ପୁରୀ: ଦିନକ ପରେ ଶତାବ୍ଦୀର ଦ୍ୱିତୀୟ ବିରଳ ଘୋଷଯାତ୍ରା । ବିନାଭକ୍ତରେ ମହାପ୍ରଭୁ ଘୋଷଯାତ୍ରା କରିବେ । କେବଳ ପ୍ରଶାସନିକ ଅଧିକାରୀ, ପୁଲିସ ଆଉ ସେବାୟତ ଚଳିତ ରଥଯାତ୍ରାରେ ସାମିଲ ହେବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି । ରଥଯାତ୍ରା ସୁରକ୍ଷା ତଥା କୋଭିଡ୍ କଟକଣାକୁ ଅନୁପାଳନ କରିବାକୁ ସହରକୁ ୬୫ ପ୍ଳାଟୁନ ଫୋର୍ସ ଡେରା ପକାଇଛନ୍ତି । ଶନିବାର ଦିନ ତମାମ ରଥଯାତ୍ରା ପ୍ରସ୍ତୁତି ଶେଷ ସମୀକ୍ଷା କରିଛି ପ୍ରଶାସନ । ରଥଖଳାରେ ତିନ ରଥ ନନ୍ଦିଘୋଷ, ଦର୍ପଦଳନ, ତାଳଧ୍ୱଜ ମହାପ୍ରଭୁଙ୍କ ଆଜ୍ଞମାଳକୁ ଅପେକ୍ଷା କରିଛନ୍ତି । ଆସନ୍ତା କାଲି ତିନି ରଥ ପ୍ରଭୁଙ୍କ ଆଦେଶ ମୁତାବକ ସିଂହଦ୍ୱାର ପହଞ୍ଚିବେ । ବିନା ଭକ୍ତରେ ପ୍ରଭୁଙ୍କ ଘୋଷଯାତ୍ରା ଯାତ୍ରାର ଆଉ ଫର୍ଦ୍ଧ ଶ୍ରୀମନ୍ଦିର ଇତିହାସରେ ଯୋଡିଯିବ ।
ଚଳିତ ବର୍ଷ ରଥଯାତ୍ରାରେ ଅନେକ ସର୍ତ୍ତ ଜାରି କରିଛି ପ୍ରଶାସନ । କୋଭିଡ୍ ଟେଷ୍ଟ, ନେଗେଟିଭ୍ ପ୍ରମାଣପତ୍ର ଓ ଦୁଇ ଥର ଟିକା ନେଇଥିବା ସେବାୟତ, ଅଫିସରମାନେ କେବଳ ରଥଯାତ୍ରାରେ ଭାଗ ନେଇ ପାରିବେ । ଚଳିତବର୍ଷ କେବଳ ସେବାୟତମାନେ ରଥ ଟାଣିବେ । ଆଜି ସନ୍ଧ୍ୟା ସୁଦ୍ଧା ଚାରି ହଜାର ସେବକ, ଅଫିସର, ପୁଲିସ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଛି । ଦ୍ୱିତୀୟ ସର୍ତ୍ତ ହେଉଛି ବଡଦାଣ୍ଡ ବାସୀ ନିଜ ନିଜର ଘର ଛାତ ତଥା ବାଲକୋନି ଉପରୁ ରଥଟଣା ବେଳେ ରଥାରୂଢ଼ ଶ୍ରୀବିଗ୍ରହଙ୍କୁ ଦର୍ଶନ କରି ପାରିବେ ନାହିଁ । ବଡଦାଣ୍ଡର ସମସ୍ତ ଲଜକୁ ଖାଲି କରି ଦିଆଯାଇଛି ।
ରଥଯାତ୍ରା ପୂର୍ବଦିନ ଜୁଲାଇ ୧୧ ରାତି ଆଠଟାରୁ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫୁ୍ୟ ଜାରି କରାଯିବ । ସହରର ସମସ୍ତ ପ୍ରବେଶ ପଥକୁ ସିଲ କରି ଦିଆଯାଇଛି । ବାହାର ଲୋକଙ୍କୁ ପୁରୀ ସହରକୁ ପ୍ରବେଶ ବନ୍ଦ ରହିଛି । ସେହିଭଳି ସହିଗଳି କନ୍ଦିରେ ବ୍ୟାରିକେଡ୍ ନିର୍ମାଣ ହୋଇଛି । ରଥଯାତ୍ରା ବେଳେ ବଡ଼ଦାଣ୍ଡକୁ ପ୍ରବେଶ ମନା ଉପରେ କଟକଣା ଜାରି ହୋଇଛି । ଜଳପଥ ସୁରକ୍ଷା ପାଇଁ କୋଷ୍ଟଗାର୍ଡକୁ ପ୍ରସ୍ତାବ ଦିଆଯାଇଛି । ଶ୍ରୀମନ୍ଦିର ଚାରି ପାଖ ଓ ଶ୍ରୀଗୁଣ୍ଡିଚା ମନ୍ଦିର ଚାରି ପାଖକୁ ସ୍ୱତନ୍ତ୍ର ସୁରକ୍ଷା କରିଡର ଭିତରେ ରଖାଯାଇଛି । ସହର ସାରା ପୁଲିସ ଛାଉଣି ପଡିଛି ।
ନବଯୌବନ ପ୍ରାପ୍ତି ପରେ ଶ୍ରୀବିଗ୍ରହମାନେ ଘୋଷଯାତ୍ରାରେ ବାହାରିବାକୁ ବି ପ୍ରସ୍ତୁତି ଚଳାଇଛନ୍ତି । ତିନି ଦିନିଆ ନବଯୌବନର ଦ୍ୱିତୀୟ ଦିବସ ବିଭିନ୍ନ ନୀତିକାନ୍ତି ଶେଷ ହେବା ପରେ ବନକଲାଗି ନିମନ୍ତେ ଦତ୍ତମହାପାତ୍ର ଦ୍ୱିତୀୟ ବାର ଶ୍ରୀମନ୍ଦିର ପ୍ରବେଶ କରିଛନ୍ତି । ରଥଯାତ୍ରା ପୂର୍ବର ଏହା ହେବ ଶେଷ ଶ୍ରୀମୁଖର ସିଙ୍ଗାର । ଘୋଷଯାତ୍ରା ଭୋର ସାଢେ଼ ଚାରିଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ପରେ ମଇଲମ, ଚପଡ ଲାଗି, ରୋଷହୋମ ଆଦି ନୀତି ଶେଷ ହେବା ପରେ ରଥ ପ୍ରତିÂା ମଙ୍ଗଳାର୍ପଣ ସରି ପ୍ରଭୁଙ୍କ ରଥଟଣା ପ୍ରସ୍ତୁତି ଆରମ୍ଭ ହେବ । ସକାଳ ସାଢେ଼ ଆଠଟାରେ ପ୍ରଭୁଙ୍କ ବିଧି ଆଦି ଶେଷ କରି ଅପରାହ୍ନ ତିନିଟା ସୁଦ୍ଧା ରଥଟଣା ବିଧି ଆରମ୍ଭ ହେବ । ତେବେ ଏହା ଠାରୁ ଆଗରୁ ରଥଟଣା କରିବାକୁ ପ୍ରସ୍ତୁତି ଚାଲିଛି । ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଚଳିତ ବର୍ଷର ରଥଯାତ୍ରା ପାଳନ ଏକ ଚ୍ୟାଲେଞ୍ଜ ହେବ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.