ପ୍ଲାଣ୍ଟ୍ ନିର୍ମାଣକୁ ଚାହିଁ ରହିଛନ୍ତି ଜମିହରା

Get real time updates directly on you device, subscribe now.

କେନ୍ଦୁଝର: କାରଖାନାରେ କର୍ମ ସଂସ୍ଥାନ ପାଇବା ଆଶାରେ ଲୋକେ ନିଜ ଚାଷ ଜମିକୁ ବିଭିନ୍ନ କାରଖାନା କର୍ତ୍ତୃପକ୍ଷଙ୍କୁ ଟେକି ଦେଇଛନ୍ତି । ମାତ୍ର ବର୍ଷ ପରେ ବର୍ଷ ବିତିଯାଉଥିଲେ ସୁଦ୍ଧା କାରଖାନା କର୍ତ୍ତୃପକ୍ଷଙ୍କ ଉଦାସୀନତା କାରଣରୁ ପ୍ଲାଣ୍ଟ୍ ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉ ନାହିଁ କିମ୍ବା ଜମିହରା ପ୍ରଜାମାନଙ୍କୁ କୌଣସି ଥଇଥାନ ବ୍ୟବସ୍ଥା କରାଯାଉ ନାହିଁ । କେନ୍ଦୁଝର, ଝୁମ୍ପୁରା ତହସିଲ ଅଧିନ ମଲଦା ଗ୍ରାମର ଲୋକେ ଏହିଭଳି ୨ଟି କମ୍ପାନିକୁ ନିଜ ଚାଷ ଜମି ବିକ୍ରି କରିଥିବା ବେଳେ ଆଜକୁ ପାଖାପାଖି ୧୦ ବର୍ଷ ବିତିଯିବାକୁ ବସିଥିଲେ ସୁଦ୍ଧା ସମ୍ପୃକ୍ତ କମ୍ପାନିଗୁଡ଼ିକ କାରଖାନା ବସାଇବା ଦିଗରେ କୌଣସି ସକରାତ୍ମକ ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛନ୍ତି ମଲଦା ଅଞ୍ଚଳର ଜମିହରାମାନେ ।
ସେସମାନଙ୍କ କହିବା ମୁତାବକ, ୨୦୧୧ରେ ମେସର୍ସ ଆରୟା ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ରାଇଭେଟ ଲିମିଟେଡ୍ ନାମକ ଏକ କମ୍ପାନି ମଲଦାରେ ଷ୍ଟିଲ୍ ପ୍ଲାଣ୍ଟ୍ କରିବା ଉଦେ୍ଧଶ୍ୟରେ ସାଧାରଣ ବର୍ଗର ଲୋକଙ୍କଠାରୁ ଜମି କିଣିବା ଆରମ୍ଭ କରିଥିଲା । ଏହି କମ୍ପାନି ମଲଦା ଏବଂ ଧନୁର୍ଜୟପୁର ଗ୍ରାମରୁ ପାଖାପାଖି ୫୦ ଏକର ଜମି କିଣିଥିଲା । କାରଖାନା ବସାଇବା ପାଇଁ ରାଜ୍ୟ ସରକାରଙ୍କ ସହ ଏମ୍ଓୟୁ ସ୍ୱାକ୍ଷର କରିବା ସହ ଗ୍ରାମସଭା ମଧ୍ୟ କରିଥିଲା । ଜମି କିଣିବା ସମୟରେ ଗ୍ରାମବାସୀଙ୍କୁ ମାସିକ ଭତ୍ତା, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲା । କିଛିଦିନ ପାଇଁ ଗାଁରେ ଏକ ଅସ୍ଥାୟୀ କାର୍ଯ୍ୟାଳୟ ମଧ୍ୟ ଖୋଲିଥିଲା । ହେଲେ ପରବର୍ତ୍ତୀ ସମୟରେ କୌଣସି କାରଣରୁ ଅଧାରୁ ବନ୍ଦ କରି ଚାଲି ଯାଇଛି ।
ସେହିଭଳି ୨୦୧୩ରେ ଏସେଲ ମାଇନିଙ୍ଗ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ନାମକ ଏକ କମ୍ପାନି ପେଲେଟ୍ ପ୍ଲାଣ୍ଟ ବସାଇବା ପାଇଁ ଜମି କିଣିବା ଆରମ୍ଭ କରିଥିଲା । ସେ ମଧ୍ୟ ପାଖାପାଖି ୩୦ ଏକର ଜମି କିଣିବା ପରେ ଆଉ ଧରା ଛୁଆଁ ଦେଉ ନାହିଁ । କିଛି ଦିନ ପର୍ଯ୍ୟନ୍ତ ଜମିହରାମାନଙ୍କୁ ମାସିକ ଭତ୍ତା ଏବଂ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଉଥିଲା ଆରୟା ଷ୍ଟିଲ୍ କମ୍ପାନି । ହେଲେ ଦୀର୍ଘ ବର୍ଷ ହେଲା ଆଉ କୌଣସି ସହାୟତା ପ୍ରଦାନ କରୁ ନଥିବା କହିଛନ୍ତି ଗ୍ରାମବାସୀ । ଅନ୍ୟପକ୍ଷରେ ଜମି ବିକ୍ରି କରି ପାଇଥିବା ଟଙ୍କା ବିଭିନ୍ନ ଭାବେ ଖର୍ଚ୍ଚ ହୋଇଯାଇଥିବା ବେଳେ କାମ ଧନ୍ଦା ନ ପାଇ ରୋଜଗାର ଶୂନ୍ୟ ହେବାକୁ ବସିଛୁ ବୋଲି କହିଛନ୍ତି ସୁରେଶ ବାରିକ, ମକରଧ୍ୱଜ ବାରିକ, ଯୋଗେନ୍ଦ୍ର ମହାକୁଡ, ଗଜେନ୍ଦ୍ର ମହାକୁଡ, ତପିବର ବାରିକ, ଜନାର୍ଦ୍ଧନ ବାରିକ, ପ୍ରଫୁଲ ବାରିକ, ଲକ୍ଷ୍ମୀଧର ବାରିକ, ବସନ୍ତ ବାରିକ, ସଚିତ୍ରା ବାରିକ, ସହଦେବ ବାରିକ ଆଦି ଜମିହରା ପ୍ରଜା ।
ଏ ସମ୍ବନ୍ଧରେ ଆରୟା ଇଣ୍ଟିଗ୍ରେଟେଡ ଷ୍ଟିଲ୍ର ଜେନେରାଲ ମ୍ୟାନେଜର୍ ପରଭେଶ ପାଣ୍ଡେଙ୍କ ସହ ଯୋଗାଯୋଗ କରିବାରୁ, ମଲଦାରେ ପ୍ରସ୍ତାବିତ ଷ୍ଟିଲ୍ ପ୍ଲାଣ୍ଟ୍ର ସ୍ଥିତି ଦେଖିବା ପରେ କହିବେ ବୋଲି କହିଛନ୍ତି । ଏସେଲ ମାଇନିଙ୍ଗ ଆଣ୍ଡ୍ ଇଣ୍ଡଷ୍ଟ୍ରିଜର ଲିଆସନିଙ୍ଗ ଦାୟିତ୍ୱରେ ରହିଥିବା ନିହାର ରଞ୍ଜନ ପ;ନାୟକଙ୍କୁ ପଚାରିବାରୁ, ତାଙ୍କ ହାତରେ ଖଣି ନାହିଁ, ନୂଆ ଖଣି ମିଳିଲେ ପ୍ଲାଣ୍ଟ୍ ବିଷୟରେ ଚିନ୍ତା କରିବେ ବୋଲି କହିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons