ଫନୀ ମୁକାବିଲାରେ ଓଡ଼ିଶାର ପ୍ରସ୍ତୁତି ଓ କାର୍ଯ୍ୟକ୍ରମ ବିଶ୍ୱସ୍ତରୀୟ

Get real time updates directly on you device, subscribe now.

ଭୁବନେଶ୍ୱର,(ବିବି.ବ୍ୟୁରୋ): ବିଧ୍ୱଂସକାରୀ ବାତ୍ୟା ‘ଫନୀର ମୁକାବିଲାରେ ଓଡ଼ିଶାର ପ୍ରସ୍ତୁତି ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ବିଶ୍ୱସ୍ତରୀୟ’ ବୋଲି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମ୍ଏ) ସଦସ୍ୟ କମଳ କିଶୋର କହିଛନ୍ତି । ଗୁରୁବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସରକାର ଏବଂ ଏନଡିଏମ୍ଏ ସମନ୍ୱୟ ବୈଠକରେ କିଶୋର ଏହା କହିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନୂତନ ମାନାଙ୍କ ଓ ନିର୍ଣ୍ଣୟ ବିନ୍ଦୁ ନିର୍ଦ୍ଧାରଣ କରିଛନ୍ତି । ଏହା ଅନ୍ୟ ରାଜ୍ୟ ଓ ଦେଶବାସୀମାନଙ୍କ ପାଇଁ ଅନୁକରଣୀୟ । ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କହିଥିଲେ ଯେ, ଫନୀ ପରେ ପରେ ବର୍ତ୍ତମାନ ପୁନଃଥଇଥାନ ଏବଂ ପୁନଃନିର୍ମାଣ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କରାଯାଉଛି । ଏହି କାର୍ଯ୍ୟରେ ଅନ୍ତର୍ଜାତୀୟ ସ୍ତରୀୟ ବୈଷୟିକ ସହାୟତା ଯୋଗାଇବ ପାଇଁ ଶ୍ରୀ ପାଢ଼ୀ ଏନଡିଏମ୍ଏଙ୍କୁ ଅନୁରୋଧ କରିଥିଲେ । ମୁଖ୍ୟଶାସନ ସଚିବ ଆହୁରି ମଧ୍ୟ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଏନଡିଆରଏଫ୍ରୁ ମିଳିଥିବା ୧୦୦୦ କୋଟି ଟଙ୍କାର ବିନିଯୋଗ ହୋଇସାରିଛି । ପୁନଃଥଇଥାନ କାର୍ଯ୍ୟ ପାଇଁ ଏନଡିଆରଏଫ୍ରୁ ୫୨୦୦ କୋଟି ଟଙ୍କା ଯଥାଶୀଘ୍ର ଯୋଗାଇ ଦେବା ପାଇଁ ଶ୍ରୀ ପାଢ଼ୀ ଅନୁରୋଧ କରିଥିଲେ । ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟତଃ ପୁନଃଥଇଥାନ ଏବଂ ପୁନଃନିର୍ମାଣ ବିଷୟରେ ଆଲୋଚନା ହୋଇଥିଲା । ବାତ୍ୟା ସହନଶୀଳ ଗୃହ ନିର୍ମାଣ, ବିଦ୍ୟୁତ ବଣ୍ଟନ ଭିତ୍ତିଭୂି, ଟେଲିକମ ଏବଂ ଜୀବିକା ନିର୍ବାହ ସହାୟତା ଆଦି କ୍ଷେତ୍ରରୋ ଉଭୟ ରାଜ୍ୟ ସରକାର ଏବଂ ଏନଡିଏମ୍ଏ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ବୈଠକରେ ସ୍ଥିର ହୋଇଥିଲା । ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଜଣାଇଥିଲେ ଯେ, ବାତ୍ୟାରେ ପ୍ରାୟ ୧.୩୫ ଲକ୍ଷ ବାସଗୃହ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ବା ଗୁରୁତର ହୋଇଛି, ୧.୪୦ ଲକ୍ଷ ପକ୍କା ଏବଂ ୨.୭୨ ଲକ୍ଷ କଚ୍ଚାଘର ଆଂଶିକ ଭାବେ ଭାଙ୍ଗିଯାଇଛି, ୭୫୪୭ କୁଡିଆ ଏବଂ ୧.୧୯ ଲକ୍ଷ ଗୋରୁ ଗୁହାଳ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି । ପ୍ରାୟ ୧୪,୬୩୧୧ ହେକ୍ଟର ଜମିରେ ଶତକଡ଼ା ୩୩ ଭାଗରୁ ଅଧିକ ଫସଲ ନଷ୍ଟ ହୋଇଛି । ପ୍ରାୟ ୬,୨୮୧ଟି ବଡ଼ ଗୃହପାଳିତ ପଶୁ ଏବଂ ୫୩.୨୬ ଲକ୍ଷ କୁକୁଡ଼ା କ୍ଷତିଗ୍ରସ୍ତ ହୋଇଛନ୍ତି । ବିନାଶକାରୀ ବାତ୍ୟା ଯୋଗୁ ୭୧୦୬୦ ପାରମ୍ପରିକ ହସ୍ତଶିଳ୍ପୀ, ୪୨,୪୮୮ ହସ୍ତତନ୍ତ ବୁଣାକାର, ୧୨,୧୩୫ ରେଶମ ଚାଷୀଙ୍କ ଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏହାଛଡ଼ା ୬,୪୧୬ ଟି ମାଛଧରା ବୋଟ ଏବଂ ୮,୮୨୮ଟି ମାଛ ଧରାଜାଲ ନଷ୍ଟ ହୋଇଥିବାରୁ ମତ୍ସ୍ୟଜୀବୀମାନଙ୍କର ଜୀବିକା ନିର୍ବାହ ପନ୍ଥା ନଷ୍ଟ ହୋଇଛି । ପ୍ରାୟ ୫୭୩ ଅଣୁ ଓ କ୍ଷୁଦ୍ର ଶିଳ୍ପ ଏବଂ ଲୁଣ ଖଳା ନଷ୍ଟ ହୋଇଛି । ଓଡ଼ିଶା ଲୋକଙ୍କର ଚିରନ୍ତର ଜୀବିକା କୃଷି ଓ ଉଦ୍ୟାନଚାଷ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି ବୋଲି ମଧ୍ୟ ଶ୍ରୀ ସେଠୀ କହିଥିଲେ । ରାସ୍ତାକଡ଼ ଦୋକାନୀ ଏବଂ ବୁଲା ବିକାଳୀମାନଙ୍କୁ ଜୀବିକା ଏବଂ ବୁଲା ବିକାଳୀମାନଙ୍କୁ ଜୀବିକା ସହାୟତାକୁ ଏନଡିଆରଏଫ୍ ଓ ଏସଡିଆରଏଫ୍ ଅନ୍ତର୍ଭୁକ୍ତ କରିବା ପାଇଁ ଶ୍ରୀ ସେୀଂ ଏନଡିଏମ୍ଙ୍କୁ ଅନୁରୋଧ କରିଥିଲେ । ଉନ୍ନୟନ କମିଶନର ଅସିତ କୁମାର ତ୍ରିପାଠୀ, କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ, ବରିଷ୍ଠ ପରାମର୍ଶଦାତା ସ୍ୱାତୀ ସୁଲଗ୍ନାଙ୍କ ସମେତ ଓଡ଼ିଶାର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons