ଝାରସୁଗୁଡ଼ା,(ବି.ବି.ନୁ୍ୟଜ୍): ଘରର ସାନ ପୁଅର ମୃତୁ୍ୟରେ ମାନସିକ ଭାରସାମ୍ୟ ହରାଇ ପରିବାରର ୫ ସଦସ୍ୟ ଆତ୍ମହତ୍ୟା ନିଷ୍ପତ୍ତି ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଆଖି ବୁଝି ସାରିଲେଣି ୪ଜଣ । ଗତ ୨ ଦିନ ମଧ୍ୟରେ ମା’ ଗୋଟିଏ ପୁଅ, ଗୋଟିଏ ଝିଅଙ୍କ ମୃତୁ୍ୟ ହୋଇଥିବା ବେଳେ ଆଜି (ଶନିବାର) ବୁର୍ଲା ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଯୁବତୀଙ୍କ ବୟସ ୩୨ ବର୍ଷ ବୋଲି ଜଣାଯାଇଛି । ଅପରପକ୍ଷେ ଗତକାଲି ପରିବାରର ୪ ସଦସ୍ୟଙ୍କ ଜୁଇ ଏକ ସଂଗେ ଜଳିଥିବା ବେଳେ ଏହା ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେି ପରିବାରର ୪ ଜଣ ଆଖି ବୁଝି ସାରିଥିବା ବେଳେ ଆଉ ମାତ୍ର ଜଣେ ଝିଅ ଏବେ ବୁର୍ଲା ଡାକ୍ତରଖାନାରେ ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି । ଝାରସୁଗୁଡ଼ା ଲହଣ୍ଡାବୁଡ଼ରେ ଘଟିଥିବା ଏପରି ହୃଦୟ ବିଦାରକ ଘଟଣା ଯୋଗୁ ଗୋଟିଏ ପରିବାର ସମ୍ପୂର୍ଣ୍ଣ ଛାରଖାର ହେବାକୁ ବସିଛି । ଉଲ୍ଲେଖଯୋଗ୍ୟ ଯେ, ୨ ବର୍ଷ ପୂର୍ବେ ଏକ ବାଇକ୍ ଦୁର୍ଘଟଣାରେ ଘରର ସାନ ପୁଅ ଦୀପକ ବିଶ୍ୱାଳ ଗୁରୁତର ହୋଇ ପଡିଥିବା ବେଳେ ଗତ ୧ ତାରିଖରେ ତାଙ୍କର ମୃତୁ୍ୟ ଘଟିଲା । ଏପରି ଘଟଣା ପରିବାରର ଅନ୍ୟ ସଦସ୍ୟଙ୍କୁ ଏକ ଶକ୍ତ ଧକ୍କା ଦେଇଥିଲା । ଫଳରେ ସେମାନେ ମଧ୍ୟ ନିଜ ଜୀବନ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ । ସାନ ପୁଅର ମୃତଦେହ ଘରେ ପଡ଼ିଥିବା ବେଳେ ମା’ ପୁଷ୍ପାବତୀ ବିଶ୍ୱାଳଙ୍କ ସହିତ ତାଙ୍କର ୩ ଝିଅ ଓ ବଡ଼ ପୁଅକୁ ମିଶାଇ ମୋଟ ୫ ଜଣ ଫିନାଇଲ ଓ କୀଟନାଶକ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ଝାରସୁଗୁଡ଼ା ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ମା’ ବଡ଼ ପୁଅ ଶ୍ରୀକାନ୍ତ ବିଶ୍ୱାଳ ଓ ଗୋଟିଏ ଝିଅର ମୃତୁ୍ୟ ହୋଇଥିଲା । ଏହାପରେ ଗତକାଲି ଝାରସୁଗୁଡ଼ା ବିଟିଏମ୍ ଶ୍ମଶାନଘାଟରେ ଏକ ସଂଗେ ପରିବାରର ୪ ସଦସ୍ୟଙ୍କ ଜୁଇ ଜଳିଥିଲା । ଏହାପରେ ଆଜି ପରିବାରର ଜଣେ ଝିଅ ଆଖି ବୁଜିଥିବା ବେଳେ ଆଉ ଜଣେ ଏବେ ବି ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି । ତାଙ୍କର ଅବସ୍ଥା ବି ଗୁରୁତର ଥିବା ଜଣାପଡିଛି ।
Comments are closed, but trackbacks and pingbacks are open.