ନୂଆଦିଲ୍ଲୀ: ଫେସ୍ବୁକ୍ର ଆଦର ଏବେ ଧିମେଇ ଯାଇଛି । ଇଣ୍ଟରନେଟ୍ ଉପଭୋକ୍ତା ପୂର୍ବରୁ ଯେମିତି ଏହି ସୋସିଆଲ୍ ନେଟ୍ୱର୍କିଂ ସାଇଟ୍ରେ ଅଧିକ ସମୟ ବିତାଉଥିଲେ, ଆଉ ସେମିତି ଦେଖିବାକୁ ମିଳୁନାହିଁ । ସେମାନଙ୍କ ଫୋକସ୍ ଏବେ ଲାଇନ୍ଚ୍ୟୁତ ହୋଇଛି । ଫେସ୍ବୁକ୍ ପରିବର୍ତ୍ତେ ସେମାନଙ୍କ ମନ ଏବେ ଟିକ୍ଟିକ୍ରେ ଲାଗିଛି । ଅଧିକାଂଶ ଇଣ୍ଟରନେଟ୍ ଉପଭୋକ୍ତା ଟିକ୍ଟକ୍ ଭିଡିଓ ଦେଖିବାରେ ଏବଂ ଭିଡିଓ ବନାଇବାରେ ବ୍ୟସ୍ତ । ଫଳରେ ଖୁବ୍ କମ୍ ଦିନ ମଧ୍ୟରେ ଚୀନ୍ଭିତ୍ତିକ ଏହି କ୍ଷୁଦ୍ର ଭିଡିଓ ସେୟାରିଂ ଆପ୍ ଲୋକପ୍ରିୟ ହୋଇପାରିଛି । ବିବାଦ ଘେରକୁ ଆସିବା ସତ୍ତେ୍ୱ ଏହା କୋଟି କୋଟି ଭାରତୀୟଙ୍କ ନିକଟତର ହୋଇପାରିଛି ।
ଟିକ୍ଟକ୍ର ଏଭଳି ଆଦର ଫେସ୍ବୁକ୍ ପାଇଁ ଚିନ୍ତାଜନକ ହୋଇଛି । ଫେସ୍ବୁକ୍ ପାଇଁ ଭାରତ ଏକ ବୃହତ୍ ବଜାର ହୋଇଥିବାରୁ ଏଠାରେ ଅନ୍ୟ କୌଣସି କମ୍ପାନିର ଅଭିବୃଦ୍ଧିକୁ ଏହା ସହ୍ୟ କରିପାରୁ ନାହିଁ । ଏଥିଲାଗି ଏହା ନୂଆ ରଣନୀତି ଆପଣାଇଛି । ଫେସ୍ବୁକ୍ ଏବେ ଏହାର ପ୍ଲାଟ୍ଫର୍ମରେ କ୍ଷୁଦ୍ର ଭିଡିଓ ପ୍ରସାରଣ ଉପରେ ଧ୍ୟାନ ଦେଉଛି । ଅନ୍ୟ କେତେକ ଡିଜିଟାଲ ସଂସ୍ଥା ମଧ୍ୟ ସମାନ ରାସ୍ତା ଆପଣାଉଛନ୍ତି ।
ଚୀନ୍ର କ୍ଷୁଦ୍ର ଭିଡିଓ ସେୟାରିଂ ଆପ୍ ଟିକ୍ଟକ୍ ୧୫୦ରୁ ଅଧିକ ବଜାରରେ ଏବଂ ୭୫ ଭାଷାରେ ଉପଲବ୍ଧ ହେଉଛି । ବିଶ୍ୱରେ ଏହାର ମାସିକ ସକ୍ରିୟ ଉପଭୋକ୍ତା ସଂଖ୍ୟା ୭୦ କୋଟି ପାର୍ କଲାଣି । ଭାରତରେ ଏହାର ସକ୍ରିୟ ଉପଭୋକ୍ତା ସଂଖ୍ୟା ୨୦ କୋଟିରୁ ଅଧିକ ରହିଛି । ମାତ୍ର ବର୍ଷେ ଭିତରେ ଟିକ୍ଟକ୍ ଭାରତରେ ଏହି ସଫଳତା ହାସଲ କରିଛି । କିନ୍ତୁ ଫେସ୍ବୁକ୍ର ଭାରତୀୟ ଉପଭୋକ୍ତା ସଂଖ୍ୟା ୩୦ କୋଟି ରହିଛି ।
ଟିକ୍ଟକ୍ର ବର୍ଦ୍ଧିତ ଲୋକପ୍ରିୟତା ଖାଲି ଫେସ୍ବୁକ୍ର ନୁହେଁ, ଇନ୍ଷ୍ଟାଗ୍ରାମ୍ର ମଧ୍ୟ ନିଦ ହଜାଇ ଦେଇଛି । ଭାରତରେ ଏମାନେ ଟିକ୍ଟକ୍ ଦ୍ୱାରା ତୀବ୍ର ପ୍ରତିଯୋଗିତାର ସାମ୍ନା କରୁଛନ୍ତି । ଟିକ୍ଟକ୍ ଉପରେ ନିଷେଧାଦେଶ ଲଗାଇବା ପାଇଁ କେତେକ ମହଲରେ ଦାବି ଉଠୁଥିବା ସତ୍ତେ୍ୱ ଏହାର ମାଲିକ ଏଠାରେ ୧୦୦ କୋଟି ଡଲାର ନିବେଶ ପାଇଁ ଯୋଜନା କରୁଛନ୍ତି । ରିସର୍ଚ୍ଚ ଫାର୍ମ ଫରେଷ୍ଟରର ଫୋର୍କାଷ୍ଟ ଆନାଲିଷ୍ଟ ମୀନାକ୍ଷୀ ତିୱାରି କହିଛନ୍ତି, ମାତ୍ର ଏକ ବର୍ଷ ମଧ୍ୟରେ ଟିକ୍ଟକ୍ ନିଜକୁ ଭାରତରେ ବେଶ୍ ଲୋକପ୍ରିୟ କରାଇ ବିପୁଳ ରାଜସ୍ୱ ଆୟ କରିପାରିଛି । ବଜାରରେ ଦବ୍ଦବା ରଖିବା ପାଇଁ ଏହା ବିପୁଳ ନିବେଶ ଲାଗି ମଧ୍ୟ ଯୋଜନା ରଖିଛି ।
ଉଲ୍ଲେଖଯୋଗ୍ୟ, ଟିକ୍ଟକ୍ର ଆଦର ବଢୁଥିବା ଦେଖି ଫେସ୍ବୁକ୍ ‘ଲାସୋ’ ନାମକ ଏକ ଆପ୍ଲିକେସନ୍ ପ୍ରଚଳନ କରିଛି । ବର୍ତ୍ତମାନ ଆମେରିକାରେ ଉପଲବ୍ଧ ଏହି ଆପ୍ରେ ଲୋକମାନେ ଟିକ୍ଟକ୍ ଭଳି ସେମାନଙ୍କ ନିଜସ୍ୱ ନୃତ୍ୟ, ସଂଗୀତ ଏବଂ ଅନ୍ୟ କାର୍ଯ୍ୟକଳାପକୁ ରେକର୍ଡ କରି ଛାଡ଼ିପାରିବେ । ଏହି ଭିଡିଓର ଅବଧି ମଧ୍ୟ ବହୁତ କମ୍ ସମୟ ହେବ । କିନ୍ତୁ ଟିକ୍ଟକ୍ ଗୋଟିଏ ବଡ଼ ପଦକ୍ଷେପ ହେଉଛି ଏହା ୭୫ରୁ ଅଧିକ ଭାଷାରେ ଆପ୍ ଉପଲବ୍ଧ କରୁଛି । ଫଳରେ ଅନେକ ଭାଷାଭାଷୀ ଲୋକମାନେ ଏଥିରେ ସାମିଲ ହୋଇ ଭିଡିଓ ସେୟାର କରିପାରୁଛନ୍ତି । ଏହା କମ୍ପାନିର ରାଜସ୍ୱ ବୃଦ୍ଧିରେ ବେଶ୍ ସହାୟକ ହୋଇପାରୁଛି ।
Comments are closed, but trackbacks and pingbacks are open.