ ଶୀତ ଦାଉରୁ ରକ୍ଷା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ।
ଆସନ୍ତାକାଲି (ସୋମବାର) ମୟୂରଭଞ୍ଜ, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ପବନ ବୋହିବ । ଯାହାର ପ୍ରଭାବରେ ଏହି ଅଞ୍ଚଳରେ ନିଶ୍ୱାସ-ପ୍ରଶ୍ୱାସ ନେବାରେ କଷ୍ଟ ହେବା ଭଳି ବହୁ ଥଣ୍ଡାଜନିତ ରୋଗ ହେବାର ସମ୍ଭାବନା ରହିଛି । ସେଥିପାଇଁ ଏହି ଜିଲ୍ଲାଗୁଡିକରେ ଲୋକମାନଙ୍କୁ ରାତି ସମୟରେ ବାହାରକୁ ନ ବାହାରି ଘରେ ରହିବାକୁ ଏସଆରସି ପରାମର୍ଶ ଦେଇଛନ୍ତି । ତେବେ ଏହି ଜିଲ୍ଲାଗୁଡିକ ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ କୋରାପୁଟ, କନ୍ଧମାଳ, ବାଲେଶ୍ୱର, କେନ୍ଦୁଝର, ବୌଦ୍ଧ, ସୋନପୁର, କଳାହାଣ୍ଡି, ନୂଆପଡ଼ା, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବାସହରା ଲୋକମାନଙ୍କ ପାଇଁ ରାତି ସମୟରେ ଆଶ୍ରୟସ୍ଥଳୀ, ସ୍କୁଲ ଘର ଓ ବିଭିନ୍ନ କମୁ୍ୟନିଟି ସେଣ୍ଟର୍ ଖୋଲା ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଏହି ସମୟରେ କେତେ କେନ୍ଦ୍ର ଖୋଲାଯାଇଛି, କେତେ ସଂଖ୍ୟକ ଲୋକ ରାତିରେ ବିଶ୍ରାମ ନେଇଛନ୍ତି ନେଇ ପ୍ରତିଦିନ ରିପୋର୍ଟ ଦେବାକୁ ଏସଆରସି ନିଦେ୍ର୍ଧଶ ଦେଇଛନ୍ତି । ସେହିପରି ଲୋକମାନେ ନିଜେ ସଚେତନ ହେବା ସହିତ ଗୃହପାଳିତ ଜୀବଜନ୍ତୁଗୁଡିକୁ ନିରାପଦ ରଖିବା ପାଇଁ ସଚେତନ କରିବାକୁ ଆଜି ଜିଲ୍ଲାପାଳମାନଙ୍କୁ ଏସ୍ଆର୍ସି ଚିଠି ଲେଖିଛନ୍ତି ।
ଅପରପକ୍ଷେ କୃଷି ପାଣିପାଗ ବିଷାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତା ମଙ୍ଗଳବାରରୁ ଶୀତ ସାମାନ୍ୟ କମିବ । ପାଗ ଶୁଖିଲା ଓ ଖରାଟିଆ ରହିବ । ଦିନର ତାପମାତ୍ରା ମଧ୍ୟ କ୍ରମଶ ବଢ଼ିବ । ସୋମବାର ରାତିରେ ଥଣ୍ଡା ଅପରିବର୍ତ୍ତିତ ରହିବ । ବୁଧବାର ସୁଦ୍ଧା ପ୍ରାୟ ୨ଡିଗ୍ରୀ ସେଲସିୟସ୍ ସର୍ବନିମ୍ନ ତାପମାତ୍ରା କମିବା ବେଳେ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ଗୁରୁବାର ସୁଦ୍ଧା ୨ଂ ସେଲସିୟସ୍ କମିପାରେ । ତେବେ ଶୀତ ଅପରିବର୍ତ୍ତିତ ରହିବା ସହିତ ୨୮ ତାରିଖରେ ପୁଣି ୧ଂ ସେଲସିୟସ୍ ବଢ଼ିବା ଯୋଗୁଁ ଶୀତ କିଛି କମିବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି ।


Comments are closed, but trackbacks and pingbacks are open.