ଧାମନଗର,(ବି.ବି.ନ୍ୟୁଜ୍): ଆଜି ବାଲେଶ୍ୱର ଏବଂ ମୟୂରଭଂଜ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବଜ୍ରାଘାତ ଘଟି ୫ଜଣଙ୍କର ମୃତ୍ୟୁ ଘଟିଛି । ବାଲେଶ୍ୱର ଜିଲ୍ଲାରେ ଚାଷ କାମ କରୁଥିବା ବେଳେ ବଜ୍ରାଘାତରେ ଦୁଇ ଭାଇଙ୍କ ସମେତ ଚାରି ଜଣ ଚାଷୀ ପ୍ରାଣ ହରାଇଛନ୍ତି । ମୃତ ଦୁଇ ଭାଇଙ୍କ ଘର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ । ମୃତ୍ୟୁ ବରଣ କରିଥିବା ଅନ୍ୟ ଦୁଇ ଚାଷୀଙ୍କ ମଧ୍ୟରୁ ଜଣକ ଘର ଧୂଷୁରୀ ଥାନା ଅଞ୍ଚଳରେ ହୋଇଥିବାବେଳେ ଅନ୍ୟ ଜଣେ ବାଲେଶ୍ୱର ଔପଦା ଅଞ୍ଚଳର ବୋଲି ଜଣାପଡ଼ିଛି । ସେହିପରି ମୟୂରଭଂଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଧାଙ୍ଗୁଡିଶୋଳ ପଞ୍ଚାୟତର ସାଦ ସାହି ଗ୍ରାମର ଲବ ସିଂ (୪୫) ବିଲ କାମ ସାରି ଘରକୁ ଫେରୁଥିବାବେଳେ ବଜ୍ରାଘାତର ଶିକାର ହୋଇ ପ୍ରାଣ ହରାଇଛନ୍ତି ।
ରବିବାର ଅପରାହ୍ନରେ ବର୍ଷା ସହ ବଜ୍ରପାତ ଘଟିଥିଲା । ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଅତି ପ୍ରଚଣ୍ଡ ଶବ୍ଦରେ ନିୟମିତ ବ୍ୟବଧାନରେ ବିଜୁଳି ସହ ଘଡ଼ଘଡ଼ି ମାରିଥିଲା । ଭଣ୍ଡାରିପୋଖରୀ ଥାନା ଅର୍ନ୍ତଗତ ରଣଞ୍ଜିତ ପଞ୍ଚାୟତ ହାଇଲେବୁଲ କେନାଲ ନିକଟ ବିଲକୁ ଯାଜପୁର ଜିଲ୍ଲା ବେହେରାପାଟଣା ଗ୍ରାମର ଆନନ୍ଦ ବେହେରାଙ୍କ ପୁଅ ମନୋଜ (୨୧) ଓ ସରୋଜ ତଳି ପକାଇବାକୁ ଆସିଥିଲେ । ସନ୍ଧ୍ୟା ହେବା ପର୍ଯ୍ୟନ୍ତ ସେମାନେ ଘରକୁ ଫେରି ନ ଥିଲେ । ପରିବାର ଲୋକଙ୍କ ସହ ପାଖ ପଡ଼ୋଶୀ ବିଲକୁ ଆସି ଖୋଜାଖୋଜି କରିଥିଲେ । ବଲରେ ଦୁଇ ଭାଇଙ୍କ ମୃତ ଦେହ ପଡ଼ିଥିବା ଦେଖିଥିଲେ । ମୃତକଙ୍କୁ ପରିବାର ଲୋକେ ନିଜ ଗାଁକୁ ନେଇ ଯାଇଥିବା ଜଣାପଡ଼ିଛି । ସେହିଭଳି ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ ରଇପୁରର ଗ୍ରାମର ଯୁଧିଷ୍ଠିର ନାୟକ (୫୬) ଆଜି ବିଲରେ କାମ କରିବାକୁ ଯାଇଥିଲେ । ମଧ୍ୟାହ୍ନରେ ବର୍ଷା ସହିତ ବଜ୍ରପାତ ଘଟିଥିଲା । ଏହି ବଜ୍ରପାତରେ ଯୁଧିଷ୍ଠିରଙ୍କ କାନ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେ ବିଲରେ ଚେତାଶୂନ୍ୟ ହୋଇ ପଡ଼ିଯିବାରୁ ତାଙ୍କୁ ମୁର୍ମୂଷୁ ଅବସ୍ଥାରେ ପରିବାର ଲୋକ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଧୁଷୁରୀ ପୁଲିସ ମୃତଦେହ ବ୍ୟବଚ୍ଛେଦ କରାଇବା ସହିତ ଥାନାରେ ୧୮/୧୯ ନଂରେ ଅପମୃତ୍ୟୁ ମାମଲା ରୁଜୁ କରିଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବଜ୍ରପାତଜନିତ ମୃତ୍ୟୁ କି ନୁହଁ, ତାହା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।
ଅନ୍ୟ ଏକ ଘଟଣା ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ବଡ଼ପୋଖରୀ ଗ୍ରାମରେ ଘଟିଛି । ଏହି ଗ୍ରାମର ଭାସ୍କର ନାୟକଙ୍କ ପୁଅ ଅନ୍ତର୍ଯ୍ୟାମୀ (୪୨) ସକାଳେ ବିଲକୁ ଯାଇଥିଲେ । ଧାନ ରୁଆ କାମରେ ସହଯୋଗ କରୁଥିବା ବେଳେ ବଜ୍ରାଘାତରେ ସଂଜ୍ଞାହୀନ ହୋଇପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ । ଔପଦା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
ଅନ୍ୟପକ୍ଷରେ ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ଅନ୍ତର୍ଗତ ଧାଙ୍ଗୁଡିଶୋଳ ପଞ୍ଚାୟତର ସାଦ ସାହି ଗ୍ରାମର ଲାଦୁ ସିଂଙ୍କ ପୁଅ ଲବ ସିଂ (୪୫)ଙ୍କର ଆଜି ସନ୍ଧ୍ୟାରେ ବଜ୍ରାଘାତରେ ମୃତ୍ୟୁ ହୋଇଯାଇଛି । ଅପରାହ୍ନରୁ ଏହି ଅଞ୍ଚଳରେ ଝିପିଝିପି ବର୍ଷା ଲାଗି ରହିଥିଲା । ପ୍ରବଳ ଘଡ଼ଘଡ଼ି ବିଜୁଳି ମାରିଥିଲା । ସେତେବେଳେ ଲବ ତାଙ୍କ ପତ୍ନୀ ସହିତ ବିଲକାମ ସାରି ପୋଖରୀରେ ଗାଧୋଇ ଫେରୁଥିଲେ । ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଗାଧୋଇ ସାରି ଲବଙ୍କ ପତ୍ନୀ ଆଗରେ ଚାଲୁଥିବାବେଳେ ଲବ ତାଙ୍କ ପଛରେ ଥିଲେ । ବଜ୍ରାଘାତରେ ଲବଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ତାଙ୍କ ପତ୍ନୀ ସାମାନ୍ୟ ଆହତ ହୋଇଛନ୍ତି । ଲବ ସିଂଙ୍କ ଅକାଳ ମୃତ୍ୟୁରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
Comments are closed, but trackbacks and pingbacks are open.