ମାନିଲା: ଫିଲିପାଇନ୍ସରେ ଆଜି ଏକ ସାମରିକ ପରିବହନ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ୪୫ ଜଣ ଯାତ୍ରୀଙ୍କର ମୃତୁ୍ୟ ଘଟିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ସେନା କର୍ମଚାରୀ ବୋଲି ଜଣାପଡିଛି । ବିମାନରେ ପ୍ରାୟ ୧୦୦ ଜଣ ଯାତ୍ରୀ ଥିଲେ ଏବଂ ଅନ୍ୟ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଚଳିତବର୍ଷ ଦେଶରେ ଏହା ୪ର୍ଥ ସାମରିକ ବିମାନ ଦୁର୍ଘଟଣା ବୋଲି କୁହାଯାଇଛି । ସୂଚନା ଅନୁସାରେ ସି-୧୩୦ ହର୍କୁଲେସ ଟ୍ରାନ୍ସପୋର୍ଟ ବିମାନଟି ନୂଆକରି ସେନାରେ ଯୋଗଦେଇଥିବା ପ୍ରାୟ ୧୦୦ ଜଣ ସୈନିକଙ୍କୁ ଧରି ଆଜି ମଧ୍ୟାହ୍ନରେ ମିନ୍ଦାନାଓ ଦ୍ୱୀପର ଦକ୍ଷିଣରେ ଥିବା କାଗାୟାନ ଡି ଓରୋରୁ ସୁଲୁ ପ୍ରଦେଶର ଜୋଲୋ ଦ୍ୱୀପକୁ ଯାଉଥିଲା । ତେବେ ବିମାନଟି ଅବତରଣ କରୁଥିଲା ବେଳେ ରନୱେ ବାହାରକୁ ଚାଲିଯିବା ସହ ଦୁଇଖଣ୍ଡ ହୋଇଯାଇଥିଲା । ପରେ ଏକ ଜନବସତି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଥିଲା । ଦୁର୍ଘଟଣାରେ ୩ ଜଣ ସାଧାରଣ ନାଗରିକଙ୍କର ମୃତୁ୍ୟ ଘଟିଛି । ବିମାନଟି ଭୂମି ସ୍ପର୍ଶ କରିବା ପୂର୍ବରୁ କିଛି ସୈନିକ ଜୀବନ ବଞ୍ଚାଇବାକୁ ତଳକୁ ମଧ୍ୟ ଡେଇଁ ପଡିଥିଲେ । ସେନା ମୁଖପାତ୍ର ମେଜର ଜେନେରାଲ ଏଡଗାର୍ଡ ଆରେଭଲୋଙ୍କ କହିବାନୁଯାୟୀ ସୈନିକମାନେ ନିକଟରେ ସାମରିକ ସ୍କୁଲରୁ ତାଲିମ ଶେଷ କରି ସୁଲୁ ଦ୍ୱୀପରେ କାର୍ଯ୍ୟରେ ଯୋଗଦେବା ଲାଗି ଯାଉଥିଲେ । ସେଠାରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଲଢେ଼ଇରେ ଏହି ସୈନିକମାନେ ସାମିଲ ହୋଇଥାନ୍ତେ । ସାମରିକ ବାହିନୀ ଇତିହାସରେ ଏହା ଅନ୍ୟତମ ବଡ ଦୁର୍ଘଟଣା । ଏହି ଦୁର୍ଘଟଣାର ତଦନ୍ତ ନିଦେ୍ର୍ଧଶ ଦିଆଯାଇଛି । ଗତମାସରେ ଏକ ବ୍ଲାକ ହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ୬ ଜଣ ସୈନିକଙ୍କର ମୃତୁ୍ୟ ଘଟିଥିଲା ।
Comments are closed, but trackbacks and pingbacks are open.