‘ଫୋନି’ ମୁଲତବି ଆଲୋଚନାରେ ଘେରିଲେ ଶାସକ-ବିରୋଧୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ‘ଫୋନି’ରେ ଘର ଭାଙ୍ଗିଥିବା ବିପନ୍ନଙ୍କୁ ସରକାର ଘରଭଙ୍ଗା ସହାୟତା ଦେବେ । ନୂଆ ଘର ମଧ୍ୟ ଯୋଗାଇଦେବାକୁ ଘୋଷଣା କରିଛନ୍ତି । ମାତ୍ର ସରକାରୀ ଅଧିକାରୀଙ୍କ ଦ୍ୱାରା ପ୍ରସ୍ତୁତ ଘରଭଙ୍ଗା ତାଲିକାରେ ୭୦ଧ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ରହିଛି । ପ୍ରକୃତ କ୍ଷତିଗ୍ରସ୍ତଙ୍କ ନାଁ ତାଲିକାରେ ଉଠିନି । ଛାତଘର ଥିବା ଲୋକଙ୍କ ନାମ ତାଲିକାରେ ରହିଛି । ବିଭାଗୀୟ ମନ୍ତ୍ରୀ ତାଲିକା ଯାଞ୍ଚ କରନ୍ତୁ । ପ୍ରକୃତ ଯୋଗ୍ୟ ହିତାଧିକାରୀ ଯେପରି ନୂଆ ଘର ଓ ଆର୍ଥିକ ସହାୟତା ପାଇବେ ତା’ର ବାଟ ଫିଟାନ୍ତୁ ।
ବିଧାନସଭାରେ ଆଜି ବାତ୍ୟା ‘ଫୋନି’ ସଂପର୍କିତ ମୁଲତବି ଆଲୋଚନା ବେଳେ ଏମିତି ସଂଗୀନ୍ ଅଭିଯୋଗ ଆଣିଛି ଶାସକ ଦଳ । ସରକାରୀ ଦଳ ସଭ୍ୟ ପ୍ରଦୀପ ମହାରଥୀ ଏ ଅଭିଯୋଗ ଆଣିବା ସହ ସରକାର ଯଦି ଅନୁଧ୍ୟାନ ନ କରିବେ ଅଯୋଗ୍ୟ ଲୋକମାନେ ନୂଆ ଘର ପାଇଯିବେ ବୋଲି ସେ ସତର୍କ କରାଇ ଦେଇଛନ୍ତି । ସେ କହିଛନ୍ତି, ମୁଁ ୭ ଥରର ବିଧାୟକ । ମନ୍ତ୍ରୀ ହୋଇଛି । ମୁଖ୍ୟ ସଚେତକ ହୋଇଛି । ଘରଭଙ୍ଗା ତାଲିକାକୁ ସରକାର ସଂଶୋଧନ କରନ୍ତୁ । ପ୍ରକୃତ ଗରିବ ଓ କ୍ଷତିଗ୍ରସ୍ତ ସରକାରୀ ସୁବିଧା ନେଉ । ଏପରିକି ଏ ତାଲିକା ଆମ ମାନଙ୍କୁ ମଧ୍ୟ ଦେଖାଗଲାନି । ଏସଆରସି ମନା କରିଛନ୍ତି କହି ଲୁଚାଇ ତାଲିକା ପ୍ରସ୍ତୁତ ହେଲା । ମାତ୍ର ଏବେ ତାଲିକାରେ ମାଳ ମାଳ ଅଯୋଗ୍ୟ ବ୍ୟକ୍ତି । ମୁଖ୍ୟମନ୍ତ୍ରୀ ନିଷ୍ଠା ଓ ଆନ୍ତରିକତା ସହ ଫୋନି ମୁକାବିଲା କରିଥିଲା ବେଳେ ଘରଭଙ୍ଗା ତାଲିକାରେ ତ୍ରୁଟି ଆଦୌ ଗ୍ରହଣୀୟ ନୁହେଁ । ଏହାର ତଦନ୍ତ କରାଯାଉ ।
ମହାରଥୀଙ୍କ ସ୍ୱର ସହ ସ୍ୱର ମିଶାଇ ବିରୋଧୀ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଆରଆଇମାନେ ତାଲିକା ପ୍ରସ୍ତୁତି ବେଳେ ଲାଞ୍ଚ ନେଇଛନ୍ତି । ଯିଏ ଲାଞ୍ଚ ଦେଲା ତାଙ୍କ ନାମ ଘରଙ୍ଗା ତାଲିକାରେ ରହିଲା । ପ୍ରକୃତ କ୍ଷତିଗ୍ରସ୍ତ ବଳିପଡ଼ିଲେ ।
‘ଫୋନି’ ସଂପର୍କରେ ମୁଲତବି ଆଲୋଚନା ଆରମ୍ଭ କରି ବିଜେପି ସଭ୍ୟ ବିଷ୍ଣୁଚରଣ ସେଠୀ କହିଲେ, ଫୋନି ବାତ୍ୟାରେ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଜୀବିକା ମଧ୍ୟ ପୂରାକୁ ପୂରା ବାଟବଣା । ବାତ୍ୟାଞ୍ଚଳରେ ପୁନରୁଦ୍ଧାର ଓ ଥଇଥାନରେ ସରକାର ଫେଲ୍ ମାରିଛନ୍ତି । ସଫଳ ମୁକାବିଲା କରିଛନ୍ତି ବୋଲି ସରକାରଙ୍କ ମିଛ ପ୍ରଚାର କଟା ଘା’ରେ ଚୂନ ଭଳି ହୋଇଛି । ସରକାର ୧୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି ବୋଲି ଦାବି କରୁଛନ୍ତି । ଏହାର ବାସ୍ତବତା କେତେ? ନଡ଼ିଆ, ଗୁଆ, କାଜୁ ଚାଷୀଙ୍କୁ ଏଯାଏ ସହାୟତା ମିଳିନି । ଚାଷୀ କାନ୍ଦୁଛି । ସରକାର ଖାଲି ପ୍ରଶଂସା ପାଇ ଖୁସି । ମାତ୍ର ଲୋକମାନେ ହାହାକାର ହୋଇ ଜୀବନ କାଟୁଛନ୍ତି । ବେସାହାରାଙ୍କୁ ସରକାର ସାହାରା ଦିଅନ୍ତୁ ।
କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ କହିଲେ, ଘରଭଙ୍ଗା ତାଲିକାରେ ବାଛ ବିଚାର ହୋଇଛି । ବହୁ ଗରିବ ପରିବାର ତାଲିକାରେ ନାହାନ୍ତି । ଯିଏ ଟଙ୍କା ଦେଲା, ତା ନାଁ ତାଲିକାରେ ରହିଲା । ଆରଆଇ ଓ ବିଡିଓଙ୍କ ତାଲିକାରେ ବହୁ ପକ୍କାଘର ଥିବା ବ୍ୟକ୍ତିଙ୍କ ନାଁ ରହିଛି । ଖୋର୍ଦ୍ଧା ଓ ଜଟଣୀ ଅଞ୍ଚଳରେ ଏମିତି ବହୁ ଯୋଗ୍ୟ ଲୋକ ବାଦ୍ ପଡ଼ିଛନ୍ତି । ଏହାକୁ ମନ୍ତ୍ରୀ ସମୀକ୍ଷା କରି ପଦକ୍ଷେପ ନିଅନ୍ତୁ । ବହୁ ସ୍କୁଲ ଘର କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଏଯାଏ ମରାମତି ହୋଇନି । ଗରିବ ସର୍ବସ୍ୱାନ୍ତ ହୋଇଛି । ଚାଷୀ ସବୁଠୁ ଅଧିକ କ୍ଷତି ସହିଛି । ପୁରୀର ବହୁ ଅଞ୍ଚଳକୁ ଏଯାଏ ବିଜୁଳି ଯାଇନି । ରଥଯାତ୍ରା ପୂର୍ବରୁ ବିଜୁଳି ସଂଯୋଗ ଦିଆଯାଉ ।
ବିଜେପି ସଭ୍ୟ ଜୟନ୍ତ ଷଡ଼ଙ୍ଗୀ କହିଲେ, ବାତ୍ୟାରେ ପୁରୀ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି । ଘରଭଙ୍ଗା ତାଲିକାରେ ପାତର ଅନ୍ତର କରାଯାଇଛି । ବହୁ ଗରିବ ତାଲିକାରୁ ବାଦ୍ ପଡ଼ିଛନ୍ତି । ଏଭଳି ପ୍ରୀୟା ପ୍ରୀତି ତୋଷଣକୁ ନେଇ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଅସନ୍ତୋଷ । ଏହାର ତଦନ୍ତ କରାଯାଉ ସାନି ତାଲିକା ପ୍ରସ୍ତୁତ କରାଯାଉ । ଦଳର ସୁକାନ୍ତ ନାୟକ ଅଭିଯୋଗ କଲେ, ସରକାର ଅତୀତରୁ କିଛି ଶିଖିଲେନି । କେବେ ସୁଦ୍ଧା ପୁନରୁଦ୍ଧାର କାମ ସରିବ ସରକାର ଗୃହକୁ ଅବଗତ କରାନ୍ତୁ ।
କଂଗ୍ରେସ ସଭ୍ୟ ମହମ୍ମଦ ମୋକିମ୍ କହିଲେ,କଟକ ଜିଲ୍ଲାର ବହୁ ଅଞ୍ଚଳରେ ଏବେ ଗଛ ପଡ଼ି ରହିଛି । ଘର ଭଙ୍ଗା ତାଲିକାରେ ଗୋଟିଏ ପରିବାରର ୩ ଜଣଙ୍କ ନାଁ ଅଛି । ମାତ୍ର ବହୁ କ୍ଷତିଗ୍ରସ୍ତଙ୍କ ନାମ ତାଲିକାଭୁକ୍ତ ହୋଇନି । ମନ୍ତ୍ରୀ ଏହାର ଅନୁଧ୍ୟାନ କରନ୍ତୁ । ଆର ପଦବି ବହୁ ସଂଖ୍ୟାରେ ଖାଲି ପଡ଼ିଛି । ଘରଭଙ୍ଗା ତାଲିକା କେମିତି ପ୍ରସ୍ତୁତ ହେଉଥିବ ସହଜେ ଅନୁମେୟ ।
ଶାସକ ଦଳ ପକ୍ଷରୁ ପ୍ରଦୀପ ମହାରଥୀ ଭାଙ୍ଗି ଯାଇଥିବା ଗୁହାଳ ପାଇଁ ସହାୟତା ଦେବାକୁ ଦାବି କରିଥିଲେ । ସଭ୍ୟ ଉମାକାନ୍ତ ସାମନ୍ତରାୟ କହିଲେ, ଫୋନି ପରେ ସରକାର ତ୍ୱରିତ ପଦକ୍ଷେପ ନେଇ ଥଇଥାନ ଓ ପୁନରୁଦ୍ଧାର କରିପାରିଥିଲେ । ସରକାରଙ୍କ ସଫଳ ମୁକାବିଲା ପାଇଁ ବିଭିନ୍ନ ଆଡୁ ପ୍ରଶଂସା କରାଯାଇଛି । ଅନନ୍ତ ଜେନା କହିଲେ, ପାଣିପାଗ ବିଭାଗର ଆକଳନ ଅନୁସାରେ ସରକାର ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଥିଲେ । ସରକାରୀ ଅଫିସରମାନେ ତତ୍ପରତାର ସହ କାମ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ଠାରୁ ପୁନରୁଦ୍ଧାର କାମ ତ୍ୱରିତ ହୋଇ ପାରିଥିଲା । ଶାସକ ସଭ୍ୟ ରାଜେନ୍ଦ୍ର କୁମାର ସାହୁ କହିଲେ, ବାତ୍ୟା ମୁକାବିଲାରେ ସରକାରଙ୍କ ସଫଳତାକୁ ନିଜେ ପ୍ରଧାନମନ୍ତ୍ରୀ ଭୁରି ଭୁରି ପ୍ରଶଂସା କରୁଥିଲା ବେଳେ ତାଙ୍କ ଦଳ ମୁଲତବି ପ୍ରସ୍ତାବରେ ସରକାର ଫେଲ ବୋଲି ଦର୍ଶାଇବା ଦୁଭାର୍ଗ୍ୟଜନକ । ‘ଫୋନି’ ମୁକାବିଲା ଓ ପ୍ରସ୍ତୁତିରେ ଗଣମାଧ୍ୟମ ଓ ଅଫିସରମାନେ ନିଷ୍ଠାର ସହ କାମ କରିଛନ୍ତି । ସେମାନଙ୍କୁ ଧନ୍ୟବାଦ ଦେବା ଦରକାର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons