ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣ-ବଳାକ୍ରାର ହତ୍ୟା ଘଟଣାର ୪ ଦୋଷୀ ଶୁକ୍ରବାର ସକାଳ ୫ଟା ୩୦ ସମୟରେ ଫାଶୀ ଖୁଣ୍ଟରେ ଝୁଲିଛନ୍ତି । ଏନେଇ ସାରା ଦେଶ ଖୁସି ମନେଇଛି । ନିର୍ଭୟାଙ୍କ ପିତାମାତାଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସମସ୍ତେ ଏନେଇ ଖୁସିବ୍ୟକ୍ତ କରିଛନ୍ତି । ଦୋଷୀମାନଙ୍କ ଓକିଲ ଏପି ସିଂହ ଫାଶୀର କିଛି ଘଣ୍ଟା ପୂର୍ବରୁ ଫାଶୀ ଟାଳିବା ନିମନ୍ତେ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ । କିନ୍ତୁ ଫାଶୀର ମାତ୍ର ୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ରାତ୍ର ୩.୩୦ ସମୟରେ ସୁପ୍ରିମକୋର୍ଟ ଏହି ପିଟିସନଟିକୁ ଖାରଜ କରିଦେଇଥିଲେ । ପରେ ଧାର୍ଯ୍ୟ ସମୟ ମୁତାବକ ଦୋଷୀମାନଙ୍କୁ ଶୁକ୍ରବାର ସକାଳ ୫.୩୦ ସମୟରେ ତିହାର ଜେଲ୍ ମଧ୍ୟରେ ଫାଶୀ ଖୁଣ୍ଟରେ ଝୁଲାଯାଇଥିଲା । ଏହି ସମୟରେ ଜେଲ୍ ବାହାରେ ଅନେକ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ । ସୁରକ୍ଷାକୁ ଦୃଷ୍ଟିରେ ରଖି ତିହାର ଜେଲ୍କୁ ସମ୍ପୂର୍ଣ୍ଣ ଲକ୍ ଡାଉନ କରିବା ସହ ଜେଲ୍ ବାହାରେ ବ୍ୟାପକ ଅର୍ଦ୍ଧସାମରିକ ବାହିନୀଙ୍କୁ ନିୟୋଜିତ କରାଯାଇଥିଲା । ନିୟମ ମୁତାବକ, ଫାଶୀ ପରେ ସମସ୍ତଙ୍କ ମୃତ ଶରୀରକୁ ପୋଷ୍ଟ-ମୋର୍ଟମ କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।


Comments are closed, but trackbacks and pingbacks are open.