ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ ସେପ୍ଟେମ୍ବର ପହିଲାରୁ ବସ୍ ଚଳାଚଳ ଆରମ୍ଭ ହୋଇଛି । କିନ୍ତୁ ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇପାରି ନାହିଁ । କରୋନା ମାଡ଼ରେ ବସ୍ ମାଲିକଙ୍କ ଅଣ୍ଟା ଭାଙ୍ଗିଯାଇଛି । ସେପଟେ ଗଞ୍ଜାମ ଜିଲ୍ଲା ପ୍ରଶାସନ ବସ୍ ମାଲିକଙ୍କ ୨ କୋଟି ଟଙ୍କା ଭଡ଼ା ଦେବାରେ ବିଳମ୍ବ କରୁଥିବା ଅଭିଯୋଗ ହୋଇଛି । କରୋନା ସମୟରେ ପ୍ରବାସୀଙ୍କୁ ବୋହିବାରେ ଜିଲ୍ଲାରେ ୨ ଶହ ଘରୋଇ ବସ୍କୁ ଭଡ଼ାରେ ନିୟୋଜିତ କରିଥିଲା ପ୍ରଶାସନ । କରୋନା ସମୟରେ ବସ୍ କର୍ମଚାରୀମାନେ ଜୀବନକୁ ବାଜି ଲଗାଇ ପ୍ରବାସୀଙ୍କୁ ବୋହିଲେ । ଏପରିକି କିଛି କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଥିଲେ । କିନ୍ତୁ କାମ ସରିଯିବା ପରେ ବସ୍ ଭଡ଼ା ଦେବାକୁ ପ୍ରଶାସନ ଭୁଲି ଯାଇଥିବା ଅଭିଯୋଗ କରିଛନ୍ତି ବସ୍ ମାଲିକ ସଂଘ ସମ୍ପାଦକ ସୁବାସ ପଟ୍ଟନାୟକ । ରାଜ୍ୟ ସରକାର ଭଡ଼ା ଦେବାରେ କୌଣସି ତ୍ରୁଟି ରଖିନାହାନ୍ତି, କିନ୍ତୁ ଜିଲ୍ଲାକୁ ଟଙ୍କା ଆସିଥିଲେ ମଧ୍ୟ ତାହା ବସ୍ ମାଲିକଙ୍କୁ ଦିଆଯାଉନାହିଁ । ଦୁଇ ମାସ ହେଲା ମାଲିକ ମାନେ ଭଡ଼ା ପାଇବେ ବୋଲି ଅପେକ୍ଷା କରିଛନ୍ତି । ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ଦିନ ସରୁଛି, କିନ୍ତୁ ଭଡ଼ା ଟଙ୍କା ପ୍ରଶାସନ ଦେଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।
କରୋନା ସମୟରେ ବସ୍ ମାଲିକମାନେ ପ୍ରଶାସନକୁ ସହଯୋଗ କରିଥିଲେ । କିନ୍ତୁ ଏବେ ସେମାନେ ନିଜର ପ୍ରାପ୍ୟ ପାଇପାରୁନାହାନ୍ତି । ଆଗାମୀ ଦିନରେ ବସ୍ ମାଲିକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେ ଚେତାଇ ଦେଇଛନ୍ତି । ମାର୍ଚ୍ଚ ୨୨ରୁ ସାରା ଦେଶରେ ଲକ୍ଡାଉନ୍ ଆରମ୍ଭ ହୋଇଥିବା ବେଳେ ଟ୍ରେନ୍ ଏବଂ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଥିଲା । କିନ୍ତୁ ପ୍ରବାସୀଙ୍କୁ ଘରକୁ ଆଣିବା ପାଇଁ ମେ ମାସରୁ ଟ୍ରେନ୍ ଚଳାଚଳ ହୋଇଥିଲା । ସ୍ୱତନ୍ତ୍ର ଟ୍ରେନ୍ରେ ପ୍ରବାସୀଙ୍କୁ ସୁରଟ, ମୁମ୍ବାଇ, କେରଳ, ତାମିଲନାଡୁ, କର୍ଣ୍ଣାଟକ ଭଳି ଅଞ୍ଚଳରୁ ବ୍ରହ୍ମପୁର ଆସିଥିଲେ । ଏଠାରେ ଟ୍ରେନ୍ରୁ ଓହ୍ଲାଇବା ପରେ ସେମାନଙ୍କୁ ବସ୍ରେ ଜିଲ୍ଲାର ବିଭିନ୍ନ ଜାଗାରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ନିଆଯାଇଥିଲା । ପ୍ରବାସୀଙ୍କୁ ବୋହିବାରେ ୨ ଶହ ବସ୍ ନିୟୋଜିତ ହୋଇଥିବା ବେଳେ ସରକାର ଏହାର ଭଡ଼ା ନିର୍ଦ୍ଧାରିତ କରିଥିଲେ । ଗାଡ଼ିରେ ଡିଜେଲ୍ ପକାଇ କେବଳ ବସ୍ ମାଲିକଙ୍କୁ ସନ୍ତୁଷ୍ଟ କରାଯାଇଥିଲା । ଯାତ୍ରୀ ବୁହା ସରିବା ପରେ ଭଡ଼ା ଦିଆଯିବ ବୋଲି କହିଥିଲା ପ୍ରଶାସନ । ମେ ୩ରୁ ଜୁନ୍ ଶେଷ ପର୍ଯ୍ୟନ୍ତ ପ୍ରବାସୀଙ୍କୁ ବୁହାଯାଇଥିଲା । ଦୁଇ ମାସରେ ବସ୍ ଭଡ଼ା ବାବଦରେ ପ୍ରଶାସନ ୨ କୋଟି ଟଙ୍କା ବାକି ରହିଥିବା ଅଭିଯୋଗ କରିଛି ବସ୍ ମାଲିକ ସଂଘ । ସେପଟେ ଏହାକୁ ସ୍ୱୀକାର କରିଛନ୍ତି ଆର୍ଟିଓ ସଞ୍ଜୟ କୁମାର ବିଶ୍ୱାଳ । ବସ୍ରେ ଡିଜେଲ୍ ପକାଯାଇଥିଲା, ବିଭିନ୍ନ ସମସ୍ୟା କାରଣରୁ ଭଡ଼ା ଦିଆଯାଇ ନାହିଁ । ବସ୍ ମାଲିକମାନେ ନିଜର ବିଭିନ୍ନ ସମସ୍ୟା ଏଡିଏମ୍ (ଜେନେରାଲ୍)ଙ୍କୁ ଜଣାଇଥିଲେ । କିନ୍ତୁ ଏଡିଏମ୍ ଅସୁସ୍ଥତା ହେତୁ ଛୁଟିରେ ଥିଲେ । ସେ ବର୍ତ୍ତମାନ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଶୀଘ୍ର ଭଡ଼ା ସମସ୍ୟା ସମାଧାନ ହେବ ବୋଲି କହିଛନ୍ତି ଆର୍ଟିଓ ।
ଅନ୍ୟପକ୍ଷରେ ମଙ୍ଗଳବାରରୁ ବ୍ରହ୍ମପୁରରୁ ଜିଲ୍ଲା ଓ ଜିଲ୍ଲା ବାହାରକୁ ଗାଡ଼ି ଚଳାଚଳ ଆରମ୍ଭ ହୋଇଛି । କିନ୍ତୁ ବସ୍ ଯାତାୟାତ ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇପାରି ନାହିଁ । ବ୍ରହ୍ମପୁରରୁ ମାତ୍ର ୩୦ଟି ବସ୍ ବିଭିନ୍ନ ଜାଗାକୁ ଯାଆସ କରୁଛି । ସବୁ ସିଟ୍ରେ ଯାତ୍ରୀ ରହୁନାହାନ୍ତି । ଫୁଲବାଣୀ, ବାଲିଗୁଡ଼ା, ଭୁବନେଶ୍ୱର, ଆସିକା, ଭଞ୍ଜନଗରକୁ କିଛି ଗାଡ଼ି ଯାତାୟତ କରୁଛି ବୋଲି ବସ୍ ମାଲିକ ସଂଘ ସମ୍ପାଦକ ସୁବାସ ପଟ୍ଟନାୟକ କହିଛନ୍ତି । ଦୀର୍ଘ ମାସ ଧରି ବସ୍ ଠିଆ ରହିଥିବାରୁ ତାହା ମରାମତି କରିବାକୁ ପଡିବ । କେତେକ ଗାଡ଼ିର କର୍ମଚାରୀ ଆସିନାହାନ୍ତି । ଦୀର୍ଘ ୫ ମାସ ଘରେ ବସିବା ପରେ ସେମାନେ ଅନ୍ୟ କାମରେ ନିୟୋଜିତ ରହିଛନ୍ତି । ସେମାନଙ୍କ ସୁରକ୍ଷା ପାଇଁ ସରକାର କୌଣସି ବ୍ୟବସ୍ଥା କରିନଥିବାରୁ କରୋନା ସମୟରେ କାମ କରିବାକୁ ଭୟ କରୁଛନ୍ତି ।
Comments are closed, but trackbacks and pingbacks are open.