ଫୁଲବାଣୀରେ ହେବ ସରକାରୀ ମେଡିକାଲ କଲେଜ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସ୍ୱାସ୍ଥ୍ୟସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଫୁଲବାଣୀରେ ପ୍ରତିÂା ହେବ ସରକାରୀ ମେଡିକାଲ କଲେଜ । ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପରିସରରେ ଏହି ନୂଆ ମେଡିକାଲ କଲେଜ ଖୋଲିବ । ଏଠାରେ ରୋଗୀଙ୍କ ପାଇଁ ରହିବ ୫ ଶହ ଶଯ୍ୟା । ୭୪ତମ ଜନ୍ମ ଦିନରେ ଏହି ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଦ୍ୱିତୀୟ ପର୍ଯ୍ୟାୟରେ ‘ମୋ ସରକାର’ ଟିମ୍ ପରିଦର୍ଶନ କରିଥିବା ୬ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମଧ୍ୟ ଉନ୍ନତିକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କୁ ଆଜିଠୁ ୭୪ ବର୍ଷ ଚାଲିଲା । ‘ଫୋନି’ ପାଇଁ ନବୀନ ଜନ୍ମଦିନ ପାଳିଲେନି । ମାତ୍ର ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଆଖିରେ ରଖି ନୂଆ ମେଡିକାଲ କଲେଜ ପ୍ରତିÂା ସହ ଭିତ୍ତିଭୂମି ବଢ଼ାଇବାକୁ ଜନ୍ମଦିନରେ ନୂଆ ଘୋଷଣା କରିଛନ୍ତି । ଲୋକସେବା ଭବନରେ ଗଣମାଧ୍ୟମକୁ ସୂଚନା ଦେଇ ନବୀନ କହିଲେ, ଅବିଭକ୍ତ ପୁରୁଣା ସମସ୍ତ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା ସରକାରଙ୍କ ଇଛା । ଏଥିପାଇଁ ସରକାର ଉଦ୍ୟମ କରୁଛନ୍ତି । ଫୁଲବାଣୀ ସଦରମହକୁମା ହସପିଟାଲ କ୍ୟାମ୍ପସରେ ଏହି ନୂଆ ମେଡିକାଲ କଲେଜ ଖୋଲିବ । ଏ ନେଇ ସରକାର ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ କରିବେ । ବୌଦ୍ଧ ଜିଲ୍ଲା ପାଇଁ ନୂଆ ଜିଲ୍ଲା ହସପିଟାଲ ନିର୍ମାଣ କରାଯିବ ।
ମୁଖ୍ୟମନ୍ତ୍ରୀ କହିଲେ, ‘ ମୋ ସରକାର’ ଟିମ୍ ଦ୍ୱିତୀୟ ପର୍ଯ୍ୟାୟରେ ୬ ଜିଲ୍ଲା ପରିଦର୍ଶନ କରିଥିଲା । ଏହି ଟିମ୍ର ପ୍ରଦତ୍ତ ରିପୋର୍ଟ ଆଧାରରେ ଏ ନିଷ୍ପତ୍ତି ହୋଇଛି । ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରୋଗୀ କଲ୍ୟାଣ ସମିତିକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମିଳିବାକୁ ଥିବା ଏହି ଅର୍ଥ ରୋଗୀଙ୍କ କଲ୍ୟାଣରେ ଖର୍ଚ୍ଚ କରାଯିବ । ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସଂପର୍କୀୟମାନଙ୍କ ପାଇଁ ବିଶ୍ରାମ ଗୃହ ନିର୍ମାଣ କରାଯିବ । ରକ୍ତଦାନକୁ ଉତ୍ସାହିତ କରିବାକୁ ନୂଆପଡା, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକମାନଙ୍କୁ ସରକାର ୧୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।
ନବୀନଙ୍କ ଘୋଷଣା ଅନୁସାରେ, ବୌଦ୍ଧ ଜିଲ୍ଲାରେ ୨ ଶହ ବେଡ୍ର ନୂଆ ସଦର ମହକୁମା ହସପିଟାଲ ନିର୍ମାଣ କରାଯିବ । ଏଥିପାଇଁ ଆସନ୍ତା ମାସକ ମଧ୍ୟରେ ଜେଲ ଜମି ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଯିବ । ଜିଲ୍ଲା ମୁଖ୍ୟ ହସପିଟାଲକୁ ଗୋଟିଏ ଆମ୍ବୁଲାନସ୍ ଓ ଗୋଟିଏ ମହାପ୍ରୟାଣ ଗାଡ଼ି ମିଳିବ । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ହରଭଙ୍ଗା ବ୍ଲକ ଯାଇ କିଡନୀ ରୋଗର କାରଣ ସଂପର୍କରେ ଅନୁଧ୍ୟାନ କରିବ । ସେହିଭଳି ନୟାଗଡ଼ ଜିଲ୍ଲା ହସପିଟାଲର ରୋଗୀ ଶଯ୍ୟା ସଂଖ୍ୟା ୨୫୦କୁ ବୃଦ୍ଧି କରାଯିବ । ୧୦୦ ଶଯ୍ୟାର ନୂଆ କୋଠା ମଧ୍ୟ ନିର୍ମାଣ କରାଯିବ । ରୋଗୀଙ୍କ ସୁବିଧା ପାଇଁ ଦୁଇଟି ଆମ୍ବୁଲାନସ ସହ ଗୋଟିଏ ମହାପ୍ରୟାଣ ଗାଡ଼ି ସରକାର ଯୋଗାଇଦେବେ ।
କଳହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏଠାରେ ୧୦୦ ରୋଗୀ ଶଯ୍ୟା ସଂଖ୍ୟା ବିଶିଷ୍ଟ ଏକ ନୂଆ କୋଠା ନିର୍ମାଣ ହେବ । ଏ ଡିଏଚ୍ଏଚ୍କୁ ୩ଟି ଆମ୍ବୁଲାନସ୍ ଓ ଦୁଇଟି ମହାପ୍ରୟାଣ ଗାଡ଼ି ଦେବେ ସରକାର । ରାୟଗଡ଼ା ଜିଲ୍ଲା ମୁଖ୍ୟ ହସପିଟାଲର ଭିତ୍ତିଭୂମି ବଢ଼ାଇବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି । ଏ ହସପିଟାଲକୁ ରୋଗୀ କଲ୍ୟାଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ୪ଟି ଆମ୍ବୁଲାନସ ଓ ଦୁଇଟି ମହାପ୍ରୟାଣ ଗାଡ଼ି ଯୋଗାଇଦେବ । କାଶୀପୁର ସିଏଚସିକୁ ପାନୀୟ ଜଳ ଯୋଗାଣ ସହ ଶୀଘ୍ର ଷ୍ଟାଫ କ୍ୱାର୍ଟର୍ସ ନିର୍ମାଣ କରାଯିବ । ନୂଆପଡ଼ା ଜିଲ୍ଲା ସଦରମହକୁମା ହସପିଟାଲକୁ ଜରୁରୀକାଳୀନ ସେବା ପାଇଁ ରାଜ୍ୟ ସରକାର ଗୋଟିଏ ଆମ୍ବୁଲାନସ ଓ ଗୋଟିଏ ମହାପ୍ରୟାଣ ଗାଡ଼ି ଦେବେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ଏ ଘୋଷଣା ଅବସରରେ ନବୀନ କହିଛନ୍ତି, ଲୋକଙ୍କ ମତାମତକୁ ଭିତ୍ତି କରି ‘ମୋ ସରକାର’ରେ ଅଧିକ ବିଭାଗକୁ ସଂପୃକ୍ତ କରାଯିବ । ମୁଁ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଉଛି ଯେ, ଲୋକଙ୍କୁ ସଶକ୍ତିକରଣ କରିବାକୁ ମୋ ସରକାରକୁ ଆହୁରି ବଳୁଆ କରିବେ ସରକାର । ଆସନ୍ତା ଡିସେମ୍ବର ପହିଲା ସୁଦ୍ଧା ସରକାରଙ୍କର ଆଉ ୫ ବିଭାଗରେ ‘ମୋ ସରକାର’ କାର୍ଯ୍ୟକାରୀ ହେବ । ୨୦୨୦ ମାର୍ଚ୍ଚ ସୁଦ୍ଧା ସମସ୍ତ ସରକାରୀ ବିଭାଗରେ କାମ କରିବ ‘ମୋ ସରକାର ।
ଉଲ୍ଳେଖଯୋଗ୍ୟ, ‘ ୫-ଟି’ ସଚିବ ଭିକେ ପାଣ୍ଡିଆନଙ୍କ ନେତୃତ୍ୱରେ ମୋ ସରକାର ଟିମ୍ ରାଜ୍ୟର ବିଭିନ୍ନ ଡିଏଚ୍ଏଚ୍ ଓ ମେଡିକାଲ କଲେଜ ପରିଦର୍ଶନ କରିଥିଲା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ଟିମ୍ ମଧ୍ୟ ବିଭିନ୍ନ ଜିଲ୍ଲା ଗସ୍ତ କରି ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ଯାଞ୍ଚ କରିବା ସହ ରୋଗୀଙ୍କୁ ଭେଟୁଛନ୍ତି । ପ୍ରଥମ ପର୍ଯ୍ୟାୟ ଗସ୍ତ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୪୦୦ କୋଟିର ପ୍ୟାକେଜ୍ ଘୋଷଣା କରିଥିଲେ । କୋରାପୁଟ, ମାଲକାନଗରି ଓ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍ଏଚ୍) ସହ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଭିତ୍ତିଭୂମିର ଆଧୁନିକୀକରଣ ପାଇଁ ଏ ଅର୍ଥ ଖର୍ଚ୍ଚ କରାଯିବ । କୋରାପୁଟ ମେଡିକାଲ କଲେଜରେ ୫ ଶହ ଶଯ୍ୟା ବିଶିଷ୍ଟ ଏକ କମ୍ପୋଜିଟ୍ ହସ୍ପିଟାଲ ନିର୍ମାଣ କରାଯିବ । ଦୁଇ ବର୍ଷ ମଧ୍ୟରେ ଏଠାରେ ଶଯ୍ୟା ସଂଖ୍ୟା ୭ ଶହକୁ ବଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons