ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପ୍ରତିଟି ଓଡ଼ିଆଙ୍କ ଜୀବନ ଆମପାଇଁ ମୂଲ୍ୟବାନ । ତେଣୁ ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆ ଘରକୁ ଫେରିବା ଉଚିତ୍ କି ଅନୁଚିତ୍ ସେ ପ୍ରଶ୍ନ ଏବେ ଅପ୍ରାସଙ୍ଗିକ । ପ୍ରବାସୀ ଓଡ଼ିଆଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବା ଆମ ସମସ୍ତଙ୍କ ଦାୟିତ୍ୱ । ଏଥିପାଇଁ ସାମାଜିକ ଚିନ୍ତାଧାରା ସୃଷ୍ଟି ହେବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ଘରକୁ ଫେରିବାକୁ ଚାହୁଁଥିବା ଓଡ଼ିଆଙ୍କୁ ସହଯୋଗ କରିବା ସହ ଆଇନ କାନୁନକୁ ସମ୍ମାନ ଦେବା ଏବେ ସମସ୍ତଙ୍କ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅପିଲ୍ କରିଛନ୍ତି । ତେଣୁ ଏ ଦିଗରେ ସରକାର ପଞ୍ଜୀକରଣ କାମ ଆରମ୍ଭ କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।
ତେବେ ପ୍ରବାସୀ ଓଡ଼ିଆମାନେ ଘରକୁ ଫେରିବା ନେଇ ସରକାର ନିର୍ଦ୍ଧିଷ୍ଟ ସର୍ତ୍ତ ରଖିଛନ୍ତି । ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶସନ ସଚିବ ଦେଓ ରଞ୍ଜନ କୁମାର ସିଂହ ପଞ୍ଚାୟତସ୍ତରରୁ ଆରମ୍ଭ ହୋଇଥିବା ପଞ୍ଜୀକରଣ ବିଷୟରେ ସୂଚନା ଦେଇ କହିଛନ୍ତି, ବାହାର ରାଜ୍ୟରେ ଥିବା ବ୍ୟକ୍ତି ନିଜେ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ପଞ୍ଜୀକରଣ କରି ପାରିବେ । ଏଥିପାଇଁ ଏକ ୱେବସାଇଟ୍ ଆରମ୍ଭ କରାଯାଇଛି । ବାହାର ରାଜ୍ୟରେ ଥିବା ବ୍ୟକ୍ତିଙ୍କ ମୋବାଇଲ ନମ୍ବର ଓ ଆଧାର ନମ୍ବର ପଞ୍ଜୀକରଣ ସମୟରେ ଦେବା ପାଇଁ ବାଧ୍ୟ କରାଯାଇଛି । ଏହି ପଞ୍ଜୀକରଣ ଘରେ ବସି କମ୍ପୁ୍ୟଟର ଓ ମୋବାଇଲ ସାହାଯ୍ୟରେ ହୋଇପାରିବ । କିନ୍ତୁ ଗ୍ରାମପଞ୍ଚାୟତରେ ଏହି ପଞ୍ଜୀକରଣ କରିବାରେ ସହଯୋଗ ପାଇଁ ଜଣେ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ପରିବାର ଲୋକ ପଞ୍ଚାୟତ ଅଫିସରେ ମଧ୍ୟ ଏ ପଞ୍ଜୀକରଣ କରିପାରିବେ ।
ପଞ୍ଚାୟତକୁ ଫେରିବା ପରେ ପ୍ରବାସୀ ଓଡ଼ିଆମାନେ ନିଜ ଘରକୁ ସିଧାସଳଖ ଯାଇପାରିବେ ନାହିଁ । ସେମାନେ ପଞ୍ଚାୟତଦ୍ୱାରା ପ୍ରସ୍ତୁତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବେ । ଏହାପରେ ସେମାନେ ପଞ୍ଚାୟତର କ୍ୱାରେଣ୍ଟାଇନ କେନ୍ଦ୍ରରେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ । ସେଠାରେ ସେମାନଙ୍କୁ ମାଗଣା ରହିବା, ଖାଇବା ପିଇବା ସହ ଚିକିତ୍ସା ସେବା ମିଳିବ । ୧୪ ଦିନ ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିଲେ ୨ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ସହ ନିଜ ଘରକୁ ଯିବାକୁ ଅନୁମତି ମିଳିବ । ସମାନ ବ୍ୟବସ୍ଥା ସହରାଞ୍ଚଳ ପାଇଁ ମଧ୍ୟ କରାଯାଇଛି ।
Comments are closed, but trackbacks and pingbacks are open.