ପ୍ରବାସୀ ଶ୍ରମିକ ବସ୍ ଓଲଟି ୮ ଗୁରୁତର

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନ ୧୬ ନଂ. ଜାତୀୟ ରାଜପଥର ମଙ୍ଗଳପୁରଠାରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଗୋଟିଏ ବସ୍(କେଏଲ-୫୫-ଏଲ-୮୫୭୭) ଓଲଟି ଶନିବାର ୮ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକମାନେ ହେଲେ ପଶ୍ଚିମବଙ୍ଗ ରାଜ୍ୟ କ୍ରୀଷ୍ଣାନଗର ଅଞ୍ଚଳର ସୁକଚେଦ୍ ସେକ୍, ମୀର ମୁସ୍ତାକ୍, ୟାସିମ୍ ସେକ୍, ବସ୍ ଚାଳକ ଇର୍ସଦ ମହମ୍ମଦ, ଇରସଦ୍ । ଅନ୍ୟମାନଙ୍କ ପରିଚୟ ମିଳିପାରିନି । ଏମାନଙ୍କୁ ବାଲେଶ୍ୱର ସଦର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା ।
ଖବରରୁ ପ୍ରକାଶ, ପ୍ରବାସୀ ଶ୍ରମିକଙ୍କୁ ନେଇ ଗୋଟିଏ ବସ୍ କେରଳରୁ ପଶ୍ଚିମବଙ୍ଗକୁ ଯାଉଥିଲା । ସକାଳ ସାଢେ଼ ୬ଟା ବେଳେ ବାଲେଶ୍ୱର ଅତିକ୍ରମ କରୁଥିବା ବେଳେ ବସ୍ଟି ଶିଳ୍ପାଞ୍ଚଳ ଥାନା ଅଧୀନସ୍ଥ ୧୬ ନଂ. ଜାତୀୟ ରାଜପଥ ମଙ୍ଗଳପୁରଠାରେ ଗୋଟିଏ ଟ୍ରକ୍କୁ ଅତିକ୍ରମ କରୁଥିଲା । ଏତିକିବେଳେ ବସ୍ଟି ଭାରସାମ୍ୟ ହରାଇ ଏକ ପୋଲରେ ପିଟି ହୋଇ ୨୦ ଫୁଟ୍ ତଳକୁ ଖସି ପଡିଥିଲା । ଏଥିରେ ୨ ଜଣ ଡ୍ରାଇଭର ଓ ୨୮ ଜଣ ଶ୍ରମିକ ଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣ ଗୁରୁତର ହୋଇଥିଲେ ।
ଖବର ପାଇ ଶିଳ୍ପାଞ୍ଚଳ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରିଥିଲା । ପରେ ଗୁରୁତର ଶ୍ରମିକମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ସଦର ମେଡିକାଲକୁ ପଠାଯାଇଥିଲା । ଏକ କ୍ରେନ ସହାୟତାରେ ବସ୍ଟିକୁ ମଧ୍ୟ ଉଠା ଯାଇଥିଲା । ରେମୁଣା ତହସିଲଦାର ଚାର୍ଲସ ନାୟକ ଘଟଣାସ୍ଥଳରେ ପହଞ୍ଚି ପ୍ରବାସୀଙ୍କୁ ଖାଦ୍ୟ, ପାନୀୟ ପ୍ରଦାନ କରିବା ସହ ସେମାନଙ୍କ ଅସୁବିଧା ସଂପର୍କରେ ପଚାରି ସମାଧାନ କରିଥିଲେ । ଗୁରୁତର ଶ୍ରମିକମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅନ୍ୟ ଏକ ଗାଡି ଯୋଗେ ସେମାନଙ୍କୁ ପଶ୍ଚିମବଙ୍ଗକୁ ପଠାଇ ଦିଆଯାଇଥିବା ତହସିଲଦାର ଶ୍ରୀନାୟକ ପ୍ରକାଶ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons