ବଜ୍ରାଘାତରେ ଜଣେ ଛାତ୍ରୀ ଗୁରୁତର, ୧୨ ଆହତ

Get real time updates directly on you device, subscribe now.

ଫୁଲବାଣୀ,(ବି.ବି.ନୁ୍ୟଜ୍): ସ୍କୁଲ ଶ୍ରେଣୀ ଗୃହରେ ଛାତ୍ରୀମାନଙ୍କୁ ପାଠ ପଢ଼ାଉଥିଲେ ଶିକ୍ଷୟିତ୍ରୀ । ହଠାତ ନିକଟରେ ହେଲା ବଜ୍ରପାତ । ଏଥିରେ ଶିକ୍ଷୟିତ୍ରୀଙ୍କ ସମେତ ୧୨ ଜଣ ଛାତ୍ରୀଛାତ୍ର ଆହତ ହୋଇଛନ୍ତି । ଜଣେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ଚକାପାଦ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଦର ଶ୍ରୀ ବିରୂପାକ୍ଷ ନୋଡାଲ ହାଇସ୍କୁଲର ଘଟଣା । ଗୁରୁତର ଛାତ୍ରୀ ହେଲେ ୮ମ ଶ୍ରେଣୀ ଛାତ୍ରୀ ବୈଜୟନ୍ତୀ ସେଠୀ । ଆହତମାନେ ହେଲେ ଶିକ୍ଷୟିତ୍ରୀ ପ୍ରଗତି ସେଠୀ, ସବିତା ସାହୁ, ଜୟଶ୍ରୀ ଦାସ, ବିଷ୍ଣୁପ୍ରିୟା ମଲ୍ଲିକ, ଶୁଭଶ୍ରୀ ସାହୁ, ଶିବ ପ୍ରସାଦ ବେହେରା, ଜଗଦୀଶ ବେହେରା, ଅନୁଭବ ଗୌଡ଼, ସୁବାସ, ଗଣେଶ ବେହେରା, ଶୋଭନ ମଲ୍ଲିକ ଓ ରୁଦ୍ରପ୍ରସାଦ ନାୟକ ।
ସ୍କୁଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ବର୍ଷା ଲାଗିରହିଥିଲା । ପିଲାମାନେ ଶ୍ରେଣୀ ଗୃହରେ ବସି ପାଠ ପଢ଼ୁଥିଲେ । କ୍ଲାସରେ ପ୍ରାୟ ୩୦ ଜଣ ଛାତ୍ରୀ ରହିଥିଲେ । ହଠାତ୍ ପ୍ରାୟ ୧୨ଟା ବେଳେ ସ୍କୁଲ ନିକଟରେ ବଜ୍ରପାତ ହୋଇଥିଲା । ପ୍ରଚଣ୍ଡ ଶବ୍ଦରେ କାନ ଫାଟି ଗଲା ଭଳି ଲାଗିଥିବାବେଳେ ପିଲାମାନେ ଭୟଭୀତ ହୋଇଯାଇଥିଲେ । କ୍ଲାସର ସ୍କାଇଲାଇଟ୍ ଭାଙ୍ଗି ଯାଇଥିଲା ଏବଂ ଣ୍ରେଣୀ ଗୃହରେ ଥିବା ବିଦୁ୍ୟତ ତାର ଜଳି ଯାଇଥିଲା । ଛାନିଆ ହୋଇ ପିଲାମାନେ ବାହାରକୁ ଦୌଡ଼ିଥିଲେ । ଆହତ ୧୨ ଜଣଙ୍କୁ ଚକାପାଦ ଡାକ୍ତରଖାନାରେ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି । ଗୁରୁତର ବୈଜୟନ୍ତୀଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ବିକାଶ ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମୀଧର ବେହେରା ପ୍ରମୁଖ ଡାକ୍ତରଖାନାକୁ ଯାଇ ଆହତ ଛାତ୍ରୀଙ୍କ ଚିକିତ୍ସା ବିଷୟରେ ପଚାରି ବୁଝିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons