ଫାରୁକ୍ ଅବଦୁଲ୍ଲାଙ୍କ ଅଟକ ନେଇ ଜବାବ ରଖିଲା କେନ୍ଦ୍ର

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ରାଜ୍ୟର ଅନେକ ନେତା ଗୃହବନ୍ଦୀ ରହିଛନ୍ତି। ତେବେ କେଉଁ ଆଧାରରେ ୮୧ ବର୍ଷୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଅଟକ ରହିଛନ୍ତି ସେ ବାବଦରେ ସୁପ୍ରିମକୋର୍ଟରେ ଏମଡିଏମକେର ନେତା ଭାଇକୋ ମାମଲା ଦାୟର କରିଥିଲେ। ଯାହାର ଜବାବ ଆଜି କେନ୍ଦ୍ର ରଖିଛି।
କେନ୍ଦ୍ର ସରକାର କହିଛନ୍ତି, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ସାଧାରଣ ସୁରକ୍ଷା ବା ପବ୍ଲିକ ସେଫଟି ଆଇନ୍ ଆଧାରରେ ଅଟକ ରଖାଯାଇଛି। ଏହି ନିୟମ ଅନୁସାରେ ଯେକୌଣସି ବ୍ୟକ୍ତିଙ୍କୁ ବିନା କୌଣସି ଶୁଣାଣିରେ ଦୁଇ ବର୍ଷ ଯାଏଁ ଅଟକ ରଖିହେବ। ଏହି ନିୟମ ପ୍ରଥମେ ଫାରୁକ ଅବଦୁଲ୍ଲାଙ୍କ ବାପା ଶେଖ୍ ଅବଦୁଲ୍ଲାଙ୍କ କାର୍ୟ୍ୟକାଳ ସମୟରେ ଲାଗୁ ହୋଇଥିଲା ବୋଲି କେନ୍ଦ୍ର କହିଛି।
ଅନ୍ୟପଟେ ଆବେଦନକାରୀ ଭାଇକୋ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟକୁ ଉଦ୍ଧାର କରି କୋର୍ଟରେ କହିଛନ୍ତି ନିକଟରେ ଶାହ କହିଥିଲେ ଫାରୁକ୍ ଅବଦୁଲ୍ଲା କୌଣସି ପ୍ରକାରର ହେପାଜତରେ ନାହାନ୍ତି। ଯଦି ଏହା ସତ ତାହେଲେ ଫାରୁକଙ୍କ ବର୍ତ୍ତମାନର ଠିକଣା ସ୍ଥଳୀ କେଉଁଠି ବୋଲି ସେ ପଚାରିଛନ୍ତି। ଏବେ ଭାଇକୋଙ୍କ ମନ୍ତବ୍ୟକୁ ଗ୍ରହଣ କରି ସର୍ବୋଚ୍ଚ କୋର୍ଟ ସେପ୍ଟେମ୍ବର ୩୦ ମଧ୍ୟରେ ଜବାବ ରଖିବାକୁ କେନ୍ଦ୍ରକୁ କହିଛନ୍ତି।
ଜମ୍ମୁ କଶ୍ମୀରରୁ ଧାରା ୩୭୦ ଅଗଷ୍ଟ ୫ ତାରିଖରେ ଉଚ୍ଛେଦ ହେବା ପରେ ଫାରୁକ୍ ଅବଦୁଲ୍ଲା ଅଟକ ରହିଥିବା ସୂଚନା ରହିଛି। ପୂର୍ବରୁ ଧାରା ୩୭୦ ଉଚ୍ଛେଦ ହେଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଫାରୁକ୍ ଗଣମାଧ୍ୟମକୁ ମନ୍ତବ୍ୟ ଦେଇଥିଲେ। ତେଣୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ଫାରୁକଙ୍କ ସମେତ ଅନେକ ନେତାଙ୍କୁ ଅଟକ ରଖାଯାଇଛି।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଜଷ୍ଟିସ୍ ଏସ୍ ଏ ବୋବଡେ ଏବଂ ଜଷ୍ଟିସ୍ ଅବଦୁଲ୍ ନଜୀର ମଧ୍ୟ ଏହି ଖଣ୍ଡପୀଠରେ ସାମିଲ୍ ଅଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons