ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଏଯାଏଁ ପ୍ରଳୟଙ୍କରୀ ‘ଫୋନି’ର କ୍ଷତ ଶୁଖିନି । ପୁଣି ଆଉ ଗୋଟିଏ ବାତ୍ୟା ମୁହାଁଇଲାଣି ଓଡ଼ିଶା ଉପକୂଳକୁ । ଏଥର ବାତ୍ୟା ଆସିଲେ, ଏହାର ନାଁ ହେବ ‘ବୁଲ୍ବୁଲ୍’ । ପାଣିପାଗ ବିଶେଷଜ୍ଞଙ୍କ ପ୍ରାକ୍ ଆକଳନ କହୁଛି, ସମ୍ଭାବ୍ୟ ବାତ୍ୟା ‘ବୁଲ୍ବୁଲ୍’ ମଧ୍ୟ ମାଡ଼ ହେବ ପୁରୀରେ । ଯେଉଁଠି ‘ଫୋନି’ ମାଡ଼ ହୋଇଥିଲା, ପ୍ରାୟ ସେଇ ଜାଗାରେ । ଆସନ୍ତା ୧୦ ତାରିଖ ସକାଳରୁ ମଧ୍ୟାହ୍ନ ଭିତରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଏହା ପ୍ରକୋପରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି । ମଝିରେ ମଝିରେ ପବନର ଧକ୍କା ବେଗ ୧୨୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ ।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) କହିଛି, ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୋମବାର ଅପରାହ୍ନରେ ସ୍ପଷ୍ଟ ଚିହ୍ନଟ (ୱେଲ୍ ମାର୍କଡ) ଲଘୁଚାପରେ ପରିଣତ ହୋଇଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ୪୮ ଘଣ୍ଟା ଭିତରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ (ଡିପ୍ରେସନ୍) ରୂପ ନେଇପାରେ । ଆଇଏମ୍ଡି ମହାନିଦେ୍ର୍ଧଶକ ମୃତୁ୍ୟଞ୍ଜୟ ମହାପାତ୍ରଙ୍କ ପ୍ରାକ୍ ଆକଳନ ହେଲା, ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବା ସମ୍ଭାବନା ଅଛି । ଯାହାକି ଉତ୍ତର-ପଶ୍ଚିମ ଦିଗରେ ମୁହାଁଇପାରେ । ହେଲେ ଏହାର ତୀବ୍ରତା କ’ଣ ରହିବ ଓ କେଉଁଠି ଉପକୂଳ ଛୁଇଁବ, ତାହା ଏବେଠାରୁ କହି ହେବନି । ଆଉ ଦୁଇଦିନ ପରେ ଏ ସମ୍ପର୍କିତ ସ୍ପଷ୍ଟ ଚିତ୍ର ମିଳିବା ଅନୁମାନ କରାଯାଉଛି ।
ବାତ୍ୟା ପ୍ରକୋପ ପୁରୀ ସମେତ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଅଧିକ ରହିବ । ଏହା ପରେ କଟକ ଓ ଖୋର୍ଦ୍ଧାରେ ଅଧିକ ପ୍ରଭାବ ଅନୁଭୂତ ହେବ ବାତ୍ୟାର । ଏହାବାଦ୍ ଗଞ୍ଜାମ, ନୟାଗଡ଼, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ବାତ୍ୟା ପ୍ରକୋପ ପକାଇବ ।
ବାତ୍ୟା ପ୍ରଭାବରେ ଆସନ୍ତା ୭ ତାରିଖ ରାତିରୁ ଉପକୂଳ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇପାରେ । ୮ ତାରିଖରେ ମଧ୍ୟମ ଧରଣର ବର୍ଷା ହେବ । କାଁ ଭାଁ ପ୍ରବଳ ବର୍ଷା ଆଶଙ୍କା ଅଛି । ୯ ତାରିଖ ଅପରାହ୍ନରୁ ପାଗ ବିଗିଡ଼ିବ । ବର୍ଷା କ୍ରମଶଃ ବଢ଼ି ଚାଲିବ । ୧୦ ତାରିଖରେ ପ୍ରବଳରୁ ପ୍ରବଳ ବର୍ଷା ହେବ ଉପକୂଳ ଓଡ଼ିଶାରେ । ୧୧ ତାରିଖ ପର୍ଯ୍ୟନ୍ତ ବର୍ଷା ପ୍ରକୋପ ରହିବ । ୬ ତାରିଖ ପରେ ସମ୍ଭାବ୍ୟ ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ମିଳିବ ବୋଲି ଡକ୍ଟର ସାହୁ କହିଛନ୍ତି ।
ତେବେ ଭିନ୍ନ ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ର ନାଥ ପଶୁପାଳକ । ତାଙ୍କ ପ୍ରାକ୍ ଆକଳନ ହେଲା, ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଆସିବା ପାଇଁ ବର୍ତ୍ତମାନ ବାତାବରଣ ଅନୁକୂଳ ନାହିଁ । ସମ୍ଭବତଃ ଏହା ଓଡ଼ିଶା ନ ଆସି ଦିଗ ବଦଳାଇପାରେ । ଯାହାକି ମିଆଁମାର ଆଡ଼କୁ ବୁଲି ଯାଇପାରେ । ଏ ନେଇ ୭ ତାରିଖ ପରେ ଚିତ୍ର ସ୍ପଷ୍ଟ ହେବ ।
ସୂଚନାଯୋଗ୍ୟ, ସମ୍ଭାବ୍ୟ ବାତ୍ୟା ନେଇ ପ୍ରଥମେ ଇଣ୍ଡିଆନ୍ ନ୍ୟାସନାଲ୍ ସେଣ୍ଟର୍ ଫର୍ ଓସେନ୍ ଇନଫର୍ମେସନ୍ ସର୍ଭିସେସ୍(ଇନକୋଇସ୍) ପୂର୍ବାନୁମାନ ଜାରି କରିଥିଲା । ଏଥିରେ କୁହାଯାଇଥିଲା, ଆସନ୍ତା ୧୦ ତାରିଖ ରାତି କିମ୍ବା ୧୧ ତାରିଖ ସକାଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ମାଡ଼ ହେବା ପରେ ବାତ୍ୟା ଉତ୍ତର ଓଡ଼ିଶା ଆଡକୁ ମୁହାଁଇବ ।
ସମ୍ଭାବ୍ୟ ବାତ୍ୟାକୁ ଉପକୂଳ ଓଡ଼ିଶାରେ ପୁଣି ଛନକା ପଶିଲାଣି । ହେଲେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏଯାବତ୍ କୌଣସି ସ୍ପଷ୍ଟ ସୂଚନା ଜାରି କରିନି । ଆଇଏମଡି ପକ୍ଷରୁ କୁହାଯାଇଛି, ଦୁଇଦିନ ପରେ ସ୍ଥିତି ଅଧିକ ସ୍ପଷ୍ଟ ହେବ । ତଥାପି ଏହା ପ୍ରଭାବରେ ୮ରୁ ବର୍ଷା ହେବ । ୯ରେ ବର୍ଷା ବଢ଼ିବ । ଉପକୂଳ ଓଡ଼ିଶାର କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ । ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ମଙ୍ଗଳବାରଠାରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।


Comments are closed, but trackbacks and pingbacks are open.