ଭୁବନେଶ୍ୱର : ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଚାଲିଥିବା ଜରିମାନା ଆଦାୟକୁ ନେଇ ଶେଷରେ ଲୋକେ ତାତିଛନ୍ତି । ଆଇନରେ ପୁଲିସ ଓ ଆରଟିଏ ଅଧିକାରୀଙ୍କୁ ଯାଞ୍ଚ କ୍ଷମତା ଦେଇଥିଲା ବେଳେ ଲୋକେ ଆଇନକୁ ହାତକୁ ନେଇ ନିଜେ ଯାଞ୍ଚ କାରି ସାଜିଛନ୍ତି । ଲୋକେ ଆଜି ରାଜମହଲ ଛକରେ ଏକାଠି ହୋଇ ଗୋଟେ ମୋବସ୍, ଗୋଟେ ମ୍ୟୁନିସିପାଲଟି ଟ୍ରକ ଓ ଗୋଟିଏ ପିସିଆର ଭ୍ୟାନକୁ ଧରିଛନ୍ତି । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ରାଜମହଲଛକରେ ବିପୁଳ ପରିମାଣରେ ଲୋକେ ଜମା ହୋଇ ପୁଲିସ ସହ ଧସ୍ତାଧସ୍ତି କରିଛନ୍ତି । ପରିସ୍ଥିତି ଏପରି ହୋଇଥିଲା ଯେ, ପୁଲିସକୁ ସମ୍ଭାଳିବା କଷ୍ଟକର ହୋଇଥିଲା । ଲୋକେ ପିସିଆର ଭ୍ୟାନକୁ ଧରି ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ । ସେହି ପିସିଆର ଭ୍ୟାନ ଭିତରୁ ଲୋକେ ମଦ ବାହାର କରିଥିଲେ । ଏହାପରେ ଉତ୍ତେଜନା ଅଧିକ ବଢ଼ିଥିଲା । ଭୁବନେଶ୍ୱର ଡିସିପି ଅନୁପ ସାହୁ ଘଟଣାସ୍ଥଳରେ ପହଂଚିଥିଲେ । ପୁଲିସ ଗାଡ଼ିକୁ ବଞ୍ଚାଇବା ପାଇଁ ଲୋକଙ୍କୁ ଲାଠିମାଡ଼ କରି ଘଉଡ଼ା ଯାଇଥିଲା । ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା । ଲୋକଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇ ନ ଥିଲା । ପୁଲିସ ଓ ସରକାରୀ ଗାଡ଼ିର କାଗଜପତ୍ର ନ ଥିବା, ସିଟ ବେଲ୍ଟ ନ ଥିବା, ଅଧିକ ଲୋକନେବା ଓ ମଦ ବୋତଲ ବାହାରିବା ଘଟଣାକୁ ନେଇ ଲୋକେ ନାହିଁ ନ ଥିବା ପରିସ୍ଥିତି ସୃଷ୍ଟି କରିଥିଲେ । ଦଦ୍ଭଜରିମାନା ପରିମାଣ ଲୋକଙ୍କୁ ବାଧିବା ପରେ ଆଜି ହଜାର ହଜାର ସଂଖ୍ୟାର ଲୋକେ ରାଜମହଲ ଛକରେ ରୁଣ୍ଡ ହୋଇ ପୁଲିସ ଓ ସରକାରୀ ଗାଡ଼ିକୁ ଯାଞ୍ଚ କରିବା ଆରମ୍ଭ କରିଥିଲେ । ବିଶେଷ କରି ଯେତେବେଳେ ଏକ ପିଆର ଭ୍ୟାନରେ ତ୍ରୁଟି ଦେଖାଗଲା ସେତେବେଳେ ଲୋକଙ୍କ ରାଗ ଆହୁରି ବଢ଼ିଲା । ପରିସ୍ଥିତି ଏଭଳି ଅସମ୍ଭାଳ ହୋଇଥିଲା ଯେ, କମିଶନର ସୁଧାଂଶୁ ଷଢ଼ଙ୍ଗୀ ନିଜେ ଯାଇ ଘଟଣାସ୍ଥଳରେ ପହଂଚିଥିଲେ । ଭିଡ଼ ନିୟନ୍ତ୍ରଣ କରିବାକୁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା ।
Comments are closed, but trackbacks and pingbacks are open.