ପ୍ରିୟଙ୍କାଙ୍କୁ ମିଳିବ ୟୁପି କଂଗ୍ରେସର ଦାୟିତ୍ୱ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆସନ୍ତା ୨୦୨୨ରେ ହେବ ଉତ୍ତରପ୍ରଦେଶ (ୟୁପି) ବିଧାନସଭା ନିର୍ବାଚନ । ତା ପୂର୍ବରୁ ରାଜ୍ୟ କଂଗ୍ରେସ ସଙ୍ଗଠନରେ ବ୍ୟାପକ ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ୟୁପି କଂଗ୍ରେସର ସମ୍ପୂର୍ଣ୍ଣ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି । ଏବେ ସେ ୟୁପିର ପୂର୍ବାଞ୍ଚଳ ଦାୟିତ୍ୱରେ ରହିଛନ୍ତି । ବର୍ତ୍ତମାନ ରାଜ ବାବର ପିସିସି ସଭାପତି ଅଛନ୍ତି । ତାଙ୍କୁ ହଟାଇ ତାଙ୍କ ସ୍ଥାନରେ ନୂଆ ପିସିସି ସଭାପତି ନିଯୁକ୍ତ କରିବା ଲାଗି ନେତା ଖୋଜା ଚାଲିଛି । ନୂଆ ପିସିସି ସଭାପତି ନିଯୁକ୍ତ ହେବା ପରେ ପ୍ରିୟଙ୍କାଙ୍କୁ ନୂଆ ଦାୟିତ୍ୱ ମିଳିବ ବୋଲି ଅନୁମାନ କରାଯାଉଛି ।
ପ୍ରିୟଙ୍କାଙ୍କୁ ୟୁପି ଦାୟିତ୍ୱ ଦେବା ଲାଗି ଗତ ୩ ମାସ ହେଲା ପ୍ରକ୍ରିୟା ଜାରି ରହିଛି । ଏହା ଭିତରେ ସେ ନିୟମିତ ପୂର୍ବ ଓ ପଶ୍ଚିମାଞ୍ଚଳ ଗସ୍ତ କରିଛନ୍ତି । ଦିନକୁ ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ୧୧ ଘଣ୍ଟା ଧରି ଦଳୀୟ ନେତା ଓ ସମର୍ଥକଙ୍କୁ ଭେଟୁଛନ୍ତି । ଏହି ସମୟ ଭିତରେ ସେ ପ୍ରାୟ ୧୧ ହଜାରରୁ ଅଧିକ ଦଳୀୟ ନେତା ଓ କର୍ମୀଙ୍କୁ ଭେଟି ସେମାନଙ୍କ ସହ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରାଯିବା ବିଷୟରେ ଆଲୋଚନା କରିଛନ୍ତି । କଂଗ୍ରେସର ଆକ୍ରମଣାତ୍ମକ ଯୁବନେତାଙ୍କୁ ନେଇ ନୂଆ ଟିମ୍ ଗଠନ ହେବ । ଟିମ୍ର ସଦସ୍ୟଙ୍କ ବୟସ ୪୦ ବର୍ଷ ଭିତରେ ରହିବ । ପୂର୍ବ ଟିମ୍ ଅପେକ୍ଷା ଏହାର ଆକାର ୧୦ ଗୁଣ ଛୋଟ ହେବ । ଲୋକସଭା ନିର୍ବାଚନ ପରେ କଂଗ୍ରେସ ୟୁପି ୟୁନିଟକୁ ଭାଙ୍ଗି ଦେଇଛି । ପ୍ରତି ଜିଲ୍ଲାରେ ନୂଆ ସଭାପତି ରହିବେ । ଉପସଭାପତି ଭାବେ ଜଣେ ମହିଳାଙ୍କୁ ନିଯୁକ୍ତ କରାଯିବ । ଦଳିତ ଓ ଓବିସି ନେତାଙ୍କୁ ମଧ୍ୟ ଟିମ୍ରେ ସାମିଲ କରାଯିବ । ଜଣେ ଜଣେ ନେତାଙ୍କୁ ଏକ ନିର୍ଦ୍ଧିଷ୍ଟ ଅଞ୍ଚଳର ଟାର୍ଗେଟ ଦିଆଯିବ ।
ଆଗାମୀ ବିଧାନସଭା ନିର୍ବାଚନରେ ରାଜ୍ୟରେ ଭଲ ପ୍ରଦର୍ଶନ କରିବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି । ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ରାଜ୍ୟରେ ମାତ୍ର ଗୋଟିଏ ଆସନ ପାଇଥିଲା । ତାହା ଥିଲା ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ରାୟବରେଲି ଆସନ । ଏପରିକି ରାହୁଲ ଗାନ୍ଧୀ କଂଗ୍ରେସର ପାରମ୍ପରିକ ଗଡ ଆମେଥିରୁ ପରାଜିତ ହୋଇଥିଲେ । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରିୟଙ୍କାଙ୍କୁ ଦଳର ସାଧାରଣ ସମ୍ପାଦକ କରାଯିବା ସହିତ ୟୁପିର ପୂର୍ବାଞ୍ଚଳ ଦାୟିତ୍ୱ ଦିଆଯାଇଥିଲା । ଲୋକସଭା ନିର୍ବାଚନ ବେଳେ ସେ ବିଭିନ୍ନ ଅଞ୍ଚଳରେ ପ୍ରଚାର କରିଥିଲେ ଏବଂ ଲୋକମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରଖିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons