ପାରାଦୀପ,(ବି.ବି.ନୁ୍ୟଜ୍): ସୋସିଆଲ୍ ମିଡିଆରେ ଭିଡିଓ ଦେଖି ନିଜ ହଜିଲା ପୁଅ ବୋଲି ଚିହ୍ନିବା ପରେ, ଗତକାଲି ଉଦ୍ଧାର କରି ସାଙ୍ଗରେ ଘରକୁ ନେଇଯାଇଥିଲେ । ହେଲେ ଆଜି ଉକ୍ତ ମାନସିକ ଭିନ୍ନକ୍ଷମ ଯୁବକଙ୍କୁ ପୁଣି ଆଣି ପାରାଦୀପରେ ଛାଡ଼ି ଦେଇଛନ୍ତି ସଂପୃକ୍ତ ପରିବାର । ଗତକାଲି ବାପା ଓ ସମ୍ପର୍କୀୟ ଭାଇ ଚିହ୍ନି କୋଟିନିଧି ପାଇବା ଭଳି ପାଛୋଟି ନେଇଥିଲେ ଯୁବକଙ୍କୁ । ହେଲେ ଆଜି ‘ଆମ ହଜିଲା ପୁଅ ଇଏ ନୁହଁ’ ବୋଲି କହି ତାଙ୍କୁ ପୁଣି ଆଣି ଥାନା ଜିମା ଦେଇଯାଇଛନ୍ତି । ଏଭଳି ଏକ ଅଭାବନୀୟ, କରୁଣ ତଥା ରୋଚକ ଘଟଣା ଆଜି ସମଗ୍ର ପାରାଦୀପରେ ଚର୍ଚ୍ଚା ସୃଷ୍ଟି କରିଛି । ଉଦ୍ଧାର ଯୁବକଙ୍କ ପ୍ରକୃତ ପରିଚୟ କ’ଣ ଓ ଏବେ ତାଙ୍କ ଭବିଷ୍ୟତ କଣ ହେବ ତାକୁ ନେଇ ନାନାଦି ଆଲୋଚନା ଚାଲିଛି ।
ଗତକାଲି (ଶୁକ୍ରବାର) ପାରାଦୀପ ଥାନା ସମ୍ମୁଖରେ ଥିବା ବରଗଛ ମୂଳରେ ବସିଥିବା ଜଣେ ମାନସିକ ଭିନ୍ନକ୍ଷମ ଯୁବକଙ୍କୁ ଗଞ୍ଜାମ ଜିଲ୍ଳା ବୁଗୁଡ଼ା ଥାନା ମେଣ୍ଟପୁର ଗ୍ରାମର ଜୟ ସ୍ୱାଇଁ ତାଙ୍କ ବଡ଼ପୁଅ ସୁଦର୍ଶନ ସ୍ୱାଇଁ ବୋଲି ଚିହ୍ନିବା ପରେ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା । ଜଣେ ସମାଜସେବୀ ମାନସିକ ଭିନ୍ନକ୍ଷମମାନଙ୍କ ବାଳ କାଟୁଥିବାର ଏକ ଭିଡିଓକୁ ଦେଖି ଜୟ ଓ ଗ୍ରାମବାସୀମାନେ ଉକ୍ତ ମାନସିକ ଭିନ୍ନକ୍ଷମ ୧୧ ବର୍ଷ ତଳେ ହଜିଯାଇଥିବା ସୁଦର୍ଶନ ବୋଲି ଚିହ୍ନିଥିଲେ । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଉକ୍ତ ଭିଡିଓ ଦେଖି ବୁଝାଶୁଝା କରି ନିଶ୍ଚିତ ହେବା ପରେ ଜୟଙ୍କ ପରିବାର ପାରାଦୀପ ଆସିଥିଲେ । ପାରାଦୀପରେ ଦୁଇ ଦିନ ଖୋଜାଖୋଜି କରିବା ପରେ ଭିଡିଓରେ ଥିବା ଯୁବକଙ୍କୁ ଥାନା ସାମ୍ନା ବରଗଛ ମୂଳରେ ଠାବ କରାଯାଇଥିଲା । ଏପରିକି ପାରାଦୀପ ଥାନା ପକ୍ଷରୁ ଉକ୍ତ ଯୁବକଙ୍କୁ ନୂଆ ଜାମା, ଗାମୁଛା, ଗଞ୍ଜି, ପ୍ୟାଣ୍ଟ, ସାର୍ଟ ଓ ଚଷମା ପିନ୍ଧାଇ ବିଦା କରାଯାଇଥିଲା । ଥାନା ଅଧିକାରୀ ରଜନୀକାନ୍ତ ସାମଲଙ୍କ ଏଭଳି ମହତ୍ କାର୍ଯ୍ୟକୁ ସାଧାରଣରେ ଖୁବ୍ ପ୍ରଶଂସା ମଧ୍ୟ କରାଯାଇଥିଲା ।
ହେଲେ ଆଜି ଜୟ ସ୍ୱାଇଁ ପାରାଦୀପରେ ଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଯୋଗାଯୋଗ କରି ପୁଅ ଭାବି ସେ ଉଦ୍ଧାର କରି ନେଇଥିବା ମାନସିକ ଭିନ୍ନକ୍ଷମଙ୍କୁ ଫେରାଇବାକୁ ପୁଣି ପାରାଦୀପକୁ ନେଇ ଆସୁଥିବା କଥା ଜଣାଇଥିଲେ । ଏ ଖବରକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳ ପାରାଦୀପ ଥାନା ନିକଟରେ ପହଞ୍ଚିଥିଲେ । ଜୟ, ତାଙ୍କ ପତ୍ନୀ କୁମାରୀ ସ୍ୱାଇଁଙ୍କ ସମେତ ମେଣ୍ଟପୁର ଗ୍ରାମର କିଛି ଲୋକ ଉଦ୍ଧାର ଯୁବକଙ୍କୁ ନେଇ ଆସିଥିବା ଦେଖାଯାଇଥିଲା । ଥାନାକୁ ଯାଇ ସେମାନେ ଉକ୍ତ ଯୁବକ ସୁଦର୍ଶନ ନୁହନ୍ତି ବୋଲି କହିଥିଲେ । କୁମାରୀ ମଧ୍ୟ ଯୁବକ ଜଣକ ତାଙ୍କ ପୁଅ ନୁହଁନ୍ତି ବୋଲି କହିଥିଲେ । ଏପରିକି ଦୀର୍ଘ ୧୧ ବର୍ଷ ହେଲା ନିଖୋଜ ଥିବା ଜୟ ଓ କୁମାରୀଙ୍କ ବଡ଼ ପୁଅ ସୁଦର୍ଶନଙ୍କ ଚେହେରା ଉକ୍ତ ଯୁବକଙ୍କ ସହ ଆଦୌ ମେଳ ଖାଉନି ଓ ସେ ସୁଦର୍ଶନ ନୁହନ୍ତି ବୋଲି ସୁଦର୍ଶନଙ୍କ ପତ୍ନୀ ମଧ୍ୟ ଦୃଢ଼ତାର ସହ କହିଥିଲେ । ପରିବାର ଲୋକଙ୍କ କହିବା କଥା, ଗତକାଲି ଉଦ୍ଧାର କରିସାରି ଉକ୍ତ ଯୁବକଙ୍କୁ ସେମାନେ ନେଇ ମେଣ୍ଟପୁରରେ ରାତି ୩ଟାରେ ପହଞ୍ଚିବା ପରେ ପ୍ରକୃତରେ ସେ ସୁଦର୍ଶନ ନୁହନ୍ତି ବୋଲି ଜଣାପଡ଼ିଥିଲା । ତେଣୁ ଉକ୍ତ ଯୁବକଙ୍କୁ ପୁଲିସ ଜିମା ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ଆଜି ମେଣ୍ଟପୁରରୁ ଆସିଥିବା ଜୟ ଓ ଅନ୍ୟମାନେ ଗ୍ରାମକୁ ଫେରିଥିବା ସୂଚନା ମିଳିଛି । ସମଗ୍ର ଘଟଣାରେ ପାରାଦୀପ ଆଦର୍ଶ ଥାନା ପୁଲିସର ଆତିଥ୍ୟ, ମାନବିକତାକୁ ଗ୍ରାମବାସୀମାନେ ମଧ୍ୟ ଖୁବ୍ ପ୍ରଶଂସା କରିଥିଲେ । ଗୋଟିଏ ପଟେ ପରିବାରକୁ ଫେରି ପାଇଥିବା ଖୁସିରେ ଉକ୍ତ ମାନସିକ ଭିନ୍ନକ୍ଷମ ଯୁବକଙ୍କ ମୁହଁରେ ହସ ଫୁଟିବା ଆରମ୍ଭ କରିଥିବା ବେଳେ ଆଜି ପୁଣି ସେ ରାସ୍ତା କଡ଼କୁ ଫେରିବାର ଦୁଃଖଦ ଦୃଶ୍ୟ ଲୋକଙ୍କୁ ସ୍ତମ୍ଭୀଭୂତ କରିଛି । ହେଲେ ଗତକାଲି ଉଦ୍ଧାର ହୋଇଥିବା ଉକ୍ତ ଯୁବକ ପୁଣି ତାଙ୍କ ପୁରୁଣା ଦୁନିଆକୁ ଫେରିବା ଘଟଣାକୁ ଅନେକ ସହଜରେ ଗ୍ରହଣ କରିପାରୁନାହାନ୍ତି । ଉକ୍ତ ମାନସିକ ଭିନ୍ନକ୍ଷମ ଯୁବକଙ୍କୁ ପୁଲିସ ରାସ୍ତା କଡ଼ରେ ଆଉ ଛାଡ଼ି ନଦେଇ ତାଙ୍କ ଆରୋଗ୍ୟ ଓ ଥଇଥାନ ପାଇଁ ଚିନ୍ତା କରୁଥିବା ସୂଚନା ମିଳିଛି ।
Comments are closed, but trackbacks and pingbacks are open.